ଶ୍ରୀମନ୍ଦିର କାର୍ଯ୍ଯାଳୟ ନୂଆ କୋଠାକାନ୍ଥରେ ଫାଟ ଖଟେଇ ଆସିଥିଲେ କାହିଁକି ..?

ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) :- ଶ୍ରୀମନ୍ଦିର ପରିକ୍ରମା ମାର୍ଗ ପାର୍ଶ୍ବ ଦୋଳବେଦୀ କୋଣରେ ଥିବା ଶ୍ରୀମନ୍ଦିର କାର୍ଯ୍ଯାଳୟର ନୂଆ କୋଠାରେ ଫାଟ ଦେଖାଯାଇଛି । ଏବେ ନିର୍ମାଣ ହୋଇଥିଲେ ମଧ୍ଯ ଫାଟ କାହିଁକି ସୃଷ୍ଟି ହେଲା, ଛାତ ଉପର ଚାପ ସୃଷ୍ଟି ହେଲାକି, ନିମ୍ନମାନର ସିମେଣ୍ଟ, ବାଲି, ଗୋଡି ଓ ଛଡ ବ୍ଯବହାର ଯୋଗୁ ଏହା ଫାଟି ଯାଇନିତ ବୋଲି ଆଲୋଚନା ହେଉଛି । ଦ୍ବିତୀୟ ମହଲା ଓ ତୃତୀୟ ମହଲାର ଝରକା ତଳେ ଏହି ଫାଟ ଲମ୍ବି ରହିଥିବା ଦେଖିବାକୁ ମିଳିଛି ।

କାମ ପରେ ପ୍ରଚୁର ପାଣି ଦିଆନଗଲେ ଏଭଳି ଅବସ୍ଥା ସୃଷ୍ଟି ହୁଏ ବୋଲି କେତେକ ରାଜମିସ୍ତ୍ରୀ ମତ ଦେଇଛନ୍ତି । ଏହି ଫାଟ ଅତି ଗୁରୁତର ଥିବାରୁ ଠିକାଦାର ଖଟେଇ ବାବୁଙ୍କ ଆବିର୍ଭାବ ଦେଖିବାକୁ ମିଳିଥିଲା । ଏବେ ନୂଆ କାମ ହୋଇ ଯଦି କାନ୍ଥର ଅବସ୍ଥା ଏପରି ହେଲା ତାହାଲେ ଆଗକୁ ଯଦି ଅଘଟଣ ଘଟେ ତାହାଲେ ଏଥିପାଇଁ କିଏ ଦାୟୀ ରହିବ ବୋଲି ଚର୍ଚ୍ଚା ହେଉଛି ।

ଏହା ଅତି ଜନଗହଳିପୂର୍ଣ୍ଣ ଅଞ୍ଚଳ ଓ ମନ୍ଦିର ମୁଖ୍ଯ କାର୍ଯ୍ଯାଳୟ ହୋଇଥିବାରୁ ଏହା ଅତି ସ୍ପର୍ଶକାତର ଘଟଣା ବୋଲି ବିଶେଷଜ୍ଞ ମାନେ ମତ ଦେଇଛନ୍ତି । ଘଟଣା ଅତି ଗୁରୁତର ନହେଲେ ଖଟେଇ ବାବୁଙ୍କ ଡକା ଯାଏନାହିଁ ବୋଲି କେତେକ ଇଂଜିନିୟର କୁହାକୁହି ହେଉଥିବା ଶୁଣିବାକୁ ମିଳିଥିଲା । ଏଥିପ୍ରତି ଶ୍ରୀମନ୍ଦିର ପ୍ରଶାସନ ଓ ଠିକା ସଂସ୍ଥା ଦୃଷ୍ଟି ଦେବା ପାଇଁ ଭକ୍ତ ମହଲରେ ଦାବି ହେଉଛି ।

Exit mobile version