ଶିକୁଳିରେ ବନ୍ଧା ଜୀବନ ଜଙ୍ଗଲରେ କଟୁଛି

ଓଡ଼ିଶା ତାଜା ନ୍ୟୁଜ୍ (୧ ସେପ୍ଟେମ୍ବର ମଙ୍ଗଳବାର) ପଦ୍ମପୁର :– ପଦ୍ମପୁର ପ୍ରକୃତିର ବିଚିତ୍ର ନିୟମ । ପାଞ୍ଚ ମହିଳା କୋଠା ଘରେ , ବିଲାସ ବ୍ୟସନରେ ରହି କାହାକୁ ନିଦ ହେଉ ନ ଥିବା ବେଳେ , ଜଙ୍ଗଲ ଭିତରେ ଝାଟିମାଟି ଘରେ ରହିବାକୁ ହେଉଛି । ଡଙ୍ଗର ତଳ,ଘଂଚ ଜଙ୍ଗଳ,ଘର କାନ୍ଥ ନାହିଁ, ଶୋଇବାକୁ ଖଟ ନାହିଁ । ଡଙ୍ଗରରୁ ପାଣି ଧୋଇନେବା ଆଶଙ୍କାରେ ମାଟି ଉପରେ ଶୋଉଥିବା ଜାଗାର ଚାରି ଦିଗରେ ହିଡ ଦେଇଛନ୍ତି । ଛାତ , ଖପର କିଛି ନାହିଁ । ପ୍ଲାଷ୍ଟିକ ଖଣ୍ତେ ଝୁଲୁଛି । ସାପ,ମୂଷା ଦାଉରୁ ରକ୍ଷା ପାଇବା ପାଇଁ ଗାଁ ସାହୁକାର ଠାରୁ କିଛି ଥିମେଟ କୀଟନାଶକ ଆଣି ଚାରି କଡରେ ଛିଞ୍ଚି ଦେଇଛନ୍ତି । ଚାଷ ଜମି ନାହିଁ । ରହିବା ଘରନାହିଁ । ପରିବାର ସଂଖ୍ୟା ୩,ବିଧବା ମାଁ ସେବିକା ମଲ୍ଲିକ,୨ପୁଅ କିଶୋର (୨୪) ଓ ଦୁର୍ଗା ପ୍ରସାଦ (୨୨) । ବରଗଡ ଜିଲ୍ଲା ଝାରବନ୍ଧ ବ୍ଲକ ବିଲାସପୁର ଗ୍ରା.ପ. ଭଣ୍ତାରଯୋରୀ ମୌଜାର ବାସିନ୍ଦା ହୋଇଥିଲେ ସୁଦ୍ଧା ବାସହୀନ ଥିବାରୁ ସିଦ୍ଧ ବାବା ଡଙ୍ଗର ତଳ ଜଙ୍ଗଲ ଭିତରେ ଆଶ୍ରୟ ନେଇଛନ୍ତି ।

ଦୁର୍ଗା ପ୍ରସାଦ ମାନସିକ ରୋଗୀ ହୋଇଥିବାରୁ ହାତ ଗୋଡ ଶିକୁଳିରେ ବନ୍ଧା ହୋଇଛି । କୌଣସି ପ୍ରକାର ଅଘଟଣ ଆଶଙ୍କାରେ ଅନ୍ୟ ପୁଅ ଜଗି ରହୁଛି । ବିଧବା ମାଁ ମୂଳ ଲାଗି ଯାହା ଆଣେ ତାହା ହିଁ ସର୍ବସ୍ବ । ସିଦ୍ଧବାବା ଡଙ୍ଗର ଶୀର୍ଷରେ ସିଦ୍ଧବାବା ପୂଜା ସୋମବାର,ମଙ୍ଗଳବାର ହେଉଥିବାରୁ ଶତାଧିକ ଭକ୍ତ ଆସିଥାନ୍ତି । ପୂର୍ଣ୍ଣିମା ତିଥିରେ ଲୋକାରଣ୍ୟ ହୋଇଯାଏ । ନିରୀହ ପରିବାର ପ୍ରତି କାହାର ନଜର ଆସିଲେ କିଛି ସହଯୋଗ କରିଥାନ୍ତି । ବର୍ଷା ସମୟରେ ଏହି ପରିବାରର ଦୁଃଖଦ,ଅଶ୍ରୁଳ କାହାଣୀ ମାନସିକତାକୁ ଦୋହଲାଇ ଦିଏ । କିନ୍ତୁ ଶିକୁଳିବନ୍ଧା ଯୁବକର ଚିକିତ୍ସା ତାଙ୍କର ଆର୍ଥିକ ସ୍ଥିତ ଅନୁସାରେ କରାଯାଇଛି । ଯାହା ସନ୍ତୋଷଜନକ ନୁହେଁ । ବିଧବା ମାଁର ଅନେକ ଚିନ୍ତା । ଘରଦ୍ବାର ନାହିଁ । ଜଙ୍ଗଲ ମଝିରେ ଘର । ପୁଅର ହାତ ଗୋଡ କେତେ ଦିନ ବନ୍ଧା ହୋଇ ରହିବ । ଅସୁମାରୀ ପ୍ରଶ୍ନ ; ପରିବାରର ଜୀବନରେଖା ବିସ୍ମିତ କରିଛି । (ରିପୋର୍ଟ/ନିରୋଜ କୁମାର ପାଣୀ)

Exit mobile version