କୋର୍ଟ ସ୍ଥାନାନ୍ତର ନକରିବା ପ୍ରତିବାଦରେ ମିଳିତ ବୈଠକ

ସରକାରଙ୍କ କାନରେ ପ୍ରତିବାଦର ସ୍ବର ବାଜୁ  :- ବ୍ରଜ

ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) :- ପୁରୀ କୋର୍ଟ ସ୍ଥାନାନ୍ତର ପ୍ରତିବାଦରେ ଆଜି ପୁରୀ ବାର ଆସୋସିଏସନ ସଭାଗୃହରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ସଂଘର ସଭାପତି ପ୍ରେମାନନ୍ଦ ମହାନ୍ତି ଅଧ୍ୟକ୍ଷତା କରିଥିବା ବେଳେ ସାଧାରଣ ସମ୍ପାଦକ ଶରତ ରାୟଗୁରୁ ଏଜେଣ୍ଡା ସମ୍ପର୍କରେ ଆଲୋକପାତ କରିଥିଲେ । କୋର୍ଟ ନଉଠିବା ପାଇଁ ଆନ୍ଦୋଳନକୁ ଜୋରଦାର କଲେ ସରକାରଙ୍କ କାନରେ ପ୍ରତିବାଦର ସ୍ୱର ବାଜିବ ବୋଲି ପୂର୍ବତନ କେନ୍ଦ୍ରମନ୍ତ୍ରୀ ବ୍ରଜକିଶୋର ତ୍ରିପାଠୀ ମତ ଦେଇଥିଲେ ।

ପ୍ରତିବାଦ ସ୍ୱରୂପ ଆଇନଜୀବୀଙ୍କ ସହ ବିଭିନ୍ନ ଦଳର ନେତୃବୃନ୍ଦ, ବିଭିନ୍ନ ସାହିର ମୁରବି ଓ ସାମାଜିକ ଅନୁଷ୍ଠାନର କର୍ମକର୍ତ୍ତାଙ୍କ ସହ ମିଶି ଶାନ୍ତିପୂର୍ଣ୍ଣ ଉପାୟରେ ଶୋଭାଯାତ୍ରା ଓ ସାଧାରଣ ସଭା କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ଆନ୍ଦୋଳନର ରୂପରେଖକୁ ତ୍ବରାନ୍ବିତ କରିବା ପାଇଁ ମିଳିତ କ୍ରିୟାନୁଷ୍ଠାନ କମିଟି ଗଠନ କରାଯିବ । ମୁଖ୍ଯମନ୍ତ୍ରୀ,ଉଚ୍ଚ ନ୍ୟାୟାଳୟର ମାନ୍ଯବର ଜର୍ଜଙ୍କ ସହ ମଧ୍ଯ ଆଲୋଚନା କରାଯିବା ପାଇଁ ନିଷ୍ପତ୍ତି ହୋଇଥିଲା । ପୂର୍ବତନ ବିଧାୟକ ଉମାବଲ୍ଲଭ ରଥ କହିଲେ ଏହି କୋର୍ଟ ସ୍ଥାନଟିକୁ କେଉଁ ମୁଷ୍ଟିମୟ କମ୍ପାନୀକୁ ଦେବେ ତାହା ଆଗରୁ ସ୍ଥିର କରି କୋର୍ଟ ଉଠାଇବା ନିଷ୍ପତ୍ତି ସରକାର ନେଇଛନ୍ତି । କୋର୍ଟ ସଂଲଗ୍ନ ସରକାରୀ କାର୍ଯ୍ଯାଳୟ ଓ ବସ ଭବନକୁ ମିଶାଇ ଦେଲେ ପାଞ୍ଚ ଏକର ଜାଗା ହେବ ।

ପୁରୀର ଐତିହ୍ଯକୁ ଧ୍ବଂସ କରିବା ପାଇଁ ଏହା ଏକ ଆନ୍ତର୍ଜାତିୟ ଷଡଯନ୍ତ୍ର ବୋଲି କହିଥିଲେ । ପୂର୍ବତନ ବିଧାୟକ ଜୟନ୍ତ କୁମାର ଷଡଙ୍ଗୀ ଏ ସମ୍ପର୍କରେ ମୁଖ୍ଯମନ୍ତ୍ରୀଙ୍କ ସହ ଆଲୋଚନା କରିବା ପାଇଁ ପରାମର୍ଶ ଦେଇଥିଲେ । ପୁରୀ ବିଧାୟକ ସୁନିଲ କୁମାର ମହାନ୍ତି ଆନ୍ଦୋଳନକୁ ସମସ୍ତ ସହଯୋଗ ଯୋଗାଇବା ସହ ବିଧାନସଭାରେ ଏହି ପ୍ରସଙ୍ଗ ଉଠାଇବେ ବୋଲି କହିଥିଲେ । ଏହି ପ୍ରତିବାଦ ସଭାରେ ଆଇନଜୀବୀ ତଥା ଶ୍ରୀଜଗନ୍ନାଥ ସେନାର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ, ପୂର୍ବତନ ନଗରପାଳ ସୁରେନ୍ଦ୍ରନାଥ ଦାଶ ଓ ଏ. ବିଶୁରାଓ, ସିପିଏମ ନେତା ଜଗନ୍ନାଥ ଦେଓ,

ବିଶ୍ବାବସୁ ସେବକ ବିନାୟକ ଦାସମହାପାତ୍ର, ବିଜେପି ନେତା ରବିନାରାୟଣ ଦାଶ, ସେବାୟତ ରାମଚନ୍ଦ୍ର ଦାସ ମହାପାତ୍ର, ଆପର ନେତା ସଞ୍ଜୀବ ମହାନ୍ତି, ଉତରପାର୍ଶ୍ବ ମଠ ମଠାଧୀଶ ନାରାୟଣ ରାମାନୁଜଦାସ, ସିପିଆଇ ଏମଏଲ ନେତା ମୋହନ ନାଇଡୁ, କଂଗ୍ରେସ ନେତା ଇଂ. ରାଜେଶ ମିଶ୍ର ଯୋଗଦେଇ ଆନ୍ଦୋଳନକୁ ସମର୍ଥନ କରିଥିଲେ । ଏହା ସହ ଆଠ ସାହି ଆଖଡାର ନରେନ୍ଦ୍ର ମହାନ୍ତି, ବିଶୁନି ଜାଗାର ସଭ୍ଯ ତଥା ଆଇନଜୀବୀ ରାମଚନ୍ଦ୍ର ମହାପାତ୍ର, ପରିବର୍ତ୍ତନ ଓଡିଶାର ଅଧ୍ୟକ୍ଷ ଜିତେନ୍ଦ୍ର ମହାପାତ୍ର,

ସାମ୍ବାଦିକ ବିଶ୍ବଜିତ ମିଶ୍ର ଓ ମଧୁସୂଦନ ମିଶ୍ର, ଭୂସମ୍ପତ୍ତି ସୁରକ୍ଷା ପରିଷଦର ଉପସଭାପତି ବିରେନ୍ଦ୍ର ଭୂଷଣ ହୋତା, ବିଜେଡି ନେତା ଭକ୍ତ ଚରଣ ଦାସ, ହାଇକୋର୍ଟର ବରିଷ୍ଠ ଆଇନଜୀବୀ ବିଭୁପ୍ରସାଦ ତ୍ରିପାଠୀ,ଓକିଲ ସଂଘର ପୂର୍ବତନ ସଭାପତି ପ୍ରଶାନ୍ତ ମିଶ୍ର , ବିଜୟ କୁମାର ମିଶ୍ର ଓ ଆଦିତ୍ଯ ହୃଦୟ ମିଶ୍ର ପ୍ରମୁଖ ଉପସ୍ଥିତ ରହି ଆନ୍ଦୋଳନର ରୂପରେଖକୁ ଜୋରଦାର କରିବା ପାଇଁ ମତ ଦେଇଥିଲେ । ଶେଷରେ ସଂଘର ଉପସଭାପତି ବିଭୁଦତ୍ତ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ସଭାରେ ଶତାଧିକ ଆଇନଜୀବୀ, ସାହି ମୁରବି, ବିଭିନ୍ନ ସଂଗଠନର କର୍ମକର୍ତ୍ତା, ବିଭିନ୍ନ ରାଜନୈତିକ ଦଳର ନେତୃବୃନ୍ଦ, ସ୍ବେଛାସେବୀ, ସାମାଜିକ କର୍ମୀ, ବୁଦ୍ଧିଜୀବୀ ଓ ସାମ୍ବାଦିକଙ୍କ ମାନେ ଉପସ୍ଥିତ ଥିଲେ ।

Exit mobile version