ଗୋପ ଓ ନିମାପଡ଼ା ନିର୍ବାଚନମଣ୍ଡଳୀରେ ଉପମୁଖ୍ୟମନ୍ତ୍ରୀଙ୍କ ମାରାଥନ କାର୍ଯ୍ୟକ୍ରମ

– ୭୦୫ ଜଣ ୮୦ ବର୍ଷରୁ ଉର୍ଦ୍ଧ୍ଵ ବୟସର ଏବଂ ୮୦ ଭାଗ ରୁ ଅଧିକ ଦିବ୍ୟାଙ୍ଗ ହିତାଧିକାରୀଙ୍କୁ ସାମାଜିକ ସୁରକ୍ଷା ଭତ୍ତା ପ୍ରଦାନ

– “ଆୟୁଷ୍ମାନ ଆରୋଗ୍ୟ ମନ୍ଦିର” ଉଦ୍ଘାଟନ

– ଅଙ୍ଗନବାଡି କେନ୍ଦ୍ର ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ

– ବରାହୀ ମନ୍ଦିର ଗସ୍ତକରି ଦେବୀ ବରାହୀଙ୍କ ଦର୍ଶନ

ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) :- ମାନନୀୟା ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡାଙ୍କ ଦ୍ୱାରା ଗୋପ ପଞ୍ଚାୟତ ସମିତି ଠାରେ ନିମାପଡ଼ା ନିର୍ବାଚନ ମଣ୍ଡଳୀର ୩୩୯ ଜଣ ହିତାଧିକାରୀଙ୍କ ସମେତ ୭୦୫ ଜଣ ୮୦ ବର୍ଷରୁ ଉର୍ଦ୍ଧ୍ଵ ବୟସର ଏବଂ ୮୦ ଭାଗ ରୁ ଅଧିକ ଦିବ୍ୟାଙ୍ଗ ଯୋଗ୍ୟ ହିତାଧିକାରୀଙ୍କୁ ୩୫୦୦ ଟଙ୍କାର ସାମାଜିକ ସୁରକ୍ଷା ଭତ୍ତା ପ୍ରଦାନ କରାଯାଇଛି । ଆମ ସରକାର ୮୦ ବର୍ଷରୁ ଉର୍ଦ୍ଧ୍ଵ ଏବଂ ୮୦ ଭାଗ ରୁ ଅଧିକ ଦିବ୍ୟାଙ୍ଗମାନଙ୍କ ସାମାଜିକ ସୁରକ୍ଷା ଭତ୍ତା ମାସିକ ୩୫୦୦ ଟଙ୍କା କୁ ବୃଦ୍ଧି କରିଛନ୍ତି। ବରିଷ୍ଠ ନାଗରିକ, ବିଧବା ଏବଂ ଅସହାୟ ଲୋକ ମାନଙ୍କୁ ସାମାଜିକ ସୁରକ୍ଷା ପ୍ରଦାନ କରିବା ଆମ ସରକାରର ପ୍ରାଥମିକତା ।

ସମସ୍ତ ଯୋଗ୍ୟ ବ୍ୟକ୍ତି ମାନଙ୍କୁ ଚିହ୍ନଟ କରି ସାମାଜିକ ସୁରକ୍ଷା ପ୍ରଦାନ କରାଯିବା ପାଇଁ ଆମ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା । ପରେ ଗୋପସ୍ଥିତ ଏରବଙ୍ଗଠାରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଦ୍ୱାରା ନୂତନ ଭାବେ ନିର୍ମିତ ଗ୍ରାମୀଣ ହାଟର ଶୁଭ ଉଦ୍ଘାଟନରେ ଯୋଗଦେବା ପରେ ଏରବଙ୍ଗ ନୋଡ଼ାଲ ଉଚ୍ଚ ବିଦ୍ୟାଳୟ ପରିସରରେ ଗଜାନନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ,ତରିଙ୍ଗିରାର ଅତିରିକ୍ତ ଶ୍ରେଣୀ ଗୃହର ଉଦ୍ଘାଟନ ସହ ପାଟେଳିଆ ଅଙ୍ଗନବାଡି କେନ୍ଦ୍ର,

ଡିହସାହି ଅଙ୍ଗନବାଡି କେନ୍ଦ୍ର, ନାଗସାହି ଅଙ୍ଗନବାଡି କେନ୍ଦ୍ର ଏବଂ ମକଦମସାହି ଅଙ୍ଗନବାଡି କେନ୍ଦ୍ର ନିର୍ମାଣ ନିମନ୍ତେ ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ବେଦପୁର ପଞ୍ଚାୟତ, ଗୋପ ଠାରେ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା 3 କୋଟି ଟଙ୍କାରୁ ଉର୍ଦ୍ଧ୍ଵ ବ୍ୟୟରେ ନିର୍ମାଣ ହେବାକୁ ଥିବା ଗୋପ କଲେଜ ଠାରୁ ବଳରାମ ଗାଦି, ଭାୟା ବେଗୁନିଆ ସ୍କୁଲ,ନାୟକ ସାହି, ବାଲିକନ୍ଦଳ ରାସ୍ତା ନିମନ୍ତେ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା ।

ଗୋପ ବ୍ଲକର ବଇରିପୁର ଠାରେ “ଆୟୁଷ୍ମାନ ଆରୋଗ୍ୟ ମନ୍ଦିର”ର ଶୁଭ ଉଦ୍ଘାଟନ କରି ସ୍ଥାନୀୟ ଅଞ୍ଚଳରେ ମୌଳିକ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ଦିଗରେ ଲୋକାର୍ପିତ ହୋଇଥିବା ଏହି ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଦ୍ୱାରା ଅନେକ ଲୋକମାନେ ଉପକୃତ ହୋଇପାରିବେ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ । ପରେ ନିମାପଡ଼ା ବ୍ଲକ ଅଧିନସ୍ଥ ତୁଳସୀପୁର ପଞ୍ଚାୟତର ହୀରାପଟଣା ଗ୍ରାମ ଠାରେ ଜଳ ସମ୍ପଦ ବିଭାଗର ପ୍ରାଚୀ ଡିଭିଜନ ଅନ୍ତର୍ଗତ ବିନିଶପୁର ସବ୍- ମାଇନର କେନାଲ ବନ୍ଧର ଦୂରତା ୪. ୭୦୦ କି. ମି. ଠାରୁ ୫. ୭୦୦ କି. ମି. ପର୍ଯ୍ୟନ୍ତ

ଉନ୍ନତିକରଣ ନିମନ୍ତେ ଭିତ୍ତିପ୍ରସ୍ତର ଏବଂ ନିମାପଡ଼ା ବ୍ଲକ ଅନ୍ତର୍ଗତ କଳାପାଞ୍ଚଣ ପଞ୍ଚାୟତର କୋଠସାହି ଠାରେ ଜଳ ସମ୍ପଦ ବିଭାଗର ପ୍ରାଚୀ ଡିଭିଜନ ଅନ୍ତର୍ଗତ ତୁଳସୀପୁର ମାଇନର କେନାଲ ବନ୍ଧର ଦୂରତା ୧.୫୦୦କି.ମି. ଠାରୁ ୨.୦୦୦ କି.ମି. ପର୍ଯ୍ୟନ୍ତ ଉନ୍ନତିକରଣ ନିମନ୍ତେ ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ଏହି ଗସ୍ତ ସମୟରେ ନିମାପଡ଼ା ବ୍ଲକ ଅଧିନସ୍ଥ ତୁଳସୀପୁର ପଞ୍ଚାୟତର ଚହଟା ଗ୍ରାମରେ ଶ୍ରୀ ବନ୍ଦେଶ୍ୱର ମହାଦେବଙ୍କ ଦର୍ଶନ ଏବଂ ନିମାପଡ଼ା ବ୍ଲକ ଚଉରାଶି ଠାରେ ପ୍ରାଚୀ ନଦୀ କୂଳରେ ଅବସ୍ଥିତ ବରାହୀ ମନ୍ଦିର ଗସ୍ତକରି ଦେବୀ ବରାହୀଙ୍କ ଦର୍ଶନ କରି ରାଜ୍ୟ ତଥା ରାଜ୍ୟବାସୀଙ୍କର ସୁଖ ଓ ସମୃଦ୍ଧି ପ୍ରାର୍ଥନା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ।

Exit mobile version