Home ଓଡ଼ିଶା ରଥ ନିର୍ମାଣ ପାଇଁ କାଠ ଅନୁକୂଳ ଓ ଚନ୍ଦନଯାତ୍ରା by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) :- ବୈଶାଖ ମାସ ଶୁକ୍ଳପକ୍ଷ ତୃତୀୟା ବା ଅକ୍ଷୟ ତୃତୀୟା ଅବସରରେ ମହାପ୍ରଭୁଙ୍କ ରଥଯାତ୍ରା ପାଇଁ ରଥକାଠ ଶ୍ରୀନଅର ସମ୍ମୁଖ ଅନୁକୂଳ ହୋଇଛି । ତିନୋଟି ୧୨ ଫୁଟିଆ ଧଉରା କାଠକୁ ପୂଜାର୍ଚ୍ଚନାର ପରେ ସ୍ବର୍ଣ୍ଣ କୁରାଢୀରେ ସ୍ପର୍ଶ ଦିଆଯାଇଥିଲା । ରାଜ ପୁରୋହିତ ଓ ଶ୍ରୋତ୍ରୀୟ ବ୍ରାହ୍ମଣଙ୍କ ଦ୍ବାରା ମା ସରସ୍ଵତୀଙ୍କ ପୂଜାର୍ଚ୍ଚନା କରାଯାଇ ତିନୋଟି ରଥକାଠକୁ ବନ୍ଦାପନା ପୂଜାର୍ଚ୍ଚନା କରାଯାଇଥିଲା । ଶ୍ରୀଜୀଉଙ୍କ ଠାରୁ ଆଜ୍ଞାମାଳ ଆସିବା ପରେ ବିଶ୍ବକର୍ମା ମହାରଣା ମାନେ ରଥ ନିର୍ମାଣ ପାଇଁ ରଥକାଠ ଅନୁକୂଳ କରିଥିଲେ । ଦୁଇଜଣ ଦେଉଳ ପୁରୋହିତ, ୧୧ଜଣ ଶ୍ରୋତ୍ରୀୟ ବ୍ରାହ୍ମଣଙ୍କ ଦ୍ବାରା ବନଯାଗ ନୀତିରେ ଚାଳିଘରେ ହୋମ କରାଯାଇଥିଲା । ପୂଜାପଣ୍ଡା ଆଜ୍ଞାମାଳ ପ୍ରଦାନ ପରେ ସ୍ବର୍ଣ୍ଣ କୁରାଢୀରେ ରଥକାଠ ଅନୁକୂଳ ହୋଇଥିଲା । ଅକ୍ଷୟ ତୃତୀୟା ପର୍ବରେ ମହାପ୍ରଭୁଙ୍କ ୨୧ ଦିନିଆ ବାହାର ଚନ୍ଦନଯାତ୍ରା ଶୁଭାରମ୍ଭ ହୋଇଛି । ୨୧ ଦିନ ଧରି ନରେନ୍ଦ୍ର ପୁଷ୍କରିଣୀରେ ଦିନ ଚାପ ଓ ରାତି ଚାପ ଅନୁଷ୍ଠିତ ହେବ । ଶ୍ରୀମନ୍ଦିରରେ ଭୋଗମଣ୍ଡପ ସରିବା ପରେ ଓ ଆଜ୍ଞାମାଳ ପାଇବା ପରେ ମଣିବିମାନ ଓ ପାଲିଙ୍କିରେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନମୋହନ ଓ ରାମକୃଷ୍ଣ ,ଭୂଦେବୀ ଶ୍ରୀଦେବୀ ବିଜେ କରିଥିଲେ । ସିଂହଦ୍ବାର ଠାରେ ସୁସଜ୍ଜିତ ମହାପ୍ରଭୁ ମଣିବିମାନ ଓ ପାଲିଙ୍କିରେ ବିଜେ କରିଥିବା ବେଳେ ପଛରେ ପଞ୍ଚ ମହାଦେବ ଯଥା ଶ୍ରୀଲୋକନାଥ, ଶ୍ରୀଜମ୍ବେଶ୍ବର, ଶ୍ରୀମାର୍କଣ୍ଡେଶ୍ବର ,ଶ୍ରୀକପାଳମୋଚନ ଓ ଶ୍ରୀନୀଳକଣ୍ଠେଶ୍ବର ଏପରି ୧୦ଟି ଚଳନ୍ତି ପ୍ରତିମା ଘଣ୍ଟ ଘଣ୍ଟୁଆଙ୍କ ସହ ପାରମ୍ପରିକ କାହାଳୀ ବାଦ୍ଯର ତାଳେ ତାଳେ ଏକ ବିରାଟ ଶୋଭାଯାତ୍ରାରେ ନରେନ୍ଦ୍ର ପୁଷ୍କରିଣୀ ଚକଡାକୁ ବିଜେ କରିଥିଲେ । ଚକଡାରେ ରୂପା ପିଙ୍ଗଣରେ ଥିବା ସୁବାସିତ ଜଳରେ ପାଦଧ୍ବତ କରାଯାଇଥିଲା । ଦୁଇଟି ସୁସଜ୍ଜିତ ନନ୍ଦା ଓ ଭଦ୍ରା ଚାପ ନୌକାରେ ଚାପ ଖେଳିଥିଲେ । ପୁଷ୍କରିଣୀ ମଝିରେ ଥିବା ଚାପ ମନ୍ଦିରରେ ତିନୋଟି କୁଣ୍ଡରେ ଚନ୍ଦନ, କର୍ପୂର, କସ୍ତୁରୀ, ଜାଇଫଳ, ମଲ୍ଲୀ, ଚମ୍ପା, ଜୁଇ, ସୁଗନ୍ଧରାଜ ଓ ଗୋଲାପ ବ୍ଯବହାର କରାଯାଇ ସୁବାସିତ ଜଳ ପ୍ରସ୍ତୁତ ହୋଇଥିଲା । ସେଇ କୁଣ୍ଡରେ ଚଳନ୍ତି ପ୍ରତିମା ମାନେ ବୁଡ ପକାନ୍ତି । ନନ୍ଦା ଓ ଭଦ୍ରା ଚାପ ନୌକା ସମେତ ବୈଜୟନ୍ତୀ ଡଙ୍ଗା ବାଜା କାହାଳୀ ସହ ଜଳ କ୍ରୀଡା କରିଛନ୍ତି । ନରେନ୍ଦ୍ର ପୁଷ୍କରିଣୀ ରଙ୍ଗୀନ ଆଲୋକରେ ଝଲମଲ ହୋଇ ଆଲୋକିତ କରୁଥିବା ବେଳେ ସୁସଜ୍ଜିତ ସୁଗନ୍ଧିତ ପୁଷ୍ପରେ ମହକୁଛି ଚନ୍ଦନ ଚକଡା । ଶ୍ରୀମନ୍ଦିର ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ଶାନ୍ତି ଶୃଙ୍ଖଳା ଓ ଭକ୍ତଙ୍କ ସମାଗମ ପାଇଁ ସ୍ବତନ୍ତ୍ର ବ୍ଯବସ୍ଥା ଗ୍ରହଣ କରାଯାଇଥିଲା । ଶ୍ରଦ୍ଧା ଭକ୍ତିର ସହ ଆଧ୍ୟାତ୍ମିକ ପରିବେଶ ମଧ୍ଯରେ ଲକ୍ଷାଧିକ ଭକ୍ତ ହରିବୋଲ, ହୁଳହୁଳି ସହ ଜୟ ଜଗନ୍ନାଥ ଧ୍ବନି ଦେଇ ମହାପ୍ରଭୁଙ୍କ ଏହି ଅପୂର୍ବ ଲୀଲା ଦର୍ଶନ କରିଥିଲେ । Categories: ଓଡ଼ିଶା, ପୁରୀ, ହୋମ୍ Related Content ମାଲକାନଗିରିରେ ୮୦ ତମ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ by Proprietor Abhimanyu Maharana August 5, 2026 ସରିଗଲାଣି ରଥଯାତ୍ରା - ବଡଦାଣ୍ଡ ରୁ ଉଠିନି ବାଲିବସ୍ତା by Proprietor Abhimanyu Maharana August 5, 2026 ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ ପରିସରରେ ବୃକ୍ଷ ପୂଜନ ଓ ବୃକ୍ଷ ରୋପଣ by Proprietor Abhimanyu Maharana August 5, 2026 ରଥଯାତ୍ରା ଆଣ୍ଟି ସ୍ନାଚିଂ ଅଭିଯାନ ୧୭୫ ସ୍ନାଚର ଗିରଫ, ୩୦୪ ମୋବାଇଲ ଉଦ୍ଧାର by Proprietor Abhimanyu Maharana August 5, 2026 ମହେନ୍ଦ୍ରଗିରି (ପୌର) ସରକାରୀ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ଓ ଅଭିଭାବକ ବୈଠକ by Proprietor Abhimanyu Maharana August 5, 2026 ଦିବଂଗତ ଏସବିଆଇ ଗ୍ରାହକଙ୍କ ପରିବାରଂକୁ ଜମାରାଶି ପ୍ରଦାନ by Proprietor Abhimanyu Maharana August 5, 2026