ଦକ୍ଷିଣାଭିମୁଖେ ଵିଷ୍ଣୌ ସ୍ନାନକାଳେ ନୃପୋତ୍ତମ ।
ବିଷ୍ଣୋର୍ନିରାଜନବିଧିଂ ଯେ ପଶ୍ୟନ୍ତି ଚ ଭକ୍ତିତଃ। ।
ପଦେ ପଦେऽଶ୍ବମେଧାନାଂ ଫଳଂ ତେଷାଂ ଭବେତ୍ ଧୃବମ୍ ।
ମନୋରଥସ୍ୟ ସଂସିଦ୍ଧିସ୍ତେଷାଂ ଭବତି ତତ୍-କ୍ଷଣାତ୍ ।
ଅନ୍ତେ ବୈକୁଣ୍ଠଭବନଂ ତେ ଚ ଗଚ୍ଛନ୍ତି ମାନବାଃ ।
( ସ୍କନ୍ଦ ପୁରାଣ, ଉତ୍କଳ ଖଣ୍ଡ )
ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) :- ସ୍ନାନମଣ୍ଡପରେ ଦକ୍ଷିଣାଭିମୁଖି ଶ୍ରୀଜଗନ୍ନାଥାଦିଙ୍କୁ ଯେଉଁମାନେ ଦର୍ଶନ କରନ୍ତି ବା ଆରତୀକୁ ଭକ୍ତି ସହକାରେ ଦର୍ଶନ କରନ୍ତି ସେମାନେ ଅଶ୍ୱମେଧ ଯଜ୍ଞର ଫଳଲାଭ କରନ୍ତି । ସେମାନଙ୍କର ସକଳ ମନୋରଥ ପୂରଣ ହୋଇଥାଏ । ଅନ୍ତ କାଳରେ ସେମାନେ ବୈକୁଣ୍ଠ ପୁରକୁ ଗମନ କରନ୍ତି। ପୁରୁଷୋତ୍ତମ କ୍ଷେତ୍ରରେ ମହାପ୍ରଭୁଙ୍କ ସ୍ନାନ ଉତ୍ସବ ବା ମଞ୍ଚସ୍ନାନ ଏକ ଶାସ୍ତ୍ରୀୟ ଭିତ୍ତ ଭୂମିର ଲୀଳା । ଏହାହିଁ ଦେବସ୍ନାନ ପୂର୍ଣ୍ଣିମା ବା ସ୍ନାନଯାତ୍ରା, ଜ୍ୟେଷ୍ଠ ମାସ ଶୁକ୍ଳପକ୍ଷ ପୂର୍ଣ୍ଣିମା ତିଥିରେ ଶ୍ରୀକ୍ଷେତ୍ରରେ ପାଳନ କରାଯାଏ । ଏହି ଦିନ ଶ୍ରୀମନ୍ଦିରର ସ୍ନାନ ମଣ୍ଡପରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ପାରମ୍ପରିକ ରୀତିରେ ବେଦଧ୍ଵନି ପୂର୍ବକ ୧୦୮ କଳସୀ ଜଳରେ ସ୍ନାନ କରାଯାଏ । ଏହା ପରେ ଦିଅଁମାନଙ୍କୁ ଗଜାନନ ବେଶରେ ସଜ୍ଜିତ କରାଯାଇଥାଏ ।
