ତିନିରରେ ପାର୍ଶ୍ବଦେବାଦେବୀ ଫିଟିଙ୍ଗ

ପୁରୀ (ଓଡ଼ିଶା ତାଜା ନ୍ୟୁଜ୍)  :- ଆଉ ଦୁଇଦିନ ପରେ ପବିତ୍ର ଶ୍ରୀଗୁଣ୍ଡିଚା ଯାତ୍ରା । ତିନିରଥର ନିର୍ମାଣ କାର୍ଯ୍ଯ ଶେଷ ହୋଇ କନାମଣ୍ଡଳି କାର୍ଯ୍ଯ ଜାରି ରହିଛି । ୨୬ ତାରିଖ ଦିନ ତିନିରଥ ଦକ୍ଷିଣମୋଡ ହୋଇ ସିଂହଦ୍ବାର ଠାରେ ଲାଗିବ। ରଥଖଳାର ଛାମୁଣ୍ଡିଆ ଖୋଲା ହୋଇଯାଇଛି । ଆଉ ଅଳ୍ପ କାମ ରହିଛି । ଜୋରସୋରରେ ଶେଷ କରିବା ପାଇଁ ମହାରଣା ସେବକ ମାନେ ଲାଗିପଡିଛନ୍ତି । ରଥ ନିର୍ମାଣର ୫୫ ତମ ଦିବସରେ ରଥ ନିର୍ମାଣକାରୀ ରଥ ନିର୍ମାଣ ପାର୍ଶ୍ଵ ଦୁଆର ବେଢ଼ା ରଥ ଉପରକୁ ଉଠିବା ସହ ଚନ୍ଦ୍ର ଶାଳୀ ରେ ଧ୍ଵଜ ବତା ଲାଗି ହୋଇ ତିନିରଥ ର ମୁଣ୍ଡଣି ବତା ଫିଟିଙ୍ଗ ଶେଷ ହୋଇଯାଇଛି ।

ରୂପକାର ସେବକ ମାନେ ତିନି ରଥର ପ୍ରଭାରେ ରୂପ ଖୋଦେଇ କାର୍ଯ୍ୟ ସମ୍ପୂର୍ଣ୍ଣ କରିଛନ୍ତି । ଚିତ୍ରକାର ସେବକ ମାନେ ଖୋଦେଇ ରୂପରେ ରଙ୍ଗ ଚିତ୍ର କାର୍ଯ୍ୟ କରୁଛନ୍ତି । ଚିତ୍ରକାର ସେବକ ମାନେ ତିନିରଥ ପ୍ରଭାରେ ରଙ୍ଗ କାର୍ଯ୍ୟ ପାଇଁ ପ୍ରଭା ଗୁଡ଼ିକରେ ଧଳା ପ୍ରାଇମର ବୋଳା ଶେଷ କରିଛନ୍ତି। ପ୍ରାଇମର ଶୁଖିଲା ପରେ ପ୍ରଭା ରେ ରଙ୍ଗ ଚିତ୍ର ଆଙ୍କନ କରୁଛନ୍ତି । ତାଳ ଧ୍ଵଜ ରଥ ପ୍ରଭାରେ ଖୋଦେଇ ରୂପରେ ରଙ୍ଗ ଚିତ୍ର ସହ ପ୍ରଭା ମଝି ଭାଗରେ ପଦ୍ମ କଢି ଆଙ୍କିବା ସହ ପ୍ରଭା ଦୁଇ ପାର୍ଶ୍ୱରେ ଶିବ ଏବଂ ନାରଦଙ୍କ ଚିତ୍ର ଅଙ୍କନ କରୁଛନ୍ତି ।

ସେହିପରି ଦର୍ପଦଳନ ରଥ ପ୍ରଭାରେ ପଦ୍ମ କଢି ସହ ପ୍ରଭା ଦୁଇ ପେଟ ଗଙ୍ଗା, ଯମୁନା ଙ୍କ ଚିତ୍ର ଏବଂ ନନ୍ଦିଘୋଷ ରଥ ପ୍ରଭାରେ ପଦ୍ମ କଢି ସହ ଦୁଇ ପାର୍ଶ୍ୱରେ ଇନ୍ଦ୍ର ଏବଂ ବ୍ରହ୍ମା ଙ୍କ ଚିତ୍ର ଅଙ୍କନ କରୁଛନ୍ତି ।ଏଥିସହ ଚିତ୍ରକାର ସେବକ ମାନେ ତିନି ରଥର ସିଂହାସନ ବେଦୀ ତିନି ପାର୍ଶ୍ଵରେ ଗାଈ ପଲ୍ଲ ଚିତ୍ର ଅଙ୍କନ ଶେଷ କରିଛନ୍ତି । ଏଥିସହ ନନ୍ଦିଘୋଷ ରଥର ଚକ, ଦଣ୍ଡା , ଗୁଜ , ବାହ୍ୟ ଅଂଶ ଗୁଡ଼ିକରେ ଆବଶ୍ୟକୀୟ ରଙ୍ଗ ଶେଷ କରି ତାଳଧ୍ଵଜ ରଥ ଏବଂ ଦର୍ପ ଦଳନ ରଥର ବାହ୍ୟ ଅଂଶରେ ରଙ୍ଗ କାର୍ଯ୍ୟର ଶେଷ ସ୍ପର୍ଶ ଦେଉଛନ୍ତି । ଏଥିସହ ଘୋଡ଼ା, ସାରଥୀଙ୍କ ରଙ୍ଗ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଁଚିଛି ।

ଦରଜୀ ସେବକ ମାନେ ତିନି ରଥର ୧୨ ଟି ଚନ୍ଦ୍ର ଶାଳୀ , ୧୨ ଟି ଅଁଳା ଶ୍ରୀ , କନା କାର୍ଯ୍ୟ ଶେଷ ହେବାସହ ମହାପ୍ରଭୁଙ୍କ ପହଣ୍ଡି ପାଇଁ ଚକା ଅପସରା କାର୍ଯ୍ୟ ଶେଷ କରି କନକ ମୁଣ୍ଡି ପାଇଁ ଚାନ୍ଦୁଆ ସହ ଉଡା ଚାନ୍ଦୁଆ ଏବଂ ସାରଥି ପୋଷାକ ଆରମ୍ଭ କରିଛନ୍ତି । ଦୋଳବେଦୀ ଅସ୍ଥାୟୀ କମାର ଶାଳ ରେ ଓଝା ସେବକ ମାନେ ତିନିରଥ କଳସ କଣ୍ଟା,

ଶୁଆ କଣ୍ଟା ଯୋଗାଇ ସାରିବା ପରେ ତିନିରଥ ର ୪ ଟି ଲେଖାଏଁ ପ୍ରଭା ବିଡିଆ କଣ୍ଟା ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ରଥଖଳାରେ ମହାରଣା ସେବକ, ଭୋଇ ସେବକ, କରତି ସେବକ, କମାର ସେବକ, ରୂପକାର ସେବକ, ତୁମ୍ବ ବିନ୍ଧ କାରୀଗର, ପାହି ମହାରଣା, ଚିତ୍ରକାର ସେବକ ଓ ରଥଖଳା ସହାୟକ କାର୍ଯ୍ଯରତ ଅଛନ୍ତି ।

Exit mobile version