ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) :- ପବିତ୍ର ନୃସିଂହ ଚତୁର୍ଦ୍ଦଶୀରେ ବୁଧବାର ମାଉସୀ ମା’ ମନ୍ଦିରରେ ଜଳାଶାୟୀ ନୀତି ସମ୍ପନ୍ନ ହୋଇଛି । ସ୍ଥାନୀୟ ବ୍ରାହ୍ମଣ ଯୁବକମାନେ କୂଅରୁ ଜଳ ଆଣି ଏହି ନୀତିରେ ସାମିଲ ହୋଇ ଥିଲେ । ଠାକୁରାଣୀଙ୍କୁ ଜଳ ମଧ୍ୟରେ ନିମଗ୍ନ କରିଥିଲେ । ତେବେ ଏହି ଜଳ ଆପେ ଆପେ ଅଦୃଶ୍ୟ ହୋଇଯାଇଥିଲା । ପରେ ଭୋଗରାଗ, ନୀତି ହୋଇ ପ୍ରସାଦ ବଣ୍ଟାଯାଇଥିଲା । କରୋନା କବଳରୁ କିପରି ମୁକ୍ତି ମିଳିବ ସେ ନେଇ ମା’ଙ୍କୁ ପ୍ରାର୍ଥନା କରାଯାଇଥିଲା ।
ଏହି ନୀତି ସମ୍ପର୍କରେ ପୂଜକ ବିଶ୍ୱନାଥ ମିଶ୍ର କହିଛନ୍ତି, ବହୁ ପୂର୍ବରୁ ପୁରୀ ବଡ଼ଦାଣ୍ଡ ମାଳିନୀ ନଦୀ ଦ୍ୱାରା ଦୁଇ ଭାଗ ଥିଲା । ସେତେବେଳେ ରଥଯାତ୍ରା ସମୟରେ ୬ଟି ରଥ ହେଉଥିଲା । ଶ୍ରୀମନ୍ଦିରରୁ ଚତୁର୍ଦ୍ଧା ମୂର୍ତ୍ତି ଆସି ନଦୀ ଆରପଟେ ଓହ୍ଲାଉଥିଲେ । ଠାକୁରଙ୍କୁ ନଦୀ ପାର କରାଯାଇ ପୁନଶ୍ଚ ନଦୀ ଏପଟେ ଥିବା ରଥରେ ବିଜେ କରାଯାଉଥିଲା । ଏହି ଅସୁବିଧା ଦେଖି ମହାପ୍ରଭୁଙ୍କ ମାଉସୀ ମାଳିନୀ ନଦୀକୁ ଶୋଷି ଦେଇଥିଲେ, ଯେଉଁଥିପାଇଁ ତାଙ୍କୁ କୁହାଯାଏ ଅର୍ଦ୍ଧଶୋଷିନୀ ବା ଅର୍ଦ୍ଧାଶିନୀ ।
