ଅଜଣା ରୋଗର ଆତଙ୍କ

ପଡ଼ିଆ (ଓଡ଼ିଶା ତାଜା ନ୍ୟୁଜ୍)  :- ମାଲକାନଗିରି ଜିଲ୍ଲା ପଡ଼ିଆ ବ୍ଲକ ସଦର ମହକୁମାର ଖ୍ରୀଷ୍ଟିଆନ ସାହିରେ ଶତାଧିକ ପରିବାର ଅଜଣା ରୋଗର ଆକ୍ରାନ୍ତ ହୋଇଥିବା ଦେଖିବାକୁ ମିଳିଛି । ପ୍ରଥମେ ଗୋଡହାତ ଫୁଲି ଜ୍ଜର ହେବା ପରେ ହାତର ଆଙ୍ଗୁଳି ଗୋଡହାତର ଗଣ୍ଟି ଗୁଡିକ ଯନ୍ତ୍ରଣା ହେଉଛି । ଏଥିଯୋଗୁଁ ବୟସ୍କ ବ୍ୟକ୍ତି ମାନେ ଚାଳିପାରୁ ନଥିବା ବେଳେ ମହିଳା ଓ ଅନ୍ୟ ବର୍ଗର ଲୋକେ ନାନା ଯନ୍ତ୍ରଣା ଭୋଗୁଛନ୍ତି । ଏହି ରୋଗରେ ସ୍ଥାନୀୟ ଅଞ୍ଚଳର ଶହେରୁ ଉର୍ଦ୍ଧ୍ବ ଲୋକ ଆକ୍ରାନ୍ତ ‌ହୋଇଥିବା ଜଣାପଡିଛି । ବିଶେଷ କରି ବୟସ୍କ ଓ ମହିଳା ଏହି ରୋଗରେ ଆକ୍ରାନ୍ତ ‌ହୋଇଛନ୍ତି ।

ଆକ୍ରାନ୍ତକାରୀ ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ରକ୍ତ ନମୁନା ଦେଇ ପରୀକ୍ଷା କରାଇଥିଲେ ସୁଦ୍ଧା ରୋଗ ଚିହ୍ନଟ ହୋଇପାରିନ ଥିବା ଅଞ୍ଚଳବାସୀ କହିଛନ୍ତି । ଔଷଧ ଖାଇବା ପରେ କିଛି ସମୟ ପାଇଁ ଉପଶମ ମିଳୁଥିଲେ ମଧ୍ୟ ପୁନର୍ବାର ଯନ୍ତ୍ରଣା ବଢୁଥିବା କହିଛନ୍ତି । କେତେକ ରୋଗୀ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଯାଇ ଚିକିତ୍ସିତ ହୋଇଥିବା କହିଛନ୍ତି । ସେହିପରି କିଛି ରୋଗୀ ପଡୋଶୀ ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନା ରାଜ୍ୟର ବିଭିନ୍ନ ସ୍ଥାନକୁ ଯାଇ ଚିକିତ୍ସିତ ହେଉଥିବା ଜଣାପଡ଼ିଛି ।

ଅନ୍ୟ ପଟେ କେତେକ ଲୋକେ ଔଷଧ ଖାଇବା ପରେ ଦେହ ହାତ କୁଣ୍ଡାଇ ହେବା ସହ ମୁହଁ କଳା ପଡି ଯାଉଥିବା ଦେଖିବାକୁ ମିଳିଛି । ଏହି ସାହିର ଏମ୍ ମେଷାକ୍ ରବି, ନାଗୁଲ ସେନ୍ତାଆମ୍ମା, ନାଗୁଲ ମଞ୍ଜୁ, ସୁଧାଲ ଜୟ ରାଜୁ, ଵାତୀନ ଜୟରାଜୁ, ଵାତୀନ ଦୈବ କୁମାରୀ, ପେଦି ଧନଲଷ୍ମୀ, ଚିନାମ ମିନତୀ, ଏମ୍ ସାଲଵମ, ଏମ୍ କୃପାବତୀ, ଏମ୍ ପଦ୍ଵାମଣି, ବାତିନ ସୀମା, ତୋକାଲ ରାଜୁ, ୱ।ନ୍ତାଲ ୱ।ରାଲକ୍ଷ୍ମୀ, କୋଡ଼ି ଶକୁନ୍ତଳା, ନାଗୁଲ ସୁନୀଲ , ସୁଧାଲ ଜୟଆମ୍ମା, ଚିନାମ ରୂପାରାଣୀ ସମେତ ଶହେରୁ ଉର୍ଦ୍ଧ୍ବ ଲୋକ ଅଜଣା ରୋଗର ଶିକାର ହୋଇଛନ୍ତି ।

ଏନେଇ ପଡ଼ିଆ ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀ ଡ଼ଃ ସୌମ୍ୟକାନ୍ତ ବେହେରାଙ୍କୁ ଯୋଗାଯୋଗ କରିବାରୁ ସେ ଘଟଣା ସଂପର୍କରେ ଜିଲ୍ଲା ଚିକିତ୍ସା ଅଧିକାରୀଙ୍କୁ ଅବଗତ କରାଇବା ସହ ଖ୍ରୀଷ୍ଟିଆନ ସାହିରେ ସୋମବାର ସକାଳୁ ରକ୍ତ ନମୁନା ସଂଗ୍ରହ କରିବା ବ୍ୟବସ୍ଥା କରାଯାଇଛି । ଏଥିସହ ଏକ ସ୍ବତନ୍ତ୍ର ଡାକ୍ତରୀ ଦଳ ଆକ୍ରାନ୍ତକାରୀଙ୍କ ସହ ଆଲୋଚନା କରି ଆବଶ୍ୟକୀୟ ସ୍ବାସ୍ଥ୍ୟ ସେବା ଯୋଗାଇ ଦେଵେ ବୋଲି କହିଛନ୍ତି । ଖ୍ରୀଷ୍ଟିଆନ ସାହି ପଡ଼ିଆ ମୁଖ୍ୟ ବଜାରକୁ ଲାଗି ରହିଥିବାରୁ ଅଞ୍ଚଳବାସୀ ଆତଙ୍କିତ ହୋଇପଡିଛନ୍ତି । ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏଭଳି ରୋଗର ନିରାକରଣ ଲାଗି ତୁରନ୍ତ ଆବଶ୍ୟକ ପଦକ୍ଷେପ ନେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।

Exit mobile version