ଉନ୍ନୟନ କାମକୁ ନେଇ ପୂର୍ବ ସରକାରଙ୍କୁ ସମାଲୋଚନା
ହିଞ୍ଜିଳିକାଟୁ (ଓଡ଼ିଶା ତାଜା ନ୍ୟୁଜ୍) ହିଞ୍ଜିଳିକାଟୁ :- ୩ମାସର ବ୍ୟବଧାନ ପରେ ହିଞ୍ଜିଳିକାଟୁ ପଞ୍ଚାୟତ ସମିତିର ଏକ ସ୍ୱତନ୍ତ୍ର ବୈଠକ ଶୁକ୍ରବାର ହୋହାଲ୍ଲା ପରିବେଶରେ ସଂପନ୍ନ ହୋଇଛି । ବୈଠକର ଆରମ୍ଭରୁ ହିଁ ଜନ ପ୍ରତିନିଧି ମାନେ ଉନ୍ନୟନ ପାଣ୍ଠିକୁ କେନ୍ଦ୍ର କରି ପରସ୍ପରକୁ ଦୋଷାରୋପ , କଥା କଟାକଟି ହୋଇ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଥିଲା । ଏପରିକି ବୈଠକରେ ପ୍ରଥମଥର ପାଇଁ ଯୋଗ ଦେଇଥିବା ଆସିକା ସାଂସଦ ଓ ୬୯ ନଂ ଜୋନ ଜିଲ୍ଲା ପରିଷଦ ସଭ୍ୟା ବୈଠକର ବ୍ୟବଧାନ ଓ ପୂର୍ବ ଯୋଜନାକୁ ନେଇ ଆରୋପ ଓ ପ୍ରତ୍ୟାରୋପ ଭଳି ରୋଚକ ଘଟଣା ଦେଖିବାକୁ ମିଳିଛି । ଉଭୟଙ୍କ ମଧ୍ୟରେ ବାକ୍ୟ ବିନିମୟ ଚାଲିଥିବା ବେଳେ ଜଣେ ଜନ ପ୍ରତିନିଧିଙ୍କ ସମାଲୋଚନା ମୂଳକ ମନ୍ତବ୍ୟକୁ କେନ୍ଦ୍ର କରି ସଂପୃକ୍ତ ଜନ ପ୍ରତିନିଧିଙ୍କୁ କିଛି ସରପଞ୍ଚ ତୀବ୍ର ସମାଲୋଚନା କରିବା ଫଳରେ ପଞ୍ଚାୟତ ସମିତିର ସ୍ୱତନ୍ତ୍ର ବୈଠକ ସରଗରମ ହୋଇ ପଡିଥିଲା । ପରେ ବିଡିଓଙ୍କ ହସ୍ତକ୍ଷେପ ପରେ ପରିସ୍ଥିତି ଶାନ୍ତ ହୋଇଥିବା ଜଣାପଡିଛି ।
ହିଞ୍ଜିଳିକାଟୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁଶ୍ରୀ ସାଗରିକା ଷଡଙ୍ଗୀଙ୍କ ସଂଯୋଜନାରେ ଶୁକ୍ରବାର ପଞ୍ଚାୟତ ସମିତିର ସ୍ୱତନ୍ତ୍ର ବୈଠକ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା । ବୈଠକରେ ବ୍ଳକ ଅଧ୍ୟକ୍ଷା ସରସ୍ୱତୀ ସେଠି ଅଧ୍ୟକ୍ଷତା କରିଥିଲେ । ମୁଖ୍ୟ ଅତିଥି ଭାବେ ଆସିକା ସାଂସଦ ଅନିତା ଶୁଭଦର୍ଶନୀ, ସମ୍ମାନିତ ଅତିଥି ଭାବେ ବିଧାୟକଙ୍କ ଜିଲ୍ଲା ପରିଷଦ ପ୍ରତିନିଧି ଦେବାନନ୍ଦ ମହାପାତ୍ର, ବ୍ଳକ ପ୍ରତିନିଧି ଏ. ସୁଦର୍ଶନ, ଉପାଧ୍ୟକ୍ଷ ସୁନିଳ ଗନ୍ତାୟତ, ତହସିଲଦାର ତପନ ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ । ଏବିଡିଓ ଅରୁଣ କୁମାର ପ୍ରଧାନ ସ୍ୱାଗତ ଭାଷଣ ସହ ଅତିଥି ପରିଚୟ ପ୍ରଦାନ କରିଥିଲେ । ବୈଠକ ପ୍ରାରମ୍ଭରେ ବିଡିଓ ବିକଶିତ ଗାଁ- ବିକଶିତ ଓଡିଶା ଯୋଜନାର ପ୍ରକଳ୍ପ ଅନୁମୋଦନ ସର୍ମ୍ପକରେ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଣୀତ ବ୍ୟବସ୍ଥା ଉପରେ ବିବରଣୀ ପ୍ରଦାନ କରିଥିଲେ ।
