Home ଓଡ଼ିଶା ସଖୀ ଦେଖଗୋ ରାଧାମାଧବ ବେଶ …. by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) :- ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମାନବୀୟଲୀଳା ଜଗନ୍ନାଥ ଧାମରେ ଦେଖିବାକୁ ମିଳେ । ଗ୍ରୀଷ୍ମ ଋତୁରେ ଅତ୍ଯଧିକ ଗରମ ଯୋଗୁ ଚନ୍ଦନ କୁଣ୍ଡରେ ବୁଡି ରହିବା ଓ ନରେନ୍ଦ୍ର ପୁଷ୍କରିଣୀରେ ଚାପ ଖେଳିବା ପରେ ଶ୍ରୀମନ୍ଦିରକୁ ଫେରିଥାନ୍ତି । ମହାପ୍ରଭୁଙ୍କ ବାହାର ଚନ୍ଦନଯାତ୍ରା ୨୧ ଦିନ ଓ ଭିତର ଚନ୍ଦନଯାତ୍ରା ୨୧ ଦିନ ଏପରି ୪୨ ଦିନ ଚନ୍ଦନଯାତ୍ରା ଅନୁଷ୍ଠିତ ହୋଇଥାଏ । ଏହାକୁ ଚନ୍ଦନଜାତ ବା ଗନ୍ଧଲେପନ ଯାତ୍ରା କୁହାଯାଏ । ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନମୋହନ, କୃଷ୍ଣ, ବଳରାମ, ସୁବର୍ଣ୍ଣ ଲକ୍ଷ୍ମୀ ପ୍ରତିମା ଓ ରୌପ୍ଯ ସରସ୍ଵତୀ ପ୍ରତିମା ବାହାର ଚନ୍ଦନ ପାଇଁ ଶ୍ରୀମନ୍ଦିରରୁ ବିମାନରେ ନରେନ୍ଦ୍ର ପୁଷ୍କରିଣୀ ଚନ୍ଦନ ଚକଡାକୁ ବିଜେ କରିଥାନ୍ତି । ମଣିବିମାନରେ ମଦନମୋହନ,ଶ୍ରୀଦେବୀ ଓ ଭୂଦେବୀ ବିଜେ କରି ହଲି ହଲି ଓ ଝୁଲି ଝୁଲି ବଡଦାଣ୍ଡରେ ଯିବା ସମୟରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥାଏ । ବିମାନ ଆଗରେ ଭକ୍ତ ଓ ସେବାୟତ ମାନେ ଦେଖଗୋ ସଖୀ ରାଧାମାଧବ ବେଶ ଗୀତ ବୋଲିଥାନ୍ତି । ବିମାନ ପଛ ପାଲିଙ୍କିରେ କୃଷ୍ଣ ଓ ବଳରାମ ବିଜେ କରନ୍ତି । ପ୍ରଭୁଙ୍କ ସୁରକ୍ଷା ଦାୟିତ୍ବରେ ପଞ୍ଚୁ ପାଣ୍ଡବ ରୂପେ ପରିଚିତ ପଞ୍ଚ ମହାଦେବ ଶ୍ରୀଲୋକନାଥ,ଶ୍ରୀଜମ୍ବେଶ୍ବର,ଶ୍ରୀମାର୍କଣ୍ଡେଶ୍ବର, ଶ୍ରୀକପାଳମୋଚନ ଓ ଶ୍ରୀନୀଳକଣ୍ଠେଶ୍ବର ବିଜେ କରିଥାନ୍ତି । ଏପରି ୧୦ ଗୋଟି ଚଳନ୍ତି ପ୍ରତିମା ନରେନ୍ଦ୍ର ପୁଷ୍କରିଣୀରେ ଜଳକ୍ରୀଡା କରନ୍ତି । ପୁଷ୍କରିଣୀ କୂଳରେ ହୋଇଥିବା ଛାମୁଣ୍ଡିଆ ତଳେ ରୂପା ପିଙ୍ଗଣରେ ଥିବା ସୁବାସିତ ଜଳରେ ପଦ ଧୌତ କରିଥାନ୍ତି । ନନ୍ଦା ଓ ଭଦ୍ରା ଦୁଇଟି ଚାପ ନୌକା ପୁଷ୍ପ ସୁସଜ୍ଜିତ ହୋଇ ରହିଥାନ୍ତି । ନୌକାରେ ଥିବା ରୂପା ସିଂହାସନରେ ମଦନମୋହନ, ଭୂଦେବୀ,ଶ୍ରୀଦେବୀଙ୍କ ସମେତ କୃଷ୍ଣ ଓ ବଳରାମ ଉପବେଶନ କରି ନରେନ୍ଦ୍ର ଦୀପଦାଣ୍ଡି ଚାରିପଟ ନୌକାବିହାର କରିଥାନ୍ତି । ଅନ୍ଯ ଏକ ଚାପ ନୌକାରେ ପଞ୍ଚ ମହାଦେବ ଉପବେଶନ କରି ଚାପ ଖେଳିଥାନ୍ତି । ସ୍ନାନ ନୀତି ପାଇଁ ତିନୋଟି କୁଣ୍ଡରେ ଚନ୍ଦନ, କର୍ପୂର, କସ୍ତୁରୀ,ଜାଇଫଳ, ମଲ୍ଲୀ, ଚମ୍ପା, ଜୁଇ, ସୁଗନ୍ଧରାଜ, ଗୋଲାପ ବ୍ଯବହୃତ ହୋଇ ସୁବାସିତ ଜଳ ପ୍ରସ୍ତୁତ କରାଯାଇଥାଏ । ସେହି କୁଣ୍ଡରେ ଚଳନ୍ତି ପ୍ରତିମା ବୁଡ ପକାନ୍ତି । ବିଭିନ୍ନ ଦିନରେ ଶ୍ରୀମଦନମୋହନଙ୍କୁ ବେଶ କରାଯାଇଥାଏ । ଦିନ ଚାପ ପରେ ରାତି ଚାପ ଅନୁଷ୍ଠିତ ହୋଇଥାଏ । ରାତି ଚାପରେ ବଜନ୍ତ୍ରୀ ନୌକାରେ ଘଣ୍ଟୁଆ, କାହାଳିଆ ଓ ତେଲିଙ୍ଗି ବାଜା ବାଦକ ମହାପ୍ରଭୁଙ୍କ ଚାପ ନୌକା ଆଗରେ ବଜାଇ ବଜାଇ ଯାଇଥାନ୍ତି । ଏହି ସମୟରେ ଶୀତଳ ଭୋଗ, ମାଣ୍ଡୁଅ ଭୋଗ, ବିଡିଆ ମଣୋହି ଭୋଗ ଲାଗି କରାଯାଇଥାଏ । ଭଉଁରୀ ଦିନ ଦିନ ଚାପରେ ୧୦ ଠାକୁର ୨୧ ଘେରା ଚାପ ଖେଳିଥାନ୍ତି । ମହାପ୍ରଭୁଙ୍କ ମାନବୀୟଲୀଳା ଦର୍ଶନ କରିବା ପାଇଁ ଭକ୍ତଙ୍କ ଗହଳି ଲାଗି ରହିଛି । ଚନ୍ଦନଯାତ୍ରା ପାଇଁ ନରେନ୍ଦ୍ର ପୁଷ୍କରିଣୀ ସଜେଇ ହେବା ସହ ରାତିରେ ରଙ୍ଗୀନ ଆଲୋକ ମାଳାରେ ଝଲସୁଥାଏ । ଶ୍ରୀମନ୍ଦିର ପ୍ରଶାସନ, ପୋଲିସ ପ୍ରଶାସନ, ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ବ୍ଯବସ୍ଥା କରାଯାଇଛି । ଚନ୍ଦନ ଚକଡାରେ ପ୍ରତିଦିନ ଭକ୍ତି ସଙ୍ଗୀତ କଣ୍ଠଶିଳ୍ପୀଙ୍କ ଦ୍ବାରା ପରିବେଷଣ କରାଯାଇ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି । Categories: ଓଡ଼ିଶା, ପୁରୀ, ହୋମ୍ Related Content ମାଲକାନଗିରିରେ ୮୦ ତମ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ by Proprietor Abhimanyu Maharana August 5, 2026 ସରିଗଲାଣି ରଥଯାତ୍ରା - ବଡଦାଣ୍ଡ ରୁ ଉଠିନି ବାଲିବସ୍ତା by Proprietor Abhimanyu Maharana August 5, 2026 ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ ପରିସରରେ ବୃକ୍ଷ ପୂଜନ ଓ ବୃକ୍ଷ ରୋପଣ by Proprietor Abhimanyu Maharana August 5, 2026 ରଥଯାତ୍ରା ଆଣ୍ଟି ସ୍ନାଚିଂ ଅଭିଯାନ ୧୭୫ ସ୍ନାଚର ଗିରଫ, ୩୦୪ ମୋବାଇଲ ଉଦ୍ଧାର by Proprietor Abhimanyu Maharana August 5, 2026 ମହେନ୍ଦ୍ରଗିରି (ପୌର) ସରକାରୀ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ଓ ଅଭିଭାବକ ବୈଠକ by Proprietor Abhimanyu Maharana August 5, 2026 ଦିବଂଗତ ଏସବିଆଇ ଗ୍ରାହକଙ୍କ ପରିବାରଂକୁ ଜମାରାଶି ପ୍ରଦାନ by Proprietor Abhimanyu Maharana August 5, 2026