ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) :- ନବରଙ୍ଗପୁର ଜିଲ୍ଲା ଚାଷୀ ମହାସଂଘ ପକ୍ଷରୁ ଶୁକ୍ରବାର ଭୁବନେଶ୍ୱରସ୍ଥିତ ଲୋୟର ପିଏମ୍ଜିଠାରେ ଅହୋରାତ୍ର ଧାରଣା ଦିଆଯାଇଛି । ଏହି ଧାରଣା ୭ ଦିନ ପର୍ଯ୍ୟନ୍ତ ଚାଲୁ ରହିବ । ଜିଲ୍ଲା ଚାଷୀମାନଙ୍କର ଧାନକିଣାରେ ଦୁର୍ନୀତି ଏବଂ ଚାଷୀଙ୍କ ଠାରୁ ଧାନ କିଣି ସରକାର ଏପର୍ଯ୍ୟନ୍ତ ଟଙ୍କା ପଇଠ ନ କରିବା ପ୍ରସଙ୍ଗରେ ଏହି ଧାରଣା ଦିଆଯାଇଛି । ନବରଙ୍ଗପୁର ବିଶେଷକରି ରାଇଘର ବ୍ଲକର ପ୍ରାୟ ୧୦୦ରୁ ଉର୍ଦ୍ଧ୍ୱ ଚାଷୀ ଏହି ଧାରଣାରେ ଅଂଶଗ୍ରହଣ କରିଛନ୍ତି । ନବରଙ୍ଗପୁରର ପୂର୍ବତନ ସାଂସଦ ଶ୍ରୀ ପ୍ରଦୀପ ମାଝୀ ଏହି ଧାରଣାରେ ଅଂଶଗ୍ରହଣ କରି କହିଲେ ଯେ, ବିଜେପି ସରକାର ଧାନକିଣା ଦୁର୍ନୀତିରେ ବୁଡ଼ି ରହିଛନ୍ତି ଏବଂ ଚାଷୀଙ୍କର ରକ୍ତ ଶୋଷଣ କରୁଛନ୍ତି ।

ରାଇଘର ବ୍ଲକର ୩୪୪ଜଣ ଚାଷୀଙ୍କର ୧୪୨୫୨.୫୨ କୁଇଣ୍ଟାଲ ଧାନ ମଣ୍ଡିରୁ କିଣି ତାହାର ଦେୟ ୪ କୋଟି ୪୧ ଲକ୍ଷ ୮୨ ହଜାର ୬୮୬ ଟଙ୍କା ୪ ମାସ ହେବ ସରକାର ଚାଷୀଙ୍କୁ ଦେଉନାହାଁନ୍ତି । ନିୟମ ଅଛି ଯେ, ମଣ୍ଡିରୁ ଧାନ ଉଠିବାର ୪୮ ଘଣ୍ଟା ମଧ୍ୟରେ ଚାଷୀଙ୍କୁ ତାର ଧାନ ବିକା ଟଙ୍କା ଦିଆଯିବା କଥା । କିନ୍ତୁ ସରକାର କଣ ପାଇଁ ରାଇଘର ଚାଷୀଙ୍କୁ ଭୁଆଁ ବୁଲାଉଛନ୍ତି ସେ ନେଇ ଶ୍ରୀ ମାଝୀ ପ୍ରଶ୍ନ କରିଛନ୍ତି । ସେ କହିଛନ୍ତି, ରାଇଘର ଚାଷୀଙ୍କ ଟଙ୍କା ହଡ଼ପ ହୋଇଯାଇନି ତ? ଚାଷୀମାନେ ଧାର କରଜ ସୁଧ ଟଙ୍କା ଲଗାଇ ଚାଷ କରିଥିଲେ ଏବଂ ମାସକୁ ମାସ ସୁଧ ଗଣୁଛନ୍ତି । ହେଲେ ଚାଷୀଙ୍କର ଧାନବିକା ଟଙ୍କା ସରକାରଙ୍କ ପାଖରେ ପଡ଼ିରହିଛି ।
ଯାହାଫଳରେ ଚାଷୀମାନେ ସୁଧ ଟଙ୍କା ପରିଶୋଧ କରିବାକୁ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଏବଂ ଚାଷୀ କିପରି ସେମାନଙ୍କ ପରିବାର ପ୍ରତିପୋଷଣ କରିବେ ସେମାନଙ୍କ ମଧ୍ୟରେ ଭାଳେଣି ପଡ଼ିଲାଣି । ସୁତରାଂ ମୋହନ ଚରଣ ମାଝୀ ଆଦିବାସୀ ମୁଖ୍ୟମନ୍ତ୍ରୀ ହୋଇ ମଧ୍ୟ ଆଦିବାସୀ ଚାଷୀଙ୍କୁ ହଇରାଣ ହରକତ କରିବା ସହ ଶୋଷଣ କରୁଛନ୍ତି ବୋଲି ଶ୍ରୀ ମାଝୀ ଅଭିଯୋଗ କରିଛନ୍ତି । ଚାଷୀଙ୍କ ଧାନବିକ୍ରି ଟଙ୍କା ତୁରନ୍ତ ସୁଧ ସହ ଫେରାଇବା ପାଇଁ ମହାସଂଘ ପକ୍ଷରୁ ଦାବି କରାଯାଇଛି । ଏହି ଧାରଣାରେ ୪ଗୋଟି ଦାବି ଉପସ୍ଥାପନ କରାଯାଇଛି । ଅନ୍ୟ ତିନିଗୋଟି ପ୍ରସଙ୍ଗ ହେଲା ସରକାର ଦାବି କରୁଛନ୍ତି ନବରଙ୍ଗପୁର ଜିଲ୍ଲାରୁ ୨୬ ଲକ୍ଷ କୁଇଣ୍ଟାଲ ଧାନ କିଣାଯାଇଛି ।