ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) :- ମହିଳା ଉଦ୍ୟୋଗୀମାନେ ନିର୍ଭୀକ ଭାବେ ସ୍ୱପ୍ନ ଦେଖନ୍ତୁ, ସାହାସର ସହ ନିର୍ମାଣ କରନ୍ତୁ ଏବଂ ଗର୍ବର ସହ ନେତୃତ୍ୱ ନିଅନ୍ତୁ ବୋଲି ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍ପାଟି ଆହ୍ୱାନ ଜଣାଇଛନ୍ତି । ଚଳିତ ମଇ ୪ ତାରିଖ ଦିନ ଇଣ୍ଡିଆନ ଚାମ୍ବର ଅଫ୍ କମର୍ସର ଜାତୀୟ ମହିଳା ଏଂଟରପ୍ରିନେଅରସିପ୍ କାଉନ୍ସିଲ ଆନୁକୂଲ୍ୟରେ ଭୁବନେଶ୍ୱର ୟୁନିଟ୍-୩ ସ୍ଥିତ ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ମହିଳା ବାଣିଜ୍ୟ ମେଳା – ୨୦୨୫ର ଉଦ୍ଯାପନୀ ସମାରୋହରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ରାଜ୍ୟପାଳ ଏହି ଆହ୍ୱାନ ଦେଇଛନ୍ତି ।
ଏହି ଅବସରରେ ବାଣିଜ୍ୟ ମେଳାରେ ଅଂଶ ଗ୍ରହଣକାରୀମାନଙ୍କର ଉତ୍ସାହ ଓ ସଫଳତାକୁ ପ୍ରଶଂସା କରି ରାଜ୍ୟପାଳ ନିଜ ଉଦ୍ବୋଧନରେ କହିଥିଲେ ଯେ, ଆତ୍ମ ମର୍ଯ୍ୟାଦା, ସୃଜନଶୀଳତା ଓ ସାହସର ସହ ମହିଳା ଉଦ୍ୟୋଗୀମାନେ ଭାରତର ବିକାଶ କାହାଣୀର ନୂତନ ଅଧ୍ୟାୟ ଲେଖୁଛନ୍ତି । ସେମାନଙ୍କୁ ଏ ଜାତିର ଗର୍ବ ଏବଂ ଭବିଷ୍ୟତ ପୀଢ଼ି ପାଇଁ ଆଲୋକବର୍ତିକା ଭାବେ ଅଭିହିତ କରି ଏକ ସମୃଦ୍ଧ ଏବଂ ସଶକ୍ତ ଭାରତର ଦୃଷ୍ଟିକୋଣ ସହିତ ଆଗକୁ ବଢ଼ିବାକୁ ରାଜ୍ୟପାଳ ଆହ୍ୱାନ ଜଣାଇଥିଲେ । ରାଜ୍ୟପାଳ ପୁଣି କହିଥିଲେଯେ, ମହିଳାମାନେ ସର୍ବଦା ସ୍ରଷ୍ଟା, ଯତ୍ନଶୀଳା ଏବଂ ସମାଜ ନିର୍ମାତା ହୋଇ ଆସିଛନ୍ତି ।
