ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) :- ପବିତ୍ର ଅକ୍ଷୟ ତୃତୀୟାରେ ରଥ ନିର୍ମାଣ କାର୍ଯ୍ଯର ଶୁଭ ଅନୁକୂଳ ହୋଇଥିଲା । ଅକ୍ଷୟ ତୃତୀୟା ପର ଦିନ ରଥଖଳା ତିନୋଟି ଚାଳି ବା ବାଡରେ ବିଶ୍ବକର୍ମା ମହାରଣା ମାନେ ଚକର ତୁମ୍ବ କଟା ଆରମ୍ଭ କରିଥିଲେ । ରଥ ଅମିନ ତୁମ୍ବ କାଠରେ ମାପଚୁପ ଦେବା ପରେ ସୂତା ବାଡିଆ ହୋଇ ବଡ କାଠ ଗଣ୍ଡିରୁ ତୁମ୍ବ କାଟିଥିଲେ ।

ଏହି ତୁମ୍ବ ଗୁଡିକ ଫାଶି କାଠରେ ନିର୍ମିତ ହେଉଛି । ସୂତାର ମହାରଣା କଳା ସୂତାରେ ଦାଗ ଦେବା ପରେ ମର୍ଦଳାକାର ଭାବେ ତୁମ୍ବ ଗଣ୍ଡିକୁ ସାଇଜ କରିଥିଲେ । ଦ୍ବିତୀୟ ଦିନରେ ୬ଟି ତୁମ୍ବ ର ଗୋଲେଇ କାର୍ଯ୍ଯ ସମ୍ପନ୍ନ ହୋଇଥିଲା । ଶନିବାର ତୃତୀୟ ଦିନରେ ୯ଟି ତୁମ୍ବର ଗୋଲେଇ କାର୍ଯ୍ଯ ସରିବା ପରେ ତିନି ଚାଳିରେ ତୁମ୍ବ ରଖାଯାଇଛି ।
ତାଳଧ୍ବଜ ଚାଳିରେ ୩ଟି,ଦର୍ପଦଳନ ଚାଳିରେ ୩ଟି ଏବଂ ନନ୍ଦିଘୋଷ ଚାଳିରେ ୩ଟି ଲେଖାଁଏ ତୁମ୍ବ ରଖାଯାଇଛି । ଏହା ସହ ତୁମ୍ବ ଗଣ୍ଡି କଟାଯାଇ ତିନୋଟି ଲେଖାଁଏ ରଖାଯାଇଛି । ସମୁଦାୟ ୪୨ ଟି ତୁମ୍ବ ନିର୍ମାଣ କରାଯିବ।
ନନ୍ଦିଘୋଷ ରଥ ପାଇଁ ୧୬ଟି, ତାଳଧ୍ବଜ ରଥ ପାଇଁ ୧୪ଟି ଓ ଦର୍ପଦଳନ ରଥ ପାଇଁ ୧୨ ତୁମ୍ବ ନିର୍ମାଣ କରାଯିବ । ଦୋଳବେଦି ଅସ୍ଥାୟୀ କମାରଶାଳରେ ବାଉଁଶ ପଡି ଚାଳି ନିର୍ମାଣ ହୋଇଥିଲା । ଅକ୍ଷୟ ତୃତୀୟା ଦିନ କାଳ ବୈଶାଖୀରେ ଏହି ଚାଳି ଭାଙ୍ଗି ଯାଇଥିଲା ।ଏହାକୁ ପୁନଃନିର୍ମାଣ କରାଯାଉଛି । ତିନୋଟି ଭାଟି ଶାଳ ପାଇଁ ଇଟାରେ ବେଦୀ ନିର୍ମାଣ ହୋଇଛି । ତା ଉପରେ ଲୁହା ଖଣ୍ଡ ରଖାଯାଇଛି । ଏହା ସହ ଅନ୍ଯ ଏକ ଅଣସର ଚାଳି ନିର୍ମାଣ କରାଯାଇଛି । ସେଥିରେ ଅଣସର ସହସ୍ର କାର୍ଯ୍ଯ ଆରମ୍ଭ ହେବ ।
