ରଣପୁର (ଓଡ଼ିଶା ତାଜା ନ୍ୟୁଜ୍) ରାଜସୁନାଖଳା :- ନୟାଗଡ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ରାଜସୁନାଖଳା ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟି ଆନୁକୂଲ୍ୟରେ ଶୁକ୍ରବାର ଦିନ ପବିତ୍ର ଶ୍ରୀଗୁଣ୍ଡିଚା ଓ ରଥଯାତ୍ରା ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ମହାପ୍ରଭୁଙ୍କ ପହଣ୍ଡି ବିଜେ ହୋଇଥିଲା l ରାଜା (ଶିଶିର କୁମାର ସାହୁ )ଙ୍କୁ ସେବକମାନେ ପଟୁଆର କରି ପାଛୋଟି ଆଣି ଥିଲେ ।
ରାଜା ରଥରେ ଛେରା ପହଁରା କରିବା ସହ ମହାପ୍ରଭୁ ଜଗତର ନାଥ ଜଗନ୍ନାଥଙ୍କୁ ଦର୍ଶନ ଓ ପୂଜା ଅର୍ଚନା କରିଥିଲେ l ଘୋଷଯାତ୍ରା କି ଭଳି ଶାନ୍ତି ଶୃଙ୍ଖଳାର ସହ ସମାପନ ହେବ ସେଥି ପାଇଁ ରାଜା ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଥିଲେ l ପରେ ଚାରମାଳା ଓ ଘୋଡା ଲାଗିବା ପରେ ରଥଉପରେ ବିଶ୍ୱକର୍ମା ଓ ଡାହୁକଙ୍କୁ ସମ୍ବର୍ଦ୍ଧିତ କରାଯାଇ ରଥ ଯାତ୍ରା ଆରମ୍ଭ ହେଇଥିଲା । ଏହି ରଥଯାତ୍ରା ଜଗନ୍ନାଥଙ୍କ ମନ୍ଦିର ପରିସରରୁ ବାହାରି ଗୋପୀନାଥ ପୁର ସାହି, ଏକାଡାଳିଆ ସାହି, ରାଧାବଲ୍ଳଭ ପୁର ସାହି ସୁନାଖଳା ସାହି , ଦୁର୍ଗା ବଜାର ଦେଇ ବଣିଆ ସାହିସ୍ଥିତ ମାଉସୀ ମା ଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ରଥଟଣା ହୋଇଥିଲା l ଏହି କାର୍ଯ୍ୟକ୍ରମରେ ସଂକ୍ରୀତନ ମଣ୍ଡଳୀ, ଗୌଡ଼ବାଡି, ସ୍ୱାସ୍ଥ୍ୟ ବିଭାଗ,ବିଦ୍ୟୁତ ବିଭାଗ କର୍ମଚାରୀ, ରଣପୁର ଥାନା ଓ ରାଜସୁନାଖଳା ପୋଲିସ ବାହିନୀ ଶାନ୍ତି ଶୃଙ୍ଖଳା ରାକ୍ଷା କରିବା ପାଇଁ ଉପସ୍ଥିତ ରହି ଥିଲେ । ଆଖପାଖ ଗ୍ରାମରୁ ୧୦ହଜାରରୁ ଉର୍ଦ୍ଧ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଥିଲା l ଭକ୍ତଙ୍କ ହରିବୋଲ ହୁଳହୁଳି ସହିତ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରି ଭକ୍ତମାନେ ଭାବ ବିଭୋର ହୋଇ ଜୟ ଜଗନ୍ନାଥ ଧ୍ବନିରେ ଚତୁର ଦିଗ ପ୍ରକମ୍ପିତ ହେଉ ଥିଲା । ଏହି ଘୋଷଯାତ୍ରାରେ ବାଚସ୍ପତି ସୁରମା ପାଢ଼ୀ ଯୋଗଦେଇ ଜଗତର ନାଥ ଜଗନ୍ନାଥଙ୍କ ଦିବ୍ୟ ଦର୍ଶନ ସହ କୃପାଭିକ୍ଷା ଲାଭ କରି ଜଗନ୍ନାଥ ମନ୍ଦିରର ସମସ୍ୟା ଉପରେ କାର୍ଯ୍ୟକାରୀ ସଭାପତିଙ୍କ ସହିତ ଆଲୋଚନା କରିଥିଲେ l ଏହି କାର୍ଯ୍ୟକ୍ରମକୁ ଜଗନ୍ନାଥ ମନ୍ଦିର ପରିଚାଳନା କମିଟିର କାର୍ଯ୍ୟକାରୀ ସଭାପତି ସତ୍ୟନାରାୟଣ ମହାପାତ୍ର, ସମ୍ପାଦକ ଜଗନ କୁମାର ନାୟକ, ରାଜ ସୁନାଖଳା ଓ ସମସ୍ତ ସଭ୍ୟମାନେ ଉପସ୍ଥିତ ରହି ସମସ୍ତ କାର୍ଯ୍ୟକୁ ସହଯୋଗ କରି ପରିଚାଳନା କରିଥିଲେ l

