ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) :- ଚଳିତ ବର୍ଷ ରଥଯାତ୍ରା ପୂର୍ବରୁ ପୁରୀରେ ସୁରକ୍ଷା ବ୍ୟସ୍ଥା ଓ ନୀରିକ୍ଷଣ ପ୍ରସ୍ତୁତିକୁ ସମୀକ୍ଷା କରିବା ପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ ଏବଂ ଓଡିଶାର ଉଚ୍ଚଶିକ୍ଷା ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୁରଜ ଓ ବିଜେପି ଜାତୀୟ ପ୍ରବକ୍ତା ତଥା ପୁରୀ ସାଂସଦ ଡଃ ସମ୍ବିତ ପାତ୍ର ପୁରୀରେ ଇଂଟିଗ୍ରେଟେଡ କମାଣ୍ଡ ଆଣ୍ଡ କଂଟ୍ରୋଲ ସେଂଟର (ଆଇସିସିସି)ର ପରିଦର୍ଶନ କରିଥିଲେ । ଏହି ସମୟରେ କେନ୍ଦ୍ରମନ୍ତ୍ରୀମାନେ ଓଡିଶାର ଡିଫେନ୍ସ ଟେକ୍ନୋଲୋଜି ଷ୍ଟାର୍ଟଅପ ଆଇଜି ଡ୍ରୋନ୍ସ ଦ୍ୱାରା ବିକଶିତ ଏବଂ ଓଡିଶା ପୋଲିସ ଦ୍ୱାରା କାର୍ଯ୍ୟକାରୀ ହୋଇଥିବା ଟେକ୍ନୋଲୋଜି-ପରିଚାଳିତ ସମାଧାନଗୁଡ଼ିକର ବ୍ୟବହାରକୁ ପ୍ରଶଂସା କରିଛନ୍ତି ।
ପ୍ରଥମ ଥର ପାଇଁ ରଥଯାତ୍ରାରେ ସହରର ପ୍ରମୁଖ ସ୍ଥାନଗୁଡିକରେ ଆଡଭାନ୍ସଡ ଡ୍ରୋନ ସର୍ଭିଲାନ୍ସ ଟେକ୍ନୋଲୋଜିକୁ ବ୍ୟାପକ ରୂପେ ନିୟୋଜିତ କରାଯାଇଛି, ଯାହା ଆକାଶମାର୍ଗରୁ ଭିଡର ଗତିବିଧି, ଟ୍ରାଫିକ ଓ ସମ୍ଭାବ୍ୟ ଜରୁରୀକାଳିନ ସ୍ଥିତିକୁ ବାସ୍ତବ ସମୟରେ ତଦାରଖ କରିବା କାର୍ଯ୍ୟକୁ ସୁଗମ କରୁଛି । ଏଥିସହିତ ଆକାଶମାର୍ଗରୁ ଅନଧିକୃତ ବିପଦକୁ ଚିହ୍ନଟ କରିବା ଓ ମୁକାବିଲା କରିବା ପାଇଁ ଆଂଟି-ଡ୍ରୋନ ସିଷ୍ଟମଗୁଡିକୁ ରଣନୈତିକ ଭାବେ ଅବସ୍ଥାପିତ କରାଯାଇଛି । ଭାରତର ସବୁଠାରୁ ପବିତ୍ର ପର୍ବ ପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା ସମୟରେ ଲୋକଙ୍କ ସୁରକ୍ଷା ବୃଦ୍ଧି କରିବା ପାଇଁ ଓଡିଶା ପୋଲିସ ଆଇଜି ଡ୍ରୋନ୍ସ ସହ ସହଭାଗିତା କରିଛି ।
