ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) :- ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ରାଜ୍ୟ କଂଗ୍ରେସ କାର୍ଯ୍ୟାଳୟ ଠାରେ ପ୍ରଦେଶ ଯୁବ କଂଗ୍ରେସ ସଭାପତି ଶ୍ରୀ ରଣଜିତ ପାତ୍ରଙ୍କ ଅଧ୍ୟକ୍ଷତାରେ ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ଶ୍ରୀ ଭକ୍ତ ଚରଣ ଦାସ ଏବଂ ଓଡ଼ିଶା ପ୍ରଭାରୀ ଶ୍ରୀ ଅଜୟ କୁମାର ଲଲ୍ଲୁ ଯୋଗଦେଇଥିଲେ । ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ଶ୍ରୀ ଭକ୍ତ ଚରଣ ଦାସ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ ବୁଥ ସ୍ତରରୁ କିଭଳି ଭାବରେ ଯୁବ କଂଗ୍ରେସକୁ ମଜବୁତ କରାଯିବ ସେଥିପାଇଁ ଖସଡ଼ା ପ୍ରସ୍ତୁତ କରନ୍ତୁ ।
ଯୁବ କଂଗ୍ରେସର ନେତୃବୃନ୍ଦମାନେ ତୃଣମୂଳ ସ୍ତରରେ ଯାଇ ଦଳକୁ ସଂଗଠିତ କରନ୍ତୁ । ସମସ୍ତ ପଞ୍ଚାୟତ ଏବଂ ବୁଥସ୍ତରରେ ଯୁବ କଂଗ୍ରେସର କର୍ମୀମାନେ ସାଧାରଣ ଜନତାଙ୍କର ସମସ୍ୟା, ସରକାରଙ୍କର ଦୁର୍ନୀତି ଓ ଭ୍ରଷ୍ଟାଚାର, ସଂଖ୍ୟାଲଘୁ ସମ୍ପ୍ରଦାୟଙ୍କ ସୁରକ୍ଷା, ସାମାଜିକ ନ୍ୟାୟ, ଧାର୍ମିକ ସହନଶୀଳତା, ଦରଦାମ ବୃଦ୍ଧି, ବେକାରୀ, ଦାରିଦ୍ର୍ୟ ପ୍ରସଙ୍ଗରେ ସ୍ୱର ଉତ୍ତୋଳନ କରନ୍ତୁ । ଓଡ଼ିଶା ପ୍ରଭାରୀ ଶ୍ରୀ ଲଲ୍ଲୁଜୀ ତାଙ୍କ ବକ୍ତବ୍ୟରେ କହିଲେ ଯେ ଯୁବ କଂଗ୍ରେସ ହେଉଛି କଂଗ୍ରେସ ଦଳର ମେରୁଦଣ୍ଡ ଏବଂ ଏକ ମୁଖ୍ୟ ସାମ୍ମୁଖ୍ୟ । ଓଡ଼ିଶାରେ କଂଗ୍ରେସ ଦଳକୁ ସରକାରକୁ ଆଣିବାପାଇଁ ଯୁବ କଂଗ୍ରେସର ଅବିଶ୍ରାନ୍ତ ଓ ନିଷ୍ଠାର ସହ ସଂଗ୍ରାମ ଓ କାର୍ଯ୍ୟକ୍ରମ ଏକମାତ୍ର ମାଧ୍ୟମ । ଯୁବକମାନେ ହିଁ ପରିବର୍ତ୍ତନର ସୂତ୍ରଧର ।
