ଭୁବନେଶ୍ବର (ଓଡ଼ିଶା ତାଜା ନ୍ୟୁଜ୍) :- ସିଙ୍ଗାପୁରଠାରେ ଅନୁଷ୍ଠିତ ହେବାକୁ ଯାଉଥିବା ଫାଇଫ ଷ୍ଟାର ଓଲିଉଡ ପୁରସ୍କାରକୁ କେନ୍ଦ୍ର କରି ଏବେ ଜୋରଦାର ପ୍ରସ୍ତୁତି ପର୍ବ ଚାଲିଥିବା ଲକ୍ଷ୍ଯ କରାଯାଉଛି। ଓଡ଼ିଆ ଚଳଚ୍ଚିତ୍ର ଇତିହାସରେ ଦ୍ଵିତୀୟ ଥର ପାଇଁ ଦେଶ ବାହାରେ ଆର. ଆର ଇଭେଣ୍ଟସ ଏଣ୍ଡ ସିନେ ପ୍ରଡକ୍ସନ ( ଆର. ଆର. ଇ.ଏ.ସି. ପି.) ଏବଂ ଓଡ଼ିଆ ସୋସାଇଟି ଅଫ୍ ସିଙ୍ଗାପୁରର ମିଳିତ ଉଦ୍ୟମରେ ଏହି ଚଳଚ୍ଚିତ୍ର ମହୋତ୍ସବ ଆୟୋଜିତ ହେବାକୁ ଯାଉଛି। ଓଲିଉଡ ପୁରସ୍କାରକୁ ଭାରତ ବାହାରକୁ ନେଇ ଏହାକୁ ଅନ୍ତର୍ଜାତୀୟ ସ୍ତରରେ ସ୍ୱୀକୃତି ଓ ସମ୍ମାନ ପ୍ରଦାନ କରିବା ପାଇଁ ଆର. ଆର. ଇଭେଣ୍ଟସ ଏଣ୍ଡ ସିନେ ପ୍ରଡକନ୍ସର ପ୍ରତିଷ୍ଠାତା ରମେଶ ବାରିକଙ୍କର ମହତ ଆକାଂକ୍ଷା ରହିଥିବା ଜଣାଯାଇଛି । ଏହା ପୂର୍ବରୁ ଦେଶ ବାହାରେ ପ୍ରଥମ ଥର ପାଇଁ ଆର. ଆର. ଇ.ଏ.ସି. ପି. ଦୁବାଇଠାରେ ଗତ ବର୍ଷ ଏହି ପୁରସ୍କାର ସମାରୋହ ବ୍ୟାପକ ସଫଳତାର ସହ ଆୟୋଜନ କରିଥିଲା ।
ଫାଇଫ ଷ୍ଟାର ଫିଲ୍ମ ଆୱାର୍ଡସ-୨୦୨୫ ସିଙ୍ଗାପୁର ନାମରେ ନାମିତ ଏହି ରଙ୍ଗାରଙ୍ଗ ଉତ୍ସବରେ ଓଡ଼ିଶାର ଉତ୍କୃଷ୍ଟ କଳା, ଉନ୍ନତ ସଂସ୍କୃତି ଓ ଉଚ୍ଚକୋଟୀର ଚଳଚ୍ଚିତ୍ରର ଅନନ୍ୟ ଓ ନିଆରା ପ୍ରଦର୍ଶନ ଦେଖିବାକୁ ମିଳିବ ବୋଲି ଆୟୋଜକଙ୍କ ସୂତ୍ରରୁ ପ୍ରକାଶ । ଏହି ଭବ୍ୟ ଓ ଦିବ୍ୟ ଉତ୍ସବରେ ଓଡ଼ିଶାର ହସ୍ତତନ୍ତ ପ୍ରଦର୍ଶନୀ, ବୟନିକା ପକ୍ଷରୁ ଫ୍ୟାଶନ ସୋ, ମନଲୋଭା ଓଡ଼ିଶୀ ନୃତ୍ୟ ଏବଂ ସୁଲଳିତ ସଙ୍ଗୀତର ମଧୁର ମୂର୍ଚ୍ଛନା ମଧ୍ଯ ସ୍ଥାନ ପାଇବାକୁ ଯାଉଛି । ସିଙ୍ଗାପୁରର ୱାନ୍ ୱାର୍ଲଡ ଇଣ୍ଟରନେସନାଲ ସ୍କୁଲର କ୍ୱାଣ୍ଟମ ଏରେନା ପ୍ରେକ୍ଷାଳୟଠାରେ ଆସନ୍ତା ୧୦ ତାରିଖର ଅପରାହ୍ନରେ ଆରମ୍ଭ ହେବାକୁ ଯାଉଥିବା ଏହି ବିଶ୍ୱସ୍ତରୀୟ ଚଳଚ୍ଚିତ୍ର ମହାକୁମ୍ଭରେ, ସିଙ୍ଗାପୁରରେ ଅବସ୍ଥାନ କରୁଥିବା ସହସ୍ରାଧିକ ମାନ୍ୟଗଣ୍ୟ ଓଡ଼ିଆ, ଓଲିଉଡ ପ୍ରେମୀ ଜନସାଧାରଣ ଏବଂ ଓଡ଼ିଆ ତାରକାମାନଙ୍କର ପ୍ରଶଂସକ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି ।
