ମାଲକାନଗିରି (ଓଡ଼ିଶା ତାଜା ନ୍ୟୁଜ୍) :- ପୂର୍ବାହ୍ନରେ ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରୀ ତାଙ୍ଗୁଲୁଙ୍କ ଅଧ୍ୟକ୍ଷତାରେ ୭୩ ତମ ଜିଲ୍ଲା ପରିଷଦ ବୈଠକ ଅନୁଷ୍ଠିତ ହୋଇଛି । ବୈଠକରେ ମାଲକାନଗିରି ବିଧାୟକ ନରସିଂହ ମାଡ଼କାମୀ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ପତିତ ପାବନ ବୈଦ୍ୟ, ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଆଶିଷ ଈଶ୍ୱର ପାଟିଲ , ଜିଲ୍ଲା ପରିଷଦର ମୁଖ୍ୟ ଉନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ, ନରେଶ ଚନ୍ଦ୍ର ଶବର, ସାଂସଦ ପ୍ରତିନିଧି ସଞ୍ଜୟ ସରକାର, ଚିତ୍ରକୋଣ୍ଡା ବିଧାୟକ ପ୍ରତିନିଧି ଗୋବିନ୍ଦ ପାତ୍ର ମଞ୍ଚାସୀନ ଥିଲେ ।
ଏହି ସଭାରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ସମ୍ବନ୍ଧରେ ଆଲୋଚନା କରାଯାଇଥିଲା । ପୂର୍ବ ବୈଠକରେ ହୋଇଥିବା ଆଲୋଚନା ତଥା ଜନଜାତି ଉନ୍ନୟନ, ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ଏବଂ ପରିମଳ, ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ, କୃଷି, ପ୍ରାଥମିକ ଶିକ୍ଷା ଓ ଗଣ ଶିକ୍ଷା, ଜଳସେଚନ , ଗ୍ରାମ୍ୟ ଉନ୍ନୟନ, ଜାତୀୟ ରାଜପଥ, ଯୋଗାଣ ବିଭାଗ , ସମାଜ ମଙ୍ଗଳ ବିଭାଗ ଆଦି ବିଷୟରେ ଗୃହକୁ ଶ୍ରୀ ଶବର ସୂଚନା ଦେଇଥିଲେ । ପରିଷଦର ସମସ୍ତ ପ୍ରତିନିଧିଙ୍କର ପଚାରିଥିବା ପ୍ରଶ୍ନର ଉତ୍ତର ରଖିଥିଲେ ବିଭାଗୀୟ କର୍ତ୍ତୃପକ୍ଷ । ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିନରେ ଥିବା ସମସ୍ତ ରାସ୍ତା ଓ ସେତୁ ନିର୍ମାଣ କାର୍ଯ୍ୟର ଗୁଣବତ୍ତା ଉପରେ ଧ୍ୟାନ ଦେଇ ବର୍ଷା ଋତୁ ଆରମ୍ଭ ହେବା ପୂର୍ବରୁ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ବିଧାୟକ ଶ୍ରୀ ମାଡ଼କାମୀ ନିର୍ଦ୍ଦେଶ ଦେଇଛନ୍ତି।
