– ପୁରସ୍କୃତ ଓ ସମ୍ମାନିତ କାରିଗରଙ୍କ ସହିତ ଓଡିଶା ହସ୍ତଶିଳ୍ପର ସମୃଦ୍ଧ ଐତିହ୍ୟକୁ ପ୍ରଦର୍ଶନ କରିବ ।
ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) :- କ୍ରାଫ୍ଟ କାଉନ୍ସିଲ ଅଫ୍ ଓଡିଶା ପକ୍ଷରୁ ଏକ ଦୁଇ ଦିନିଆ ପ୍ରଦର୍ଶନୀ ‘ମାଷ୍ଟର କ୍ରାଫ୍ଟର୍ସ’ର ଘୋଷଣା କରାଯାଇଛି ଯାହା ଓଡିଶାର ପାରମ୍ପରିକ ହସ୍ତକଳା ଓ କାରିଗରୀର ଉତ୍କର୍ଷତାକୁ ପାଳନ କରୁଛି । ଏହି ପ୍ରଦର୍ଶନୀ ଆସନ୍ତା ମେ’ ୨୪ ଓ ୨୫ ତାରିଖ ୨୦୨୫ରେ ଭୁବନେଶ୍ୱର କ୍ଲବର ବାଂକ୍ୱେଟ ହଲ୍ରେ ସକାଳ ୧୧ଟାରୁ ରାତି ୮ଟା ପର୍ଯ୍ୟନ୍ତ ଆୟୋଜିତ ହେବ । ‘ମାଷ୍ଟର କ୍ରାଫ୍ଟର୍ସ’ରେ ଜାତୀୟ ଓ ରାଜ୍ୟ ପୁରସ୍କାରପ୍ରାପ୍ତ କାରିଗରଙ୍କ ସମେତ ୨୦ ଜଣ ମାଷ୍ଟର କାରିଗର ସାମିଲ ହେବେ ଯେଉଁମାନେକି ଓଡିଶାର ହସ୍ତଶିଳ୍ପଗୁଡିକର ବିବିଧ ଶୃଙ୍ଖଳାକୁ ପ୍ରଦର୍ଶିତ କରିବେ ।
ପଟ୍ଟଚିତ୍ର, ତାଳପତ୍ର ଖୋଦନ, ଟେରାକୋଟା, ପଥର ଓ କାଠ ଖୋଦିତ ବସ୍ତୁ, ଆପ୍ଲିକ୍, ଗୋଲ୍ଡେନ ଗ୍ରାସ, ସବାଇ ଗ୍ରାସ, ରୂପା ତାରକସି, ସିସେଲ ଆର୍ଟ, ଢୋକ୍ରା କାଷ୍ଟିଙ୍ଗ୍, ଆଦିବାସୀ ପେଂଟିଙ୍ଗ୍ ଓ ହାତ ବୁଣା ଇକ୍କତ ଆଦି କଳାକୃତିଗୁଡିକୁ ପ୍ରଦର୍ଶନ ଓ ବିକ୍ରି କରାଯିବ । ଏହି କାର୍ଯ୍ୟକ୍ରମ କାରିଗରୀର ଉତ୍କର୍ଷତାର ପ୍ରଚାର ପ୍ରସାର କରିବା, ସବୁ ସମୟରେ ବଜାର ସୁଯୋଗ ପ୍ରଦାନ କରିବା ଏବଂ କାରିଗର ଓ କ୍ରେତାଙ୍କ ମଧ୍ୟରେ ପ୍ରତ୍ୟକ୍ଷ ଯୋଗାଯୋଗକୁ ପ୍ରୋତ୍ସାହିତ କରିବା ପାଇଁ ଲକ୍ଷ୍ୟ ରଖିଛି । ଏହି ପଦକ୍ଷେପ କାରିଗରମାନଙ୍କୁ କେବଳ ଆର୍ଥିକ ରୂପେ ସହଯୋଗ କରିବ ନାହିଁ ବରଂ ଓଡିଶାର ପାରମ୍ପରିକ ହସ୍ତଶିଳ୍ପର ପ୍ରୋଫାଇଲକୁ ଉନ୍ନତ କରିବ ।
