ଭାପୁର (ଓଡ଼ିଶା ତାଜା ନ୍ୟୁଜ୍) :- ଭାପୁର ବ୍ଲକ ସଦର ମହକୁମା ସ୍ଥିତ ବାଲୁଙ୍କେଶ୍ୱର ଦେବ ବିଦ୍ୟାପୀଠ ପରିସରରେ ଗୁରୁବାର ଦିନ ଗୋପବନ୍ଧୁଙ୍କ ୯୭ ତମ ଶ୍ରାଦ୍ଧ ଦିବସ ଅବସରରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନିତ୍ୟାନନ୍ଦ ଦାସଙ୍କ ପୌରହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ଭାପୁର କ୍ରିୟାନୁଷ୍ଠାନ କମିଟିର ସଭାପତି ତଥା ବରିଷ୍ଠ ସାମ୍ବାଦିକ ରବୀନ୍ଦ୍ର କୁମାର ପଟ୍ଟନାୟକ, ସମାଜସେବୀ ପ୍ରଫୁଲ୍ଲ କୁମାର ସାହୁ, ଗଙ୍ଗାଧର ବାରିକ, ଲକ୍ଷ୍ମଣ କୁମାର ସାହୁ, ସାମ୍ବାଦିକ ଶିଶିର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।
ଉତ୍କଳର ମଣି ପଣ୍ଡିତ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ ପରେ ଏକ ଶ୍ରଦ୍ଧାଞ୍ଜଳି ସଭା ହୋଇଥିଲା । ଉକ୍ତ ସଭାରେ ବରିଷ୍ଠ ସାମ୍ବାଦିକ ଶ୍ରୀ ପଟ୍ଟନାୟକ ପଣ୍ଡିତ ଗୋପବନ୍ଧୁଙ୍କ ଜୀବନୀ ବିଷୟରେ ଉପସ୍ଥିତ ଥିବା ଛାତ୍ର ଛାତ୍ରୀ ମାନଙ୍କୁ ସମ୍ୟକ ସୂଚନା ଦେବା ସହ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଅତି କମ୍ ରେ ଗୋଟିଏ ଦିନ ନିଜକୁ ଜନ ସେବାରେ ନିୟୋଜିତ କରିବାକୁ ପରାମର୍ଶ ଦେଇଥିଲେ । ସେହିପରି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନିତ୍ୟାନନ୍ଦ ଦାସ ଓ ସମାଜସେବୀ ପ୍ରଫୁଲ୍ଲ କୁମାର ସାହୁ ଓଡିଶାବାସୀ ତଥା ଜନ ସମାଜ ପ୍ରତି ଗୋପବନ୍ଧୁଙ୍କ ସେବା ଓ ତ୍ୟାଗ ବିଷୟରେ ଛତ୍ର ଛାତ୍ରୀ ମାନଙ୍କୁ ପୁଙ୍ଖାନୁପୁଙ୍ଖ ଭାବରେ ଅବଗତ କରାଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟତ୍ରୀ, କର୍ମଚାରୀ ଓ ଛାତ୍ର ଛାତ୍ରୀମାନେ ଉପସ୍ଥିତ ଥିଲେ l
