ପାରଳାଖେମୁଣ୍ଡି (ଓଡ଼ିଶା ତାଜା ନ୍ୟୁଜ୍) :- ଗଜପତି ଜିଲ୍ଲାର ବହୁ ଚର୍ଚ୍ଚିତ ରାମଗିରି ଥାନା କଡ଼ମାସିଂ ଗାଁର ରାମଚନ୍ଦ୍ର ନାୟକ (୩୫)ଙ୍କ ହତ୍ୟା ଘଟଣା ମାମଲାର ପର୍ଦାଫାଶ ହୋଇଛି. ଏହି ଘଟଣାରେ ଦୁଇ ଜଣଙ୍କୁ ପୋଲିସ ଗିରଫ କରଛି. ଏଥିସହ ଘଟଣା ସ୍ଥଳରୁ ହତ୍ୟାରେ ବ୍ୟବହୃତ ମାରଣାସ୍ତ୍ର, ଭଙ୍ଗା ମୋବାଇଲ ଆଦି ଜବତ ହୋଇଛି. ଆଜି ରବିବାର ଗଜପତି ଏସପି ଯତୀନ୍ଦ୍ର ପଣ୍ଡା ସାମ୍ବାଦିକ ସମିଳନୀର ଆୟୋଜନ କରି ସବିଶେଷ ସୂଚନା ପ୍ରଦାନ କରି କହିଛନ୍ତି, ରାମଗିରି ଥାନା ଅଧୀନସ୍ଥ ଅନୋଘା ଗ୍ରାମର ଅତୁଲ ପ୍ରସାଦ ବେହେର ଦଳେଇ ପୂର୍ବ ବିବାଦ ଓ ଶତ୍ରୁତାକୁ ନେଇ ରାମଚନ୍ଦ୍ର ନାୟକଙ୍କୁ ଗତ ୨୪ ତାରିଖ ଦିନ ହତ୍ୟା କରିଥିଲା l
ପରେ ନିଜ ମାମୁଁ ପୁଅ ଭାଇ ବିଶ୍ୱଭାନୁ ପ୍ରଧାନ ଘଟଣା ସମ୍ପର୍କରେ ଜଣାଇ ସହଯୋଗ କରିବା ପାଇଁ ଅତୁଲ ମୋବାଇଲ ଦ୍ୱାରା ଜଣାଇ ଥିଲା. ଏଥିରେ ବିଶ୍ୱଭାନୁ ଘଟଣା ସ୍ଥଳରେ ପହଞ୍ଚି ପ୍ରଥମେ ଜଙ୍ଗଲ ଭିତରେ ଶବକୁ ଲୁଚାଇ ଦେଇଥିଲେ. ପୁଣି ତା ପରଦିନ ଜଙ୍ଗଲ ରେ ଲୁଚା ଯାଇଥିବା ଶବକୁ ବାହାର କରି ପଥର ବାନ୍ଧି ନିକଟରେ ଥିବା ଏକ ଜଳାଶୟ ମଧ୍ୟକୁ ଫୋପାଡ଼ି ଦୁହେଁ ଚାଲି ଯାଇଥିଲେ.
