ନଭି ମୁମ୍ବାଇ (ଓଡ଼ିଶା ତାଜା ନ୍ୟୁଜ୍) :- ନଭି ମୁମ୍ବାଇର ଖାରଘରଠାରେ ଅବସ୍ଥିତ ଏକମାତ୍ର ଜଗନ୍ନାଥ ମନ୍ଦିରରେ ମହାସମାରୋହରେ ପବିତ୍ର ବାହୁଡ଼ା ଯାତ୍ରା ପାଳନ କରାଯାଇଥିବା ଜଣାଯାଇଛି। ମହାରାଷ୍ଟ୍ର ଓଡ଼ିଆ କଲ୍ୟାଣ ସଂଘ (ମୋୱା)ଦ୍ୱାରା ଆୟୋଜିତ ଏହି ଭବ୍ୟ ଉତ୍ସବ ଉପଲକ୍ଷେ ବଢିଭୋରରୁ ହରିହର ପୀଠ ଠାରେ ଥିବା ଗୁଣ୍ଡିଚା ମନ୍ଦିରର ଆଡ଼ପ ମଣ୍ଡପରେ ବିରାଜମାନ କରିଥିବା ଚତୁର୍ଦ୍ଧା ମୂର୍ତ୍ତିଙ୍କର ସାମ୍ନାରେ ସ୍ୱତନ୍ତ୍ର ନୀତିକାନ୍ତି ଓ ପୂଜାର୍ଚ୍ଚନା ଧାର୍ମିକ ବିଧି ମୁତାବକ ସମ୍ପନ୍ନ କରାଯାଇଥିଲା ।
ଅପରାହ୍ନରେ ହରିବୋଲ ହୁଳହୁଳି ଜୟ ଜଗନ୍ନାଥ ଏବଂ ଶଙ୍ଖଧ୍ୱନୀ ତଥା ବାଦ୍ୟ କୀର୍ତ୍ତନ ର ତାଳେ ତାଳେ ଚାରିଠାକୁରଙ୍କୁ ପୂଜକ ଓ ଭକ୍ତ ମାନେ ଧାଡି ପହଣ୍ଡି କରି ଗୁଣ୍ଡିଚା ମନ୍ଦିର ସାମ୍ନାରେ ଦଣ୍ଡାୟମାନ ଥିବା ସୁନ୍ଦର ଓ ସୁଶୋଭିତ ରଥ ଉପରକୁ ଆଣିଥିଲେ । ଅପରାହ୍ନ ଦୁଇଟା ସମୟରେ ମୌୱାର ଟ୍ରଷ୍ଟି ଓ ସଭାପତି ଡ଼ଃ ଭଗବାନ ପଣ୍ଡା ପାରମ୍ପରିକ ଛେରା ପହଁରା ନୀତି ସମ୍ପନ୍ନ କରିଥିଲେ । ଦିନ ଚାରିଟା ସମୟରେ ରଥ ଟଣା କାର୍ଯ୍ୟ ଶୁଭାରମ୍ଭ ହୋଇଥିଲା। ହରିହର ପୀଠ ଠାରେ ଉପସ୍ଥିତ ସହସ୍ରାଧିକ ଭକ୍ତମାନେ ରଥଟିକୁ ଟାଣି ଟାଣି ମୁଖ୍ୟ ମନ୍ଦିରର ବେଢ଼ାକୁ ସନ୍ଧ୍ୟା ସୁଦ୍ଧା ଫେରାଇ ଆଣିଥିଲେ।
