କଳାହାଣ୍ଡି (ଓଡ଼ିଶା ତାଜା ନ୍ୟୁଜ୍) :- କଳାହାଣ୍ଡି ଜିଲ୍ଲା ନର୍ଲା ତହସିଲ୍ ଅନ୍ତର୍ଗତ ଗିଗିନା ପଞ୍ଚାୟତର ଗିଧାମାଲ୍ ଗ୍ରାମବାସୀଙ୍କ ମିଳିତ ପ୍ରୟାସରେ ଗ୍ରାମର ଚାରି ପାଖରେ ଥିବା ଗୋଚର ଓ ଅନାବାଦୀ ଜମି ସବୁ ଏବେ ଉଦ୍ଧାର ହୋଇଛି।କିଛି ବର୍ଷ ହେଲା ଉକ୍ତ ଗାଁର ଏକର୍ ଏକର୍ ଗୋଚର ଓ ଅନାବାଦୀ ଜମିକୁ ସ୍ଥାନୀୟ ଲୋକେ ବେନିୟମ ଭାବେ କବଜା କରି ବିଭିନ୍ନ ପ୍ରକାର ଚାଷ କରୁଥିଲେ। ଫଳରେ ଗାଁର ଗୋରୁ, ମଇଁଷି, ଛେଳି , ମେଣ୍ଢା ଚରାଇବା ପାଇଁ ଅସୁବିଧା ହେଉଥିଲା ।
ସେଥିପାଇଁ ସମସ୍ତ ଗ୍ରାମବାସୀ ଏକତ୍ରିତ ହୋଇ ଉକ୍ତ ଜମିକୁ ଚିହ୍ନଟ କରିବା ପାଇଁ ପ୍ରଥମେ ଆଲୋଚନା କରିବା ପରେ ଲିଖିତ ଆକାରରେ ପ୍ରଶାସନକୁ ଜଣାଇ ଥିଲେ । ନର୍ଲା ତହସିଲଦାରଙ୍କ ନିର୍ଦ୍ଦେଶ କ୍ରମେ ରୁପ୍ରା ଆର୍ ଆଇ ଉକ୍ତ ଗାଁକୁ ଯାଇ ଗ୍ରାମବାସୀଙ୍କ ସହଯୋଗରେ ସମସ୍ତ ଗୋଚର ଓ ଅନାବାଦୀ ଜମିକୁ ଚିହ୍ନଟ କରିଥିବା ଦେଖିବାକୁ ମିଳିଛି । ଗ୍ରାମବାସୀଙ୍କ ଏଭଳି ପ୍ରୟାସକୁ ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରିବା ସହିତ ଅନ୍ୟ ଗାଁର ଲୋକଙ୍କ ପାଇଁ ଏକ ପ୍ରେରଣା ସ୍ରୋତ ହେବ ବୋଲି ଚର୍ଚ୍ଚା ହେଉଛି ।
