ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) :- ବରିଷ୍ଠ ଦଇତାପତି ସେବକ ରାମକୃଷ୍ଣ ଦାସ ମହାପାତ୍ର (ଟିକିପୁଅ)ଙ୍କୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସେବା କାର୍ଯ୍ୟରୁ ତିରିଶ ଦିନ ପାଇଁ ନିଲମ୍ବିତ କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ । ଏହି ନିଲମ୍ବନ ସମୟ ଭିତରେ ଶ୍ରୀ ଦାସ ମହାପାତ୍ର କୌଣସି ସେବାପୂଜାରେ ସାମିଲ ହୋଇପାରିବେ ନାହିଁ କିମ୍ବା ଶ୍ରୀମନ୍ଦିରକୁ ପ୍ରବେଶ କରିପାରିବେ ନାହିଁ ବୋଲି ନିଲମ୍ବନ ଆଦେଶରେ ଉଲ୍ଲେଖ ରହିଅଛି । ଏଥି ସହିତ ଶ୍ରୀ ଦାସମହାପାତ୍ରଙ୍କୁ ନିଲମ୍ବନ ଆଦେଶ ଜରିଆରେ ସ୍ପଷ୍ଟ କରାଯାଇଅଛି ଯେ, ନିଲମ୍ବନ ଅବଧି ସମୟରେ ଦଇତାପତି କିମ୍ବା ଅନ୍ୟ ନିଯୋଗର କୌଣସି ସେବକଙ୍କୁ ତଥା ଅନ୍ୟ କୌଣସି ବ୍ୟକ୍ତିଙ୍କୁ ସେ ପ୍ରଲୋଭିତ କିମ୍ବା ଧମକଚମକ କରି ଶ୍ରୀମନ୍ଦିରର କୌଣସି ସେବାପୂଜା ବା ନୀତିକାନ୍ତିରେ ବାଧକ ସାଜିବେ ନାହିଁ। ଏପରି କଲେ ନିଲମ୍ବନ ଅବଧିକୁ ବର୍ଦ୍ଧିତ କରାଯାଇ ଆହୁରି କଠୋର ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ।
ଏହି ସମୟ ମଧ୍ୟରେ ଶ୍ରୀମନ୍ଦିର କମାଣ୍ଡର ତଥା ବରିଷ୍ଠ ସୁପରଭାଇଜର ନିୟମିତ ଭାବେ ଶ୍ରୀ ଦାସମହାପାତ୍ରଙ୍କ ଆଚାର ବ୍ୟବହାର ଉପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ରିପୋର୍ଟ ପ୍ରଦାନ କରିବେ। ନିଲମ୍ବନ ତଥା ପରବର୍ତ୍ତୀ ସମୟରେ ଶ୍ରୀ ଦାସମହାପାତ୍ରଙ୍କ ବିଶୃଙ୍ଖଳ ଆଚରଣ ପରିଲକ୍ଷିତ ହେଲେ, ଶ୍ରୀମନ୍ଦିର ପ୍ରଶାସନ ତରଫରୁ ପ୍ରାପ୍ୟ,ପାଉଣା, ପୁରସ୍କାର ରଦ୍ଦ କରାଯିବ ବା ସ୍ଥଗିତ ରଖାଯିବ ବୋଲି ମଧ୍ଯ ଆଦେଶରେ କୁହାଯାଇଛି । କାର୍ଯ୍ୟାନୁଷ୍ଠାନ ଗ୍ରହଣ ପୂର୍ବରୁ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ଶ୍ରୀ ଦାସମହାପାତ୍ରଙ୍କୁ ଦୁଇଟି ନୋଟିସ୍ ହୋଇଥିଲା । ପ୍ରଥମେ ତା ୦୪.୦୫.୨୦୨୫ର କୈଫିୟତ ନୋଟିସ୍ ଜରିଆରେ, ସାତ ଦିନ ମଧ୍ୟରେ ଜବାବ ଦାଖଲ କରିବାକୁ କୁହାଯାଇଥିଲା ।
