ଦଶପଲ୍ଲା (ଓଡ଼ିଶା ତାଜା ନ୍ୟୁଜ୍) :- ଭାରତ ପ୍ରସିଦ୍ଧ ଦଶପଲ୍ଲା ,ଲଙ୍କାପୋଡ଼ି ଯାତ୍ରାର ରାବଣ ବଧ କୁ ମୁଖ୍ୟ ଉତ୍ସବ ଭାବରେ ଗଣନା କରାଯାଏ । ଏହି ପ୍ରସଙ୍ଗଟି ତିନୋଟି ମଂଚରେ ଅଭିନନୀତ ହୁଏ । ସର୍ବ ପ୍ରଥମେ ମୁଖ୍ୟ ମଂଚରେ ଇନ୍ଦ୍ରଜିତ ବଧ ପ୍ରସଙ୍ଗଟି ଖୁବ୍ ରୋଚକ ଭାବେ ଅନୁଷ୍ଠିତ ହୁଏ । ଇନ୍ଦ୍ରଜିତ ଦିବ୍ୟରଥ ଓ ଅସ୍ତ୍ର ନିମନ୍ତେ ଯଜ୍ଞ କରୁଥିବା ବେଳେ ଲକ୍ଷ୍ମଣ ଅତର୍କିତ ଆକ୍ରମଣ କରି ତାହାର ବଧ କରନ୍ତି । ତଦନ୍ତେ ଶୋକାତୁର ରାବଣ ଲକ୍ଷ୍ମଣଙ୍କୁ ଏକଘନି ବ୍ରହ୍ମାସ୍ତ୍ର ଦ୍ବାରା ଆହତ କରନ୍ତି । ମାତ୍ର ବୈଦ୍ୟ ଶୁଷଣ ଙ୍କ ପରାମର୍ଶରେ ଶ୍ରୀ ହନୁମାନ ହିମାଳୟ ରୁ ଗନ୍ଧମାର୍ଦ୍ଦନ ପର୍ବତର ଏକ ଶୃଙ୍ଗ ଆଣିବା ମଧ୍ୟରେ ଅଯୋଧା ବାଟରେ ଗମନ କଲାବେଳେ ଭରତଙ୍କ ବାଟୁଳିରେ ମୂର୍ଛାଗତ ହୋଇ ଭୂ ପତିତ ହୁଅନ୍ତି ।
ସେଠାରେ ଭରତ ସବୁକଥା ଜାଣିବା ପରେ ଶୋକ କରନ୍ତି । ମାତ୍ର ପୁନଶ୍ଚ ମହାବୀର ହନୁମାନ ପର୍ବତ ଧରି ଲଙ୍କା ଆଗମନ ବେଳେ ରାବଣ ସେନା ପଠାଇ ପ୍ରତିରୋଧ କରି ବିଫଳ ହୁଏ । ଶେଷରେ ଅମୃତ ତୁଲ୍ୟ ସଂଜିବନୀ ନେଇ ଲକ୍ଷ୍ମଣ ସୁସ୍ଥ ହୁଅନ୍ତି । ଏଣିକି ଶେଷ ସମୟ ଆରମ୍ଭ ହୁଏ । ମୁଖ୍ୟ ମଂଚରୁ ସମର ଆରମ୍ଭ ହୋଇ ସୁବଳ ଗିରୀ ମଂଚ ( ଗଣେଶ ବଜାର ) ପର୍ଯ୍ୟନ୍ତ ଆଗମନ ହୁଏ । ସେଠାରେ ସ୍ଥୁଳଜଙ୍ଗ ବଦ୍ଧ ହୁଏ । ଦେବରାଜ ଇନ୍ଦ୍ର ବିଜୟାରଥ ପ୍ରେରଣ କରନ୍ତି । ଗୋଟାଏ ଦିଗରେ ଦିବ୍ୟ ରଥରେ ରାମଲକ୍ଷ୍ମଣ ଓ ଅନ୍ୟପଟରେ ପୁଷ୍ପକ ବିମାନରେ ରାବଣ ବୀରବାଦ୍ୟ ଘୁମୁରା ,ଢୋଲ , ନିଶାଣ ଚାଙ୍ଗୁ , ମହୁରୀ ,ପରି ବହୁ ପାରମ୍ପାରିକ ବାଦ୍ୟ ସହ ଘମାଘୋଟ ଲଢ଼େଇ ଚାଲେ ପ୍ରାୟ ଏକ କି.ମି. ଲଙ୍କାଗଡ଼ ମଂଚ ( ଗାନ୍ଧୀ ପଡିଆ ) ପର୍ଯ୍ୟନ୍ତ ।
