ରାଉରକେଲା ତୃଣମୂଳ ଜିମ୍ନାଷ୍ଟିକ ପ୍ରଶିକ୍ଷଣ କେନ୍ଦ୍ର : ମୁଖ୍ୟ ପ୍ରଶିକ୍ଷକଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ

ରାଉରକେଲା (ଓଡ଼ିଶା ତାଜା ନ୍ୟୁଜ୍)  :-  ତୃଣମୂଳ ସ୍ତରରୁ କ୍ରୀଡାର ବିକାଶ ପାଇଁ ରାଜ୍ୟ ସରକାର ବିଭିନ୍ନ ଜିଲ୍ଲାରେ କ୍ରୀଡା ଭିତ୍ତିଭୂମିମାନ ନିର୍ମାଣ କରିଛନ୍ତି । ଏହି କ୍ରମରେ ଜିମ୍ନାଷ୍ଟିକ୍ କ୍ରୀଡା ପାଇଁ ରାଜ୍ୟ ସରକାର ଭୁବନେଶ୍ଵର ସମେତ ପୁରୀ, ଜୟପୁର ଏବଂ ରାଉରକେଲାରେ ଉନ୍ନତମାନର ପ୍ରଶିକ୍ଷଣ କେନ୍ଦ୍ର ନିର୍ମାଣ କରିଛନ୍ତି । ରାଉରକେଲା କେନ୍ଦ୍ରରେ ଗତ ଏକ ବର୍ଷରୁ ଅଧିକ ହେବ ପ୍ରାୟ ୮୦ ଜଣ ଛୋଟ ଛୋଟ ପିଲା ଉଭୟ (ବାଳକ ଓ ବାଳିକା) ପ୍ରଶିକ୍ଷଣ ନେଉଛନ୍ତି। କଟକ ଜିଲ୍ଲାର ମୂଳ ନିବାସୀ ରମେଶ ଚନ୍ଦ୍ର ବେହେରା ଏହି ରାଉରକେଲା ଜିମନାଷ୍ଟିକ୍ କେନ୍ଦ୍ରର ମୁଖ୍ୟ ପ୍ରଶିକ୍ଷକ ବା କୋଚ୍‌ଭାବେ ଦାୟିତ୍ୱରେ ରହିଛନ୍ତି। ଏହି କୋଚ୍ଙ୍କ ନାମରେ ହୋଇଛି ସଙ୍ଗୀନ ଅଭିଯୋଗ । ଜଣେ ଅଭିଭାବକ ପ୍ରଥମେ ଓଡ଼ିଶା ଜିମ୍ନାଷ୍ଟିକ ମହାସଂଘର ସମ୍ପାଦକ ଅଶୋକ ସାହୁଙ୍କୁ ଏକ ଲିଖିତ ଅଭିଯୋଗ କରିଥିଲେ ।

ଅଭିଯୋଗ ପାଇବା ପରେ ଶ୍ରୀ ସାହୁ ଖୁବ୍ ଶୀଘ୍ର ତଦନ୍ତ କରିବେ ବୋଲି କହିଥିଲେ ମଧ୍ୟ କୌଣସି କାରଣରୁ ରମେଶଙ୍କୁ ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ା ପାଇଁ ତାଙ୍କୁ ଦିଲ୍ଲୀ ପଠାଇଦେଇଥିଲେ। ଏଠାରେ ପ୍ରଶ୍ନ ଉଠୁଚିଯେ, ଅଭିଯୋଗ ପାଇବା ପରେ ଶ୍ରୀ ସାହୁ ତଦନ୍ତ ନକରି କିଭଳି ରମେଶଙ୍କୁ ଦିଲ୍ଲୀ ପଠାଇଥିଲେ। ଏହି ପ୍ରସଙ୍ଗ ସମ୍ପ୍ରତି ଏହି କେନ୍ଦ୍ରରେ ପ୍ରଶିକ୍ଷଣ ନେଉଥିବା ଅବିଭାବକମାନଙ୍କୁ ଚକିତ କରିଛି। ଅନ୍ୟପକ୍ଷରେ ଅଭିଯୋଗକାରୀ, ସମ୍ପାଦକ ଶ୍ରୀ ସାହୁଙ୍କ ପାଖରୁ କୌଣସି ଉତ୍ତର ନପାଇ ହତାଶ ହୋଇ ଘଟଣା ସମ୍ପର୍କରେ ଭୁବନେଶ୍ଵର ଏଚ ପି ସିର ମୁଖ୍ୟ ପ୍ରଶିକ୍ଷକ ଅଶୋକ ମିଶ୍ରଙ୍କୁ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପାଇ ଶ୍ରୀ ମିଶ୍ର ତୁରନ୍ତ ରାଉରକେଲା କେନ୍ଦ୍ର ପରିଚାଳନା କରୁଥିବା ଏମ ଏନ୍ ଏସର କାର୍ଯ୍ୟକ୍ରମ ପରିଚାଳିକାଙ୍କୁ ତଦନ୍ତ ପାଇଁ ପଠାଇଛନ୍ତି। ପରିଚାଳିକା ୧୪ ,୧୫ ଓ ୧୬ ମଇ ୩ ଦିନ ଧରି ଅଭିଯୋଗ ଆଧାରରେ ବିଭିନ୍ନ ବର୍ଗର ଅଭିଭାବକ ଏବଂ ଅନ୍ୟମାନଙ୍କ ସହିତ ଆଲୋଚନା କରିଥିବା ସୂଚନା ମିଳିଛି ।

ଆଭିଯୋଗ ମୁତାବକ କୋଚ୍ ଶ୍ରୀ ବେହେରା ଅଭ୍ୟାସ ସମୟରେ କୁନି କୁନି ପିଲାଙ୍କୁ ମାଡ ମାରିଥିବା, ନିର୍ଦ୍ଧିଷ୍ଟ ଜଣେ ଅଭିଭାବକଙ୍କୁ ନିଜର ଧରମ ଭଉଣୀ କହି ପ୍ରଶିକ୍ଷଣ କେନ୍ଦ୍ର ମଧ୍ୟକୁ ଅବାଧରେ ପ୍ରବେଶ କରାଇବା ସହିତ, କେନ୍ଦ୍ର ମଧ୍ୟରେ ସାମାଜିକ ଗଣମାଧ୍ୟମ ପାଇଁ ରିଲ ବନେଇବା, ଫିଜିଓଙ୍କ କୋଠାରୀରେ ବସି କଫି ପିଇବା ଭଳି ଘଟଣା ନଜରକୁ ଆସିଥିବା ଜଣାପଡିଛି। ଅନ୍ୟପକ୍ଷରେ ନିଜ ନିଜର ଛୋଟ ଛୋଟ ପିଲାମାନଙ୍କୁ ପ୍ରଶିକ୍ଷଣ ପାଇଁ ଛାଡ଼ିଥିବା ଅଭିଭାବକମାନେ ଖରା ଓ ବର୍ଷାରେ ବାହାରେ ଠିଆ ହେଉଥିବା ଘଟଣା ଜଣାପଡ଼ିଛି ଏବଂ ଏ ନେଇ ଯଦି କୌଣସି ଅଭିଭାବକ କିଛି ଅଭିଯୋଗ କରୁଥିଲେ, ତେବେ ମୁଖ୍ୟ କୋଚ୍‌ଙ୍କ ସମେତ ଅନ୍ୟ କୋଚ୍‌ମାନେ ପିଲାଙ୍କୁ ପ୍ରଶିକ୍ଷଣ ଦେବା ସମୟରେ ମାଡ଼ ମାରୁଥିବା ଓ ଅନୁଚିତ ବ୍ୟବହାର କରୁଥିବା ବା ନିସ୍ତୁକ ଉତ୍ତମ ମଧ୍ୟମ ଦେଉଥିବା ଅଭିଯୋଗ ହୋଇଛି।

ଏହା ଦ୍ବାରା ପିଲା ଜିମନାଷ୍ଟିକ୍ ସେଣ୍ଟରକୁ ଆସିବାକୁ ଡରୁଥିଲେ ବୋଲି ସୂଚନା ମିଳିଛି। ଏଥିପାଇଁ କିଛି ପିଲା ପ୍ରଶିକ୍ଷଣ ନେବା ବନ୍ଦ କରିଦେଇଥିବା ସୂଚନା ମଧ୍ୟ ମିଳିଛି। ଏପରିକି ଅନ୍ୟ ଜଣେ କୋଚ୍ ସାୟନ୍ ଦାସଙ୍କ ସହିତ ମିଶି ଓ୍ବେଷ୍ଟବେଙ୍ଗଲରୁ ପିଲାଙ୍କୁ ଆଣି ନକଲି ଆଧାର କାର୍ଡ ବନାଇ ରାଜ୍ୟ ଓ ଜାତୀୟ ପ୍ରତିଯୋଗୀତାକୁ ନେଉଥିବା ଘଟଣାର ଅଭିଯୋଗ ମଧ୍ୟ ସାମ୍ନା କୁ ଆସିବା ସହିତ ରାଉରକେଲାର ନିର୍ଦ୍ଧିଷ୍ଟ ଏକ ସ୍କୁଲ ସହିତ ଜିମ୍ନାଷ୍ଟିକ୍ ଲିଙ୍କ ମଧ୍ୟ ରହିଛି । ଏହିଭଳି ମାଡ଼ ଓ ଅନୁଚିତ ବ୍ୟବହାରକୁ ଡରି ପିଲାମାନେ କେନ୍ଦ୍ର ଛାଡ଼ିବା ଆରମ୍ଭ କରିଥିବା କିଛି ଅଭିଭାବକ କହିଛନ୍ତି । ଅନ୍ୟ ଏକ ଘଟଣା କ୍ରମରେ ରାଜ୍ୟ ଜିମ୍ନାଷ୍ଟିକ୍ ମହାସଂଘର କର୍ମକର୍ତ୍ତାଙ୍କ କାର୍ଯ୍ୟକଳାପ ମଧ୍ୟ ଆଲୋଚନାର ବିଷୟ ହୋଇଛି ।

ଦୀର୍ଘ ୧୮ ବର୍ଷ ଧରି ଅଶୋକ ସାହୁ ସମ୍ପାଦକ ପଦବୀରେ ରହିବା, ସଂଘର ଆୟବ୍ୟୟ ସମ୍ପର୍କରେ କୌଣସି ହିସାବ ପତ୍ର ନହେବା ଏବଂ ସଂଘର ଅନ୍ୟ କର୍ମକର୍ତ୍ତାମାନଙ୍କୁ ନାମମାତ୍ର ରଖି ସଂଘ ଚଳାଇବା ଆଦି ମାଳ ମାଳ ଅଭିଯୋଗ ରହିଛି । ତେଣୁ ଉଭୟେ ରମେଶ ବେହେରା ଏବଂ ରାଜ୍ୟ ଜିମ୍ନାଷ୍ଟିକ୍ ମହାସଂଘର କାର୍ଯ୍ୟକଳାପ ସମ୍ପର୍କରେ ରାଜ୍ୟ କ୍ରୀଡ଼ା ବିଭାଗ ପକ୍ଷରୁ ଆବଶ୍ୟକ ଅନୁଧ୍ୟାନ ଓ ତଦନ୍ତ କରି ଦୃଢ କାର୍ଯ୍ୟନୁଷ୍ଟାନ ନେବାକୁ ଅନେକ ଅଭିଭାବକ ଦାବି କରିଛନ୍ତି । ସୂଚନା ମୁତାବକ ଗତ ପ୍ରାୟ ୧୧ ମାସ ଧରି ରାଜ୍ୟରେ ନୂତନ ସରକାର ଓ ନୂତନ କ୍ରୀଡ଼ା ମନ୍ତ୍ରୀ କାର୍ଯ୍ୟ କରିଆସୁଥିଲେ ମଧ୍ୟ ରାଜ୍ୟ ଜିମ୍ନାଷ୍ଟିକ୍ ମହାସଂଘ ଭଳି ଅନ୍ୟ କିଛି ସଂଘର କାର୍ଯ୍ୟକଳାପରେ ବିଶେଷ କିଛି ପରିବର୍ତ୍ତନ ହୋଇଥିବା ଦେଖିବାକୁ ମିଳୁନାହିଁ । ଏ ନେଇ ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ଓ କ୍ରୀଡ଼ା ମନ୍ତ୍ରଣାଳୟ ଆବଶ୍ୟକ ପଦକ୍ଷେପ ନେବାକୁ କ୍ରୀଡ଼ାପ୍ରେମୀମାନେ ଦାବି କରିଛନ୍ତି ।

Exit mobile version