ବରଗଡ (ଓଡ଼ିଶା ତାଜା ନ୍ୟୁଜ୍) :- ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ନୃସିଂହନାଥ ମନ୍ଦିରରେ ହେଉଥିବା ବୈଶାଖ ମେଳା ପାଇଁ କେନ୍ଦ୍ରୀୟ ଅନୁଦାନ ଦାବି କଲେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ । ସାମଜିକ ଓ ପରମ୍ପରା ଦୃଷ୍ଟିରୁ ଏହି ବୈଶାଖ ମେଳା କେବଳ ଓଡ଼ିଶା ନୁହେଁ ପଡ଼ୋଶୀ ରାଜ୍ୟ ଛତିଶଗଡ଼ ପାଇଁ ମଧ୍ୟ ବହୁ ଗୁରୁତ୍ୱ ବହନ କରିଥାଏ । ପ୍ରଭୁଙ୍କ ଜନ୍ମୋତ୍ସବ ଓ ବୈଶାଖ ମେଳାରେ ଦୁଇ ରାଜ୍ୟର ଲକ୍ଷ ଲକ୍ଷ ସଂଖ୍ୟାରେ ଶ୍ରଦ୍ଧାଳୁ ଏକାଠି ହୋଇଥାନ୍ତି ।
ଆୟୋଜନ କମିଟି ପକ୍ଷରୁ ପ୍ରତିବର୍ଷ ମେଳାରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଇଥାଏ । ତେଣୁ କେନ୍ଦ୍ର ସରକାର ଏହି ମେଳା ପାଇଁ ପ୍ରତିବର୍ଷ କିଛି ଆର୍ଥିକ ସହାୟତା ଯୋଗାଇଲେ ମେଳା ଆହୁରି ସରସ ସୁନ୍ଦର ହୋଇପାରିବ ବୋଲି କହିଛନ୍ତି ବରଗଡ଼ ସାଂସଦ । ଏହା ସହ ମେଳା ଆୟୋଜନ କିଭଳି ଆହୁରି ସୂଚାରୁରୂପେ ହୋଇପାରିବ ସେନେଇ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ହସ୍ତକ୍ଷେପ କରନ୍ତୁ ବୋଲି ଦାବି କରିଛନ୍ତି ସାଂସଦ ଶ୍ରୀ ପୁରୋହିତ । ଚଳିତବର୍ଷ ମେ ୭ ତାରିଖରୁ ୧୨ ତାରିଖ ପର୍ଯ୍ୟନ୍ତ ନୃସିଂହନାଥ ମହାପ୍ରଭୁଙ୍କ ଜନ୍ମୋତ୍ସବ ଓ ବୈଶାଖ ମେଳା ମହାସମାରୋହରେ ଆୟୋଜନ କରାଯାଉଛି ।
