ନୋଏଡ଼ା/ନୂଆଦିଲ୍ଲୀ (ଓଡ଼ିଶା ତାଜା ନ୍ୟୁଜ୍) :- ନୋଏଡ଼ାଠାରେ ପ୍ରଥମ ଥର ପାଇଁ ବହୁ ଆଡ଼ମ୍ବର ଏବଂ ଖୁବ ଜାକଜମକରେ ରଜ ପର୍ବ ପାଳନ କରାଯାଇଥିବା ଜଣାଯାଇଛି । ଏହି ଉପଲକ୍ଷେ ଉତ୍ସବ ସ୍ଥଳ ନୋଏଡ଼ା ଷ୍ଟାଡିୟମର ରାମଲୀଳା ମୈଦାନକୁ ଖୁବ ସୁନ୍ଦର ଭାବରେ ସଜାଯାଇ,ଏକ କ୍ଷୁଦ୍ର ଓଡ଼ିଶାର ରୂପ ପ୍ରଦାନ କରାଯାଇଥିବା ଲକ୍ଷ୍ୟ କରାଯାଇଥିଲା। ସାମୁଦାୟିକ ବିକାଶ ସମିତି ଆନୁକୂଲ୍ୟରେ ଆୟୋଜିତ ଏହି ଦୁଇଦିନିଆ ସମାରୋହରେ ଓଡ଼ିଶାର ଉତ୍କୃଷ୍ଟ କଳା, ଉନ୍ନତ ସଂସ୍କୃତି ଏବଂ ଉତ୍ତୁଙ୍ଗ ଐତିହ୍ଯର ଭବ୍ୟ ସମାରୋହ ଘଟିଥିବା ଦେଖାଯାଇଥିଲା । ଓଡ଼ିଶାର ସବୁଠୁ ଲୋକପ୍ରିୟ ଗଣପର୍ବ ଭାବରେ ପରିଗଣିତ ରଜ ମାତୃ ଉପାସନା ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ ।
