କଟକ ସଦର ଥାନା ଅଞ୍ଚଳରେ ରଥଯାତ୍ରା ଅନୁଷ୍ଠିତ

କଟକ  (ଓଡ଼ିଶା ତାଜା ନ୍ୟୁଜ୍) :- କଟକ ସଦର ଥାନା ଅନ୍ତର୍ଗତ ନୂଆଗଡ ଗ୍ରାମର ସାଇ ଜଗନ୍ନାଥ ମନ୍ଦିର, ଗୋପାଳପୁରର କାଠଯୋଡି ବାଟିକା ଜଗନ୍ନାଥ ମନ୍ଦିର, ଉରାଳୀର ଦଧିବାମନ ଜୀୟୁ ଜଗନ୍ନାଥ ମନ୍ଦିର, କୁରାଙ୍ଗଶାସନ ନଡ଼ିଆଗୁରୁଡି ଜଗନ୍ନାଥ ମନ୍ଦିର, , ପ୍ରତାପନଗରୀ ରାଧାରମଣ ସେବାକୁଞ ପରିଚାଳନା କମିଟି ପକ୍ଷରୁ ଶୁକ୍ରବାର ଦିନ ରଥଯାତ୍ରା ଅନୁଷ୍ଠିତ ହୋଇଥିଲା ।

ନୂଆଗଡ ତେଲଙ୍ଗାପେଣ୍ଠ ସ୍ଥିତ ସାଇ ଜଗନ୍ନାଥ ମନ୍ଦିରରେ ସମସ୍ତ ନିତି କାନ୍ତି ସରିବା ପରେ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତିକୁ ମନ୍ଦିରରୂ ବାହାର କରାଯାଇ ଘଣ୍ଟ, ଖୋଳ କର୍ତ୍ତାଳ ବଜାଇ ପହଣ୍ଡି କରି ରଥ ଉପରକୁ ନିଆଯାଇଥିଲା । ରଥରେ ଜଗନ୍ନାଥ ଙ୍କ ପ୍ରତିମୂର୍ତ୍ତି ପହଞ୍ଚିବା ପରେ ଠାକୁର ରାଜା ବ୍ରଜବନ୍ଧୁ ଶତପଥୀ ରଥ ଉପରକୁ ଯାଇ ଛେରାପହଁରା କରିଥିଲେ ।

ଛେରାପହଁରା ଶେଷ ହେବାପରେ ରଥରୁ ଚାରମାଳ ଖୋଲାଯିବା ପରେ‌ ରଥଟଣା କାର୍ଯ୍ୟ ଅପରାହ୍ନରେ ଆରମ୍ଭ ହୋଇଥୂଲା । ଘଣ୍ଟ ଘଣ୍ଟା ସଂକୀର୍ତ୍ତନ ସାଙ୍ଗକୁ ହରିବୋଲ ହୁଳହୁଳି ଧ୍ୱନିରେ ରଥ ଡେଲଟାଗଡା ଛକରୁ ତେଲଙ୍ଗାପେଣ୍ଠ ବଜାର ସ୍ଥିତ ମାଉସୀ ଘରକୁ ଯାଇଥିଲା । ରଥଟଣା ଦେଖିବା ପାଇଁ ଶ୍ରଦ୍ଧାଳୁମାନଙ୍କର ଭିଡ ଲାଗିଥିଲା ।

ସେହିପରି ଗୋପାଳପୁର କାଠଯୋଡି ବାଟିକା ଜଗନ୍ନାଥ ମନ୍ଦିର ପକ୍ଷରୁ ଆୟୋଜିତ ରଥଯାତ୍ରା ରେ ରଥରେ ରାଜା ଲିଙ୍ଗରାଜ ସାହୁ ଛେରାପହଁରା କରିସାରିବା ପରେ ରଥଟଣା କାର୍ଯ୍ୟ ଆରମ୍ଭ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ କୀର୍ତ୍ତି କାନ୍ତ ସ୍ୱାଇଁ, ବିଭୁତି ମହାରଣା, ରଞ୍ଜନ ପାଲ , ପଣ୍ଡିତ ନିରାକାର ଦାଶ, ବନମାଳୀ ଜେନା,ବିମଳ ପ୍ରଧାନ, ବିଜୟ ଦାସ , ସମରେନ୍ଦ୍ର ସ୍ୱାଇଁଙ୍କ ସମେତ ଵହୂ ଶ୍ରଦ୍ଧାଳୁଙ୍କ ଯୋଗ ଦେଇଥିଲେ।

ଉରାଳୀ ର ଦଧୀବାମନ ଜୀୟୁ, ପ୍ରତାପନଗରୀର ରାଧାରମଣ‌ ସେବା କୁଞ, କୁରାଙ୍ଗ ଶାସନ ର ନଡ଼ିଆ ଗୁରୁଡି, ନୂଆ କାଚରାମାଳ, ପୁରୁଣା କାଚରାମାଳ, ଓମଫେଡ କଲୋନୀ,ଭାଣପୁର ଆଦି ବିଭିନ୍ନ ସ୍ଥାନରେ ରଥଯାତ୍ରା ଅନୁଷ୍ଠିତ ହୋଇଥିଲା । ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ କଟକ ସଦର ପୋଲିସ ପକ୍ଷରୁ ବିଭିନ୍ନ ରଥରେ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା ।

Exit mobile version