ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) :- ପୁରୀ ଜିଲ୍ଲାରେ ଲଘୁଜ ଖଣି ସମ୍ପଦ ବାଲି, ମାଟି, ମୋରମ ଦିନ ଦ୍ଵିପ୍ରହରରେ ପ୍ରଶାସନ ଓ ଅଧିକାରୀଙ୍କ ଆଖିରେ ଆଙ୍ଗୁଠି ଗେଞ୍ଜି ହଜାର କୋଟିଟଙ୍କାର ବାଲିଲୁଟ ହୋଇଥିବା ଅଭିଯୋଗ ହୋଇଛି । ଜିଲ୍ଲାରେ ଅବସ୍ଥାପିତ ଜଣେ ଖଣି ଅଧିକାରୀ ବାଲିମାଫିଆଙ୍କ ଠାରୁ ସୌଖୀନ ଗାଡି ଉପହାର ନେଇ ହାତ ଟେକି ଦେଇଥିବା ଆଲୋଚନା,ଚର୍ଚ୍ଚା ଓ ଶୁଣାଯାଉଛି । ରାତିରେ ଜିଲ୍ଲାର ୧୧ ବ୍ଲକରେ ପ୍ରାୟ ଦୁଇ ହଜାର ଟ୍ରାକ୍ଟର, ହାଇୱା, ଟ୍ରକ ଖୁଲମଖୁଲା ବିଭିନ୍ନ ନଦୀ ଘାଟରୁ ବାଲିଲୁଟ କରୁଥିବା ଅଭିଯୋଗ ହେଉଥିଲେ ମଧ୍ଯ ଧର୍ମକୁ ଆଖିଠାର ପରି ଦୁଇ ତିନୋଟି ଟ୍ରାକ୍ଟର ସିଜ୍ କରି ଅତି ପ୍ରଚାର କରୁଥିବା ଦେଖାଯାଉଛି ।
ଚତୁର ଖାଉ ବାଲିମାଫିଆ ମାନେ ଖଣି ଅଧିକାରୀ,ତହସିଲଦାର, ସଂପୃକ୍ତ ଥାନା ଅଧିକାରୀ ଓ ରାଜସ୍ବ ନିରୀକ୍ଷକଙ୍କୁ ହାତ କରି ଖୁଲମଖୁଲା ବାଲିଲୁଟ କରୁଥିବା ଅଭିଯୋଗ ହେଉଛି। ପୁରୀଜିଲ୍ଲା ବ୍ରହ୍ମଗିରି ମାଣିକପାଟଣା, ବାଲି ହରଚଣ୍ଡୀ, ଗିରଳ, ବେଲେଶ୍ୱର ଠାରୁ ଚନ୍ଦ୍ରଭାଗା ଓ ଅସ୍ତରଙ୍ଗ ପର୍ଯ୍ୟନ୍ତ ସମୁଦ୍ରକୂଳରେ ଥିବା ହଜାର ହଜାର ବାଲିବନ୍ତ ଏବେ ଶୂନ ହେବାକୁ ବସିଲାଣି । କୋଟି କୋଟି ଟଙ୍କାର ବେପାର ପାଇଁ ଜିଲ୍ଲାର ଶହେରୁ ଉର୍ଦ୍ଧ୍ବ ଗାଁ ସମୁଦ୍ରର ଆଁରେ ପଶି ଯିବାର ଆଶଙ୍କା ସୃଷ୍ଟି ହେଲାଣି । ଦୟା, ଭାର୍ଗବୀ, ରାଜୁଆ ଓ ଧନୁଆ ନଦୀରୁ ଦିନରାତି ବାଲି ଚୋରାଚାଲାଣ ଯୋଗୁ ନଦୀବନ୍ଧ ଦୁର୍ବଳ ହେବାରେ ଲାଗିଛି ।
