ଭତ୍ତା ନ ପାଇ ବୃଦ୍ଧା ମାଗିଲେ ଭିକ୍ଷା : ବୃଦ୍ଧାଙ୍କୁ ଭତ୍ତା ଟଙ୍କା ପ୍ରଦାନ କରିବାକୁ ବିଡିଓଙ୍କ ନିର୍ଦ୍ଦେଶ

ତପନ ରାଉତ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ସତ୍ୟଭାମା ଭତ୍ତା ଟଙ୍କା ପାଉଛନ୍ତି ବୋଲି ସଫେଇ ଦେଇଥିଲେ l

କେନ୍ଦ୍ରାପଡ଼ା  (ଓଡ଼ିଶା ତାଜା ନ୍ୟୁଜ୍) :- ପଟ୍ଟାମୁଣ୍ଡାଇ ବ୍ଲକ୍ ଅଧୀନ ଖଣତା ପଞ୍ଚାୟତ ଅନ୍ତର୍ଗତ ଡିମିରିଆ ଗ୍ରାମର ସ୍ୱର୍ଗତ କେଶବ ସେଠୀଙ୍କ ପତ୍ନୀ ସତ୍ୟଭାମା ସେଠୀ (୮୩) ଦୀର୍ଘବର୍ଷ ଧରି ଭତ୍ତା ପାଇଆସୁଛନ୍ତି । ସତ୍ୟଭାମାଙ୍କୁ ୮୦ ବର୍ଷରୁ ଊର୍ଦ୍ଧ୍ବ ହୋଇଥିବା କାରଣରୁ ଗତ ଜାନୁଆରୀ ମାସରୁ ବଦ୍ଧିତ ହାରରେ ୩ ହଜାର ୫୦୦ ଟଙ୍କା ତାଙ୍କୁ ପ୍ରଦାନ କରାଯାଉଥିବା ସରକାରୀ ରେକର୍ଡ କହୁଥିବାବେଳେ ଭତ୍ତା ଟଙ୍କା ସତ୍ୟଭାମାଙ୍କ ପାଖରେ ପହଞ୍ଚୁ ନଥିବା ଅଭିଯୋଗ ହୋଇଥିଲା I ସତ୍ୟଭାମା ଗତ ୫ ମାସ ଧରି ଭତ୍ତା ଟଙ୍କା ପାଉ ନ ଥିବାବେଳେ ଖଣତା ପଞ୍ଚାୟତ କାର୍ଯ୍ୟାଳୟକୁ ଭତ୍ତା ଟଙ୍କା ଆଣିବାକୁ ଯାଇ ପ୍ରତି ମାସରେ ନିରାଶ ହୋଇ ଫେରୁଥିବା ସତ୍ୟଭାମା ଗୁରୁତର ଅଭିଯୋଗ କରିଥିଲେ l

ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ସତ୍ୟଭାମା ଭତ୍ତା ଟଙ୍କା ପାଉଛନ୍ତି ବୋଲି ସଫେଇ ଦେଇଥିଲେ l ଏଣେ ବୃଦ୍ଧା ସତ୍ୟଭାମାଙ୍କୁ ତାଙ୍କ ପୁଅ ଖାଇବାକୁ ଦେଉ ନ ଥିବା କାରଣରୁ ସେ ଭିକ୍ଷାବୃତ୍ତିକୁ ଆପଣେଇ ଥିବା ସତ୍ୟଭାମା କହିଥିଲେ । ନିଜ ପେଟକୁ ମୁଠାଇ ଦାନା ଯୋଗାଡ଼ କରିବା ପାଇଁ ଡହଡହ ଖରାରେ ସତ୍ୟଭାମା ରାଜନଗର ବ୍ଲକର ସାନ ବଡ ଗୋପାଳପୁର ବଜାରରେ ବୁଲି ଭିକ୍ଷା ମାଗୁଥିବା ଦେଖ‌ିବାକୁ ମିଳିଥିଲା ।

ଗତ ୫ ମାସ ଧରି ସତ୍ୟଭାମା ଭିକ୍ଷାବୃତ୍ତି କରିଆସୁଥିବା କହିଥିଲେ ଏ ସମ୍ପର୍କରେ ରାଜନଗର ଅଞ୍ଚଳର ସମାଜସେବୀ ଅଲେଖ ପରିଡ଼ା ଜାଣିବାକୁ ପାଇ ଗଣମାଧ୍ୟମର ଦୃଷ୍ଟି ଆକର୍ଷଣ କରିଥିଲେ l ଫଳରେ ବୃଦ୍ଧା ସତ୍ୟଭାମାଙ୍କ ଘଟଣା ଲୋକଲୋଚନକୁ ଆସିଥିଲା । ଏ ନେଇ ଗଣମାଧ୍ୟମରେ ଖବର ପ୍ରକାଶିତ ହେବା ପରେ ପଟ୍ଟାମୁଣ୍ଡାଇ ଭାରପ୍ରାପ୍ତ ବିଡିଓ ଅଶୋକ ମହାନ୍ତି ଖଣତା ପଞ୍ଚାୟତ ନିର୍ବାହୀ ଅଧିକାରୀ ତପନ ରାଉତଙ୍କୁ ତାଙ୍କ କାର୍ଯ୍ୟାଳୟକୁ ଡାକି ପ୍ରତି ମାସରେ ସତ୍ୟଭାମାଙ୍କୁ ତାଙ୍କ ଘରେ ଭତ୍ତା ଟଙ୍କା ପ୍ରଦାନ କରି ଆସିବାକୁ ନିର୍ଦ୍ଦେଶ ଦେଇଥ‌ିବା ଜଣାପଡ଼ିଛି।

Exit mobile version