ଓଡ଼ିଶା ଗ୍ରାମ ପଞ୍ଚାୟତ କର୍ମଚାରୀ ମହାସଂଘର ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ୱର (ଓଡିଶା ତାଜା ନିଉଜ୍) ଭୁବନେଶ୍ୱର 29.12.2019 :- ଓଡ଼ିଶା ଗ୍ରାମ ପଞ୍ଚାୟତ କର୍ମଚାରୀ, ପିଅନ, ରାତ୍ର ଜଗୁଆଳୀ, ଝାଡ଼ୁଦାର ମହାସଂଘର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ପୁରୁଣା ଭୁବନେଶ୍ୱରସ୍ଥିତ ଡ଼ାଲମିଆ ଧର୍ମଶାଳାଠାରେ ଦିବା ୧୧ ଘଟିକା ସମୟରେ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ସଂଘର କାର୍ଯ୍ୟକାରୀ ସଭାପତି ରବିନ୍ଦ୍ର ସେନାପତି ଓ ରାଜ୍ୟ ସାଧାରଣ ସମ୍ପାଦକ ସୁବ୍ରତ କୁମାର ରାଉଳ ଏହି ସଭାକୁ ପରିଚାଳନା କରିଥିଲେ । ରାଜ୍ୟରେ ମୋଟ ୬,୭୯୮ ଗ୍ରାମ ପଞ୍ଚାୟତରେ ପିଅନ, ରାତ୍ର ଜଗୁଆଳୀ, ଝାଡ଼ୁଦାର କର୍ମଚାରୀଙ୍କ ସଂଖ୍ୟା ୮,୮୦୧ରୁ ଅଧିକ । ଏମାନେ ଗ୍ରାମ ପଞ୍ଚାୟତରେ ଯାବତୀୟ କାର୍ଯ୍ୟ ସକାଳ ୧୦ ଘଟିକାରୁ ଦିବା ୫ ଘଟିକା ପର୍ଯ୍ୟନ୍ତ ଏପରିକି ଦିନରାତି ଖଟିଥାନ୍ତି । ଅନ୍ୟ ବିଭିନ୍ନ ବିଭାଗରେ କର୍ମଚାରୀମାନଙ୍କ ପରି ସମାନ ରୂପେ କାର୍ଯ୍ୟ କରୁଥିଲେ ମଧ୍ୟ ଏମାନଙ୍କୁ ସାଧାରଣତଃ ସମାନ କାମକୁ ସମାନ ଦରମା ମିଳିବା ତ ଦୂରର କଥା, ସିର୍ବନିମ୍ନ ମଜୁରୀ ପାଇବାରୁ ବଞ୍ଚିତ ହୋଇଛନ୍ତି ।

ବର୍ତ୍ତମାନ ୫-ଟି ଯୋଜନା ସହ ମୋ ସରକାର ଯୋଜନା ସମୟରେ ରାଜ୍ୟ ସରକାରଙ୍କର ବିଭିନ୍ନ ଉନ୍ନୟନମୂଳକ ଯୋଜନାକୁ ସର୍ବସାଧାରଣଙ୍କ ନିକଟରେ ସେବା ଯୋଗାଇ ଆସୁଥିବା ଏହି ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ଭବିଷ୍ୟତ ଅନ୍ଧକାର । ସରକାରୀ ଅନୁଦାନ ପାଇବା ଆଶା ଥିଲେ ମଧ୍ୟ ଏପର୍ଯ୍ୟନ୍ତ ନିୟମିତ ହୋଇନାହାଁନ୍ତି କି ସ୍ଥାୟୀ ଚାକିରୀ ପାଇଁ ଓଡ଼ିଶା ଗ୍ରାମ ପଞ୍ଚାୟତ ରୁଲ୍ ୧୨୫, ୨୦୧୪ ମସିହା ନିୟମକୁ ପଞ୍ଚାୟତିରାଜ ବିଭାଗ ତରଫରୁ ପରିବର୍ତ୍ତନ କରାଯାଇ ନାହିଁ । ସଂଘର ବିଭିନ୍ନ ଦାବି ଫାଇଲ୍ ପୂର୍ବରୁ ପଞ୍ଚାୟତିରାଜ ବିଭାଗରୁ ଅର୍ଥ ବିଭାଗକୁ ଅର୍ଥ ମଞ୍ଜୁର ନିମନ୍ତେ ପଠାଯାଇଥିଲା । ବହୁବାର ସଂଘ ରାଜ୍ୟ ସରକାରଙ୍କ ନିକଟରେ ଦାବି କରି ଆସୁଅଛି । ଏଣୁ ଉକ୍ତ ବୈଠକରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଏବଂ ୫-ଟି ସଚିବ ଏହି କର୍ମଚାରୀମାନଙ୍କ ଉପରେ ଶୁଭ ଦୃଷ୍ଟି ଦେଇ ଆଗାମୀ ନବବର୍ଷ ଉପଲକ୍ଷେ ଉପହାର ସ୍ୱରୂପ ସରକାରୀ ଅନୁଦାନ ପ୍ରଦାନ କରିବା ପାଇଁ କର୍ମଚାରୀମାନଙ୍କ ନିମନ୍ତେ ସରକାରୀ ନିର୍ଦ୍ଦେଶନାମା ପ୍ରକାଶିତ କରିବା ନିମନ୍ତେ ବୈଠକରେ ସଂଘ ତରଫରୁ ଦାବି ପୂରଣ ନିମନ୍ତେ ଦୃଢ ଦାବି କରାଯାଇଛି । ଉକ୍ତ ବୈଠକରେ ଓଡ଼ିଶାର ବିଭିନ୍ନ ଜିଲ୍ଲାର ସଂଘ ସଭାପତି, ସମ୍ପାଦକ, ବ୍ଲକ ସଭାପତି, ସମ୍ପାଦକଙ୍କ ସମେତ ବରିଷ୍ଠ କର୍ମକର୍ତ୍ତା ଅର୍ଜୁନ ରଣା ଉପସ୍ଥିତ ଥିଲେ । ରାଜ୍ୟ ସହ ସମ୍ପାଦକ ଚନ୍ଦ୍ରମଣି ରଣା ଧନ୍ୟବାଦ ଅର୍ପଣ କରିଥିଲେ । (ଓଡିଶା ତାଜା ନିଉଜ୍) ରିପୋର୍ଟ – ସୋନାଲି

Exit mobile version