ରଣପୁର (ଓଡ଼ିଶା ତାଜା ନ୍ୟୁଜ୍) :- ମହାପ୍ରଭୁ ଜଗନ୍ନାଥଙ୍କ ରଥ ଯାତ୍ରା ପାଇଁ ଚଳଚଂଚଳ ହୋଇ ଉଠିଛି ଚକାଶିଳାକ୍ଷେତ୍ର ରଣପୁର । ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଶ୍ରୀଜୀଉ ଙ୍କ ଗୁଣ୍ଡିଚା ଯାତ ଅନୁଷ୍ଠିତ ହୋଇଯାଇଛି । ଆଜି ଅନୁକୂଳ ପାଗ ଯୋଗୁୁ ଆଶାତିତ ଭାବେ ଭକ୍ତ ଙ୍କ ସୁଅ ଛୁଟିଥିଲା । ପାରମ୍ପରିକ ରୀତିନୀତି ଅନୁସାରେ ଚତୁର୍ଦ୍ଧା ମୂର୍ତ୍ତି ଙ୍କ ସମସ୍ତ ନୀତି ସମ୍ପନ୍ନ ହେବା ପରେ ରଥ ଉପରକୁ ପହଣ୍ଡି ବିଜେ ନୀତି ଅନୁଷ୍ଠିତ ହୋଇଥିଲା । ପ୍ରଥମେ ସୁଦର୍ଶନ ଙ୍କୁ ରଥ ଉପରକୁ ପହଣ୍ଡି ବିଜେ କରାଯାଇ ଶ୍ରୀ ବଳଭଦ୍ର , ଦେବୀ ସୁଭଦ୍ରା ଓ ଶେଷରେ ଶ୍ରୀ ଜଗନ୍ନାଥ ଙ୍କ ପହଣ୍ଡି ବିଜେ କରାଯାଇଥିଲା ।
ଏହି ନବ ଦିନାତ୍ମକ ଯାତ୍ରା ରେ ଭକ୍ତ ଓ ଭଗବାନ ଙ୍କ ମଧ୍ୟରେ ଉତ୍କଣ୍ଠା ପରିଲକ୍ଷିତ ହୋଇଥିଲା । ମହାପ୍ରଭୁଙ୍କୁ ରଥ ଉପରେ ଦେଖିବାର ଆଶା ଭକ୍ତ ର ମନ କୁ ଆନ୍ଦୋଳିତ କରିଦେଇଥିବା ଦେଖିବାକୁ ମିଳିଥିଲା । ଦୀର୍ଘ ଏକ ବର୍ଷ ପରେ ରତ୍ନ ସିଂହାସନ ଛାଡ଼ି ଭକ୍ତ ଙ୍କ ଗହଣ ରେ ବଡ ଦାଣ୍ଡ ରେ ଲୀଳାଖେଳା କରିବାକୁ ମହାପ୍ରଭୁ ରଥାରୁଢ଼ ଯାହାକୁ ଦେଖିବା ପାଇଁ ଲକ୍ଷାଧିକ ଭକ୍ତ ଙ୍କ ଭିଡ ଜମିଥିଲା । ଭକ୍ତିର ସହିତ ତିନି ରଥ ଟାଣିବା ପାଇଁ ଭକ୍ତ ଙ୍କ ସମାଗମ ଅତ୍ୟଧିକ ଥିବା ବେଳେ ପ୍ରଶାସନ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ।
ସକାଳ ୫ ଟାରୁ ମଙ୍ଗଳ ଆଳତି , ଅବକାଶ ନୀତି ସମାପନ ପରେ ତିନି ରଥ ପ୍ରତିଷ୍ଠା କରାଯାଇ ସକାଳ ଧୂପ ଓ ମଙ୍ଗଳ ତର୍ପଣ ନୀତି କାନ୍ତି ସାରି ୩ ଟାରେ ଶ୍ରୀ ଜୀଉ ଙ୍କୁ ରଥ ଉପରକୁ ପହଣ୍ଡି କରାଯାଇଥିଲା । ମାଦଳା ପାଞ୍ଜି ଓ କିମ୍ବଦନ୍ତି ଅନୁଯାୟୀ ପୁରୀର ଷୋଳ କଳାରୁ ରଣପୁରରେ ଗୋଟିଏ କଳା ରହିଛି । ପୁରୀରେ ଠାକୁରଙ୍କୁ ଦର୍ଶନ କଲେ ଯେଉଁ ପୁଣ୍ୟ ମିଳେ ରଣପୁରରେ ଠାକୁରଙ୍କୁ ଦର୍ଶନ କଲେ ସେହି ପୁଣ୍ୟ ମିଳେ ବୋଲି ବିଶ୍ୱାସ ରହିଥିବାରୁ ଏଠାରେ ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଲକ୍ଷାଧିକ ଭକ୍ତ ସମାଗମ ହୋଇଥିବା ଦେଖିବାକୁ ମିଳିଥିଲା ।
ଆଜି ସକାଳୁ ନୟାଗଡ ଜିଲ୍ଲା ପୂର୍ବତନ ଖାଉଟି ଫୋରମ ଅଧ୍ୟକ୍ଷ ନାରାୟଣ ମହାପାତ୍ର ତିନି ରଥର ପ୍ରତିଷ୍ଠା କରିଥିଲେ । ପୂର୍ବ ବର୍ଷ ତୁଳନାରେ ଚଳିତ ବର୍ଷ ରଥ ସମ୍ମୁଖରେ ଆକର୍ଷଣୀୟ ଚିତା ଓ ଝୋଟି ପଡିରଥ ସମ୍ମୁଖ ଆକର୍ଷଣୀୟ ହୋଇଥିଲା । ଗତ କାଲି ଠାରୁ ମନ୍ଦିରର ସମ୍ମୁଖ ଦ୍ଵାର ଫୁଲରେ ସଜା ହୋଇ ବେଶ୍ ଆକର୍ଷଣୀୟ ଦେଖାଯାଉଥିଲା । ଗତ କାଲି ଠାରୁ ରଥ ଛେରାପହଁରା ନେଇ ଯେଉଁ ବିବାଦ ଥିଲା ଆଜି ସେଥିରେ ପରିବର୍ତ୍ତନ ହୋଇଥିଲା ।
ରଣପୁର ରାଜା ଛେରାପହଁରା କରିବେ ନାହିଁ ବୋଲି ମନ୍ଦିର ପ୍ରଶାସନ କୁ ରୋକଠୋକ ଶୁଣାଇ ଦେଇଥିଲା ବେଳେ ଗତକାଲି ବିଳମ୍ୱିତ ରାତି ପର୍ଯ୍ୟନ୍ତ ରଣପୁର ବିଧାୟିକା ତଥା ବାଚସ୍ପତି ସୁରମା ପାଢୀ ହସ୍ତକ୍ଷେପ କରିବା ପରେ ଏହି ବିବାଦର ସମାଧାନ ହୋଇଥିଲା । ଯାହାଫଳରେ ରାଜା ଛେରାପହଁରା ନୀତି କରିଥିଲେ । ପୁରୀ ଜଗନ୍ନାଥ ମନ୍ଦିରକୁ ଶ୍ରୀ ଜୀଉଙ୍କ ପାଇଁ ବିଭିନ୍ନ ଜିନିଷ ପୁରୀ ରାଘବଦାସ ମଠ ଯୋଗାଉ ଥିବା ବେଳେ ଶହ ଶହ ବର୍ଷର ପରମ୍ପରା ଅନୁଯାୟୀ ଆଜି ରାଘବଦାସ ମଠ ତରଫରୁ ତିନି ବୋଝ ଭୋଗ ରଣପୁର ଜଗନ୍ନାଥ ମନ୍ଦିରକୁ ଆସିଥିଲା ।
ଦିନ ୨ଟା ପରେ ରଣପୁର ବଡଦାଣ୍ଡ ଭକ୍ତମୟ ହୋଇଯାଇଥିଲା । ଘଂଟ, ଘଂଟା , ମାଦଳ, ଢୋଲ ଓ ହରିବୋଲ ହୁଳହୁଳିରେ ଓ ପାରମ୍ପାରିକ ଓଡିଶୀ ନୃତ୍ୟ ରେ ଜଗନ୍ନାଥ ମନ୍ଦିର ପରିସର ଭକ୍ତମୟ ହୋଇ ଯାଇଥିଲା । ଅପରାହ୍ନ ୩.୧୫ ରେ ପ୍ରଥମେ ଘରବାହୁ ଠାକୁରଙ୍କୁ ପହଣ୍ଡି କରାଯାଇଥିଲା । ପରେ ସୁଦର୍ଶନଙ୍କୁ ରଥାରୁଢ କରାଯାଇଥିଲା । ବଡ ଠାକୁର ବଳଭଦ୍ରଙ୍କୁ ତାଳଧ୍ଵଜ ରଥ ଉପରକୁ , ମାତା ସୁଭଦ୍ରାଙ୍କୁ ଦେବୀଦଳନ ରଥ ଉପରକୁ ପହଣ୍ଡି କରାଯିବା ପରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କୁ ନନ୍ଦିଘୋଷ ରଥ ଉପରକୁ ପହଣ୍ଡି କରାଯାଇଥିଲା ।
ଶ୍ରୀ ଜୀଉଙ୍କ ପହଣ୍ଡି ବେଳେ ମହିଳା ଓ ପୁରୁଷଙ୍କ ହୁଳହୁଳି ଓ ହରିବୋଲରେ ଏକ ଭକ୍ତିମୟ ପରିବେଷ ସୃଷ୍ଟି ହୋଇଥିଲା । ଠାକୁର ପହଣ୍ଡି ବେଳେ ଓଡିଶୀ ନୃତ୍ୟ ଭକ୍ତମାନଙ୍କୁ ବେଶ ଆକର୍ଷିତ କରିଥିଲା । ମନ୍ଦିର ପ୍ରଶାସନ ପକ୍ଷରୁ ଅପରାହ୍ନ ୫.୩୦ ରେ ସୁସଜ୍ଜିତ ବିମାନ ରେ ବସି ରଣପୁର ମହାରାଜା ଶ୍ରୀ ଦିଲ୍ଲୀପ ନରେନ୍ଦ୍ର ସିଂ ଦେଓ ରଥ ଖଳା ରେ ପହଞ୍ଚି ଛେରା ପହଁରା ନୀତି ସମ୍ପନ୍ନ କରିଥିଲେ ପରେ ୬ ଘଟିକା ସମୟରେ ରଥ ଟଣା ହେବାର ସମୟ ଧାର୍ଯ୍ୟ ହୋଇଥିଲା । ଓଡିଶା ବାଚସ୍ପତି ସୁରମା ପାଢୀ ବଳଭଦ୍ର ଙ୍କ ରଥ ଉପରେ ନିର୍ମାଣ କରିଥିବା ମହାରଣା ମାନଙ୍କୁ ସମ୍ମାନିତ କରିଥିଲେ ।
ଭକ୍ତ ଙ୍କ ସମାଗମ କୁ ଲକ୍ଷ୍ୟ କରି ଶ୍ରୀ ବଳଭଦ୍ର ଙ୍କ ତାଳଧ୍ଵଜ ରଥ ଟଣା ଯାଇଥିଲା । ଅତି ଉତ୍ସୁକତା ର ସହ ଲକ୍ଷାଧିକ ଭକ୍ତଙ୍କ ଗହଳ ରେ ରଥ ଟଣା ହୋଇ ମାଉସୀ ମା ମନ୍ଦିର ପ୍ରାଙ୍ଗଣ ରେ ଲାଗିଥିଲା । ଦେବୀଦଳନ ଓ ନନ୍ଦିଘୋଷ ରଥ ରଥଖଳା ରେ ଅଟକି ରହିଥିଲେ । ରଥଯାତ୍ରାକୁ ସଫଳତାର ସହ ସାରିବାକୁ ରାଜ୍ୟ ସରକାର ଙ୍କ ଜିଲ୍ଲା ପ୍ରଶାସନ ପକ୍ଷରୁ ବହୁବିଧ ପଦକ୍ଷେପ ହାତକୁ ନିଆଯାଇଥିଲା । ଲକ୍ଷାଧିକ ଭକ୍ତ ଙ୍କ ସମାଗମ କୁ ଲକ୍ଷ୍ୟ କରି ପାନୀୟ ଜଳ ଓ ଆମ୍ବୁଲାନ୍ସର ବ୍ୟବସ୍ଥା ରହିଥିଲା ।
ଏଥିସହିତ ଶାନ୍ତି ଶୃଙ୍ଖଳା କୁ ଲକ୍ଷ୍ୟ କରି ୨ ପ୍ଲାଟୁନ ରୁ ଅଧିକ ପୋଲିସ କର୍ମଚାରୀ ଙ୍କୁ ନିୟୋଜିତ କରାଯାଇଥିଲା । ଆଜି ସ୍ଥାନୀୟ ଦୁର୍ଗା ମଣ୍ଡପ ଉପରେ ନାରାୟଣ ମହାପାତ୍ର , ସୁଦର୍ଶନ ବେହେରା, ଡଃ ପ୍ରଶାନ୍ତ ମିଶ୍ର , ବିରଂଚି ତ୍ରିପାଠି, ଡଃ କଳ୍ପନା ରଥ, ବାଳକୃଷ୍ଣ ମିଶ୍ର, କିଶୋର ଭଞ୍ଜ, ପ୍ରଭାସ ରଞ୍ଜନ ମହାପାତ୍ର ଗୁଣ୍ଡିଚା ଯାତ୍ରାର ଧାରା ବିବରଣୀ ବର୍ଣ୍ଣନା କରିଥିଲେ । ସନ୍ଧ୍ୟାରେ ସତ୍ୟନରାୟଣ ମହାପାତ୍ର ଙ୍କ ତ୍ୱତବଧାନରେ ସ୍ଥାନୀୟ ଦୋଳ ମଣ୍ଡପ ଉପରେ ଏକ ଭଜନ ସମାରୋହ ଚାଲିଥିଲା ।