୧୮ବର୍ଷ ଧରି ନିୟମିତ ଅଭିଯୋଗ କୁ ଅଣଦେଖା : ରଣପୁର ଅଂଚଳରେ ତୀବ୍ର ଅସନ୍ତୋଷ ବାଚସ୍ପତି ଙ୍କ ହସ୍ତକ୍ଷେପ ପାଇଁ ନିବେଦନ

ଗଣତନ୍ତ୍ରର ପବିତ୍ର ମନ୍ଦିର ରାଜ୍ୟ ବିଧାନସଭା ରେ ଐତିହାସିକ ତ୍ରୁଟି ସଂଶୋଧିତ ହେଉନାହିଁ । ଉଚ୍ଚ ନ୍ୟାୟାଳୟର ନିର୍ଦେଶ ସତ୍ୱେ ଓ ବିଗତ ୧୮ବର୍ଷ ଧରି ନିୟମିତ ଅଭିଯୋଗ କୁ ଅଣଦେଖା କରିଚାଲିଛନ୍ତି l ଦାୟିତ୍ୱ ସମ୍ପର୍ଣ୍ଣ ବିଧାନସଭା କାର୍ଯ୍ୟାଳୟ l ରଣପୁର ଅଂଚଳରେ ତୀବ୍ର ଅସନ୍ତୋଷ ବାଚସ୍ପତି ଙ୍କ ହସ୍ତକ୍ଷେପ ପାଇଁ ନିବେଦନ ।

ଟାଙ୍ଗୀ (ଓଡ଼ିଶା ତାଜା ନ୍ୟୁଜ୍) :- ରଣପୁରର ପ୍ରଥମ ମନୋନୀତ ବିଧାୟକ ମୁରଲୀଧର ଦାସଙ୍କ ନାମ ନଥିବା ହେତୁ ଗଣତନ୍ତ୍ର ର ପବିତ୍ର ମନ୍ଦିର ଆମ ରାଜ୍ୟ ବିଧାନସଭା ରେ ଏହି ଐତିହାସିକ ତ୍ରୁଟି କୁ ସଂଶୋଧନ କରିବା ପାଇଁ ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦେଶ ଓ ବିଗତ ୧୮ବର୍ଷ ଧରି ନିୟମିତ ତଥ୍ୟଭିତିକ ଅଭିଯୋଗ ସତ୍ୱେ ବିଧାନସଭା କାର୍ଯ୍ୟାଳୟ ଏହାକୁ ଅଣଦେଖା କରୁଥିବାରୁ ରଣପୁର ଅଂଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଥିବା ପରିପ୍ରେକ୍ଷୀରେ ରଣପୁରର ପୂର୍ବତନ ବିଧାୟକ, ସଚେତନ ବରିଷ୍ଠ ନାଗରିକ, ଆଇନଜୀବୀ, ସମାଜସେବୀ ନିର୍ବାଚିତ ପ୍ରତିନିଧି ପ୍ରମୁଖ ବାଚସ୍ପତି ସୁରମା ପାଢ଼ୀ ଙ୍କ ଦୃଷ୍ଟି ଆକର୍ଷଣ କରିଥିବା ଜଣାପଡିଛି ।

ସୌଭାଗ୍ୟ କ୍ରମେ ଶ୍ରୀମତୀ ପାଢ଼ୀ ମଧ୍ୟ ରଣପୁରର ଜନପ୍ରିୟ ବିଧାୟିକା ଅଛନ୍ତି। ପ୍ରକାଶ ଯୋଗ୍ୟ, ଦେଶ ସ୍ୱାଧୀନ ହେବାପରେ ୧୯୪୮ମସିହାରେ ଦେଶୀୟ ରାଜ୍ୟ (ଗଡଜାତ ) ମିଶ୍ରଣ ପ୍ରକ୍ରିୟାରେ ଅଭିଭକ୍ତ ପୁରୀ ଜ଼ିଲାର ନୟାଗଡ଼, ରଣପୁର, ଖଣ୍ଡପଡା ଓ ଦଶପଲା ଇତ୍ୟାଦି ଗଡଜାତ ଗୁଡିକର ମିଶ୍ରଣ ଓଡିଶା ପ୍ରଦେଶ ସହିତ ସମ୍ପର୍ଣ୍ଣ ହୋଇଥିଲା । ଷ୍ଟେଟ କାଉନସିଲ (ବିଧାନସଭା) କୁ ଏହିସବୁ ଗଡଜାତରୁ ପ୍ରତିନିଧିତ୍ୱ କରିବାର ସୁବିଧା ମିଳିଲା. ତଦନୁସାରେ ରଣପୁରରୁ ମୁରଲୀଧର ଦାସ, ନୟାଗଡ଼ରୁ ଶ୍ରୀଧର ଦାଶ, ଦଶପଲା ରୁ ଗୋବିନ୍ଦ ଚନ୍ଦ୍ର ମିଶ୍ର ଓ ଖଣ୍ଡପଡ଼ାରୁ ଅନ୍ତର୍ଯ୍ୟାମୀ ସାହୁ ପ୍ରମୁଖଙ୍କୁ ମନୋନୀତ ବିଧାୟକ ରୂପେ ଗ୍ରହଣ କରାଯାଇଥିଲା ।

ପରବର୍ତୀ ସମୟରେ ଡିଜିଟାଲ ସେବା ଉପଲବ୍ଧ ହେଵା ପରେ ରାଜ୍ୟ ବିଧାନସଭା ର ସମସ୍ତ ତଥ୍ୟ ୱେବସାଇଟରେ ସ୍ଥାନିତ କରାଗଲା । ଏହା କୁ ଦେଖିବାରେ ଏଥିରେ ଏହି ମନୋନୀତ ବିଧାୟକଙ୍କୁ ନେଇ କେତେକ ଅକ୍ଷମଣୀୟ ତ୍ରୁଟି ଲୋକଲୋଚନକୁ ଆସିଲା । ନୟାଗଡ଼ର ଶ୍ରୀଧର ଦାଶଙ୍କ ନାମ କେବଳ ଠିକ ଥିବା ବେଳେ ଦଶପଲା ଓ ଖଣ୍ଡପଡ଼ାରେ କାହାନାମ ଉଲ୍ଲେଖ ନଥିବା ସ୍ଥଳେ ଖଣ୍ଡପଦାର ଅନ୍ତର୍ଯ୍ୟାମୀ ସାହୁଙ୍କ ନାମ ରଣପୁର ବିଧାୟକ ରୂପେ ରହିଛି । ମୁରଲୀଧର ଦାସଙ୍କ ନାମ ନାହିଁ ।

ଏହାକୁ ଦେଖିବା ପରେ ମୁରଲୀଧର ଦାସଙ୍କ ନାତି ସମାଜସେବୀ ତଥା ପୂର୍ବତନ ସମିତି ସଭ୍ୟ ମନୋଜ କୁମାର ଦାସ ୨୦୦୬ଅଗଷ୍ଟ ମାସ ୧ତାରିଖରେ ସଂଗୃହିତ ତଥ୍ୟ ଆଧାରରେ ଲିଖିତ ଅଭିଯୋଗ ଦାଖଲ କରି ବିଧାନସଭା ସଚିବଙ୍କୁ ସାକ୍ଷାତ କରି ଏହି ଐତିହାସିକ ତ୍ରୁଟିକୁ ତୁରନ୍ତ ସଂଶୋଧନ କରାଯାଇ ରଣପୁରର ପ୍ରଥମ ମନୋନୀତ ବିଧାୟକ ରୂପେ ଦର୍ଶାଇବା ପାଇଁ ଦାବୀ କରିଥିଲେ. ଏତାଦୃଶ ତ୍ରୁଟିକୁ ସଂଶୋଧନ କରିବା ନିମିତ୍ତ ରାଜ୍ୟର ବିଭିର୍ଣ୍ଣ ସମ୍ବାଦ ପତ୍ରରେ ମଧ୍ୟ ବହୁବାର ଖବର ପ୍ରକାଶିତ ହୋଇଛି.ରଣପୁରର ବିଶିଷ୍ଟ ବୁଦ୍ଧିଜୀବୀ ତଥା ଆଇନଜୀବୀ ସୁରେଶ ଚନ୍ଦ୍ର ମିଶ୍ର ଏଥିପାଇଁ ଉଚ୍ଚ ନ୍ୟାୟାଳୟରେ ଡବ୍ଲୁ. ପି (ସି )ନଂ ୩୫୭୮୭/୨୦୨୧ମାମଲା ରୁଜୁ କରିଥିଲେ ।

ସେହି ବର୍ଷ ଡିସେମ୍ବର ୨୦ତାରିଖରେ ବିହିତ ବ୍ୟବସ୍ଥା ଗ୍ରହଣ କରି ତ୍ରୁଟି ସଂଶୋଧନ କରିବାକୁ ନିର୍ଦେଶ ଦେଇଥିଲେ.ରଣପୁରର ପ୍ରଥମ ମନୋନୀତ ବିଧାୟକ ମୁରଲୀଧର ଦାସ ବୋଲି ପୂର୍ବତନ ରଣପୁର ବିଧାୟକ ରାମଚନ୍ଦ୍ର ରାମଙ୍କ ଲିଖିତ ପୁସ୍ତକ “ସଂଗ୍ରାମୀ “ସତ୍ୟବାଦୀ ବଳିୟାରସିଂହଙ୍କ ଦ୍ୱାରା ଲିଖିତ “ରଣପୁର ଇତିହାସ “, ପୁରୁଷୋତମ ସିଂହ ଙ୍କ ଲିଖିତ “ବାନର ସେନା “ଓ ୧୯୮୨ମସିହାରେ ପ୍ରକାଶିତ “ରଣପୁର ସ୍ମରଣିକା “ଇତ୍ୟାଦିରେ ଲିପିବଦ୍ଧ ହୋଇଛି. ଏତଦ ବ୍ୟତୀତ ବିଧାୟକ ରୂପେ ମୁରଲୀଧର ଦାସ ପ୍ରଥମେ ୧୯୪୮ମସିହା ଅଗଷ୍ଟ ୩ତାରିଖରେ ବିଧାନସଭା ରେ ବିଭିର୍ଣ୍ଣ ପ୍ରଶ୍ନ ପଚାରିବାର ବିଧାନସଭା ବିବରଣୀରୁ ସଂଗ୍ରହ କରାଯାଇଛି।

ରଣପୁରର ପୂର୍ବତନ ବିଧାୟକ ରବିନାରାୟଣ ମହାପାତ୍ର ଓ ସତ୍ୟନାରାୟଣ ପ୍ରଧାନ ମଧ୍ୟ ଲିଖିତ ଭାବେ ଏହି ତ୍ରୁଟି ସଂଶୋଧନ କରିବାକୁ ବାଚସ୍ପତି ଙ୍କୁ ନିବେଦନ କରିଥିବା ଜଣାପଡିଛି । ଖଣ୍ଡପଡା ବିଧାୟକ ଦୁଷ୍ମନ୍ତ କୁମାର ସ୍ୱାଇଁ ରଣପୁର ପରିବର୍ତ୍ତେ ଖଣ୍ଡପଡ଼ାର ପ୍ରଥମ ମନୋନୀତ ବିଧାୟକ ରୂପେ ଅନ୍ତର୍ଯ୍ୟାମୀ ସାହୁଙ୍କ ନାମ ଲିପିବଦ୍ଧ କରାଯିବା ପାଇଁ ବାଚସ୍ପତି ଙ୍କ ଉଦେଶ୍ୟରେ ଚିଠି ଲେଖିଥିବା ଜଣାପଡିଛି । ଦଶପଲା ବିଧାୟକ ରୂପେ ଗୋବିନ୍ଦ ଚନ୍ଦ୍ର ମିଶ୍ରଙ୍କ ନାମ ମଧ୍ୟ ନାହିଁ ।

ଏମାନେ ସମସ୍ତେ ସ୍ୱାଧୀନତା ସଂଗ୍ରାମୀ ସେଥିପାଇଁ ସେମାନଂକୁ ମନୋନୀତ କରାଯାଇଥିଲା । ମୁରଳଧର ଦାସ ରଣପୁର ପ୍ରଜାମଣ୍ଡଳର ସମ୍ପାଦକ ଥିଲେ । ୨ବର୍ଷ କାରା ବରଣ କରିଥିଲେ । ସେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଙ୍କ ଦ୍ୱାରା ସ୍ୱାଧୀନତା ସଂଗ୍ରାମୀ ରୂପେ ସମ୍ମାନିତ ହେଵା ସହ ସ୍ୱୀକୃତି ପାଇଥିଲେ। ତତ୍କାଳୀନ ବିଧାୟକ ମାନଙ୍କ ସମୂହ ଫଟୋରେ ମୁରଲୀଧର ଦାସ ମଧ୍ୟ ଦୃଶ୍ୟମାନ ହେଉଛନ୍ତି । ଏହା ଠାରୁ ଆଉ ଅଧିକ ପ୍ରମାଣର କୌଣସି ଆବଶ୍ୟକତା ନାହିଁ । 

ଏପରି ସ୍ଥଳେ ଏହି ଐତିହାସିକ ତ୍ରୁଟିକୁ ସଂଶୋଧନ କରିବାକୁ ବିଧାନସଭା ସଚିବଙ୍କୁ ଦୀର୍ଘ ୧୮ବର୍ଷ ପରେ ମଧ୍ୟ ସ୍ୱାଧୀନତା ସଂଗ୍ରାମୀ ତଥା ବିଧିବଦ୍ଧ ଭାବେ ମନୋନୀତ ବିଧାୟକ ଙ୍କୁ କିପରି ସମ୍ମାନ ପ୍ରଦର୍ଶନ କରାଯାଉଛି, ଏହି ଘଟଣାରୁ ସହଜରେ ଅନୁମାନ କରାଯାଇପାରେ ।ସୌଭାଗ୍ୟ କ୍ରମେ ରଣପୁରର ଜନପ୍ରିୟ ନେତ୍ରୀ ସୁରମା ପାଢ଼ୀ ବିଧାୟକ ରୂପେ ନିର୍ବାଚିତ ହୋଇ ଗୌରବ ମୟ ବାଚସ୍ପତି ପଦ ଅଳଙ୍କୃତ କରିଛନ୍ତି ଦଳ ମତ ନିର୍ବିଶେଷରେ ସଂଗ୍ରାମୀ ରଣପୁର ବାସୀ ଏହି ତ୍ରୁଟିକୁ ସଂଶୋଧନ କରିବେ ବୋଲି ତାଙ୍କୁ ନିବେଦନ କରିଥିବା ଜଣାପଡିଛି ।

Exit mobile version