ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) :- ଏପ୍ରିଲ ୧ ତାରିଖ ଆମ୍ଭମାନଙ୍କ ପାଇଁ ଅବିସ୍ମରଣୀୟ ଦିବସ । ଓଡ଼ିଆ ଭାଷାଭିଭିରେ ୧୯୩୬ ମସିହା ଅପ୍ରେଲ ୧ ତାରିଖରେ ଜନ୍ମଲାଭ କରିଥିଲା ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ । ସବୁ ଓଡ଼ିଆଙ୍କ ପାଇଁ ଗର୍ବ ଓ ଗୌରବର ବାର୍ତ୍ତା ଦେଇ ୧୯୩୬ ମସିହାର ଆଜିର ଦିନରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ସ୍ୱପ୍ନ ସାକାର ହୋଇଥିଲା । ଯେତେବେଳେ ଭାରତର ଅନ୍ୟ ଅଂଚଳରେ ଭାଷା ଭିତ୍ତିରେ ରାଜ୍ୟଗଠନ କଥା ଚିନ୍ତା କରି ନଥିଲେ ସେତବେଳେ ଦେଶର ପ୍ରଥମ ଭାଷାଭିତ୍ତିକ ରାଜ୍ୟ ଗଢି ତୋଳିବାକୁ ଓଡ଼ିଆ ଦୁର୍ବାର ଆନ୍ଦୋଳନ ଚଳାଇ ଇତିହାସ ସୃଷ୍ଟି କରିଥିଲା ବୋଲି ମାନ୍ୟବର ବାଚସ୍ପତି ଶ୍ରୀମତୀ ସୁରମାପାଢ଼ୀ ଆଜି ସଂଧ୍ୟାରେ ସ୍ଥାନୀୟ ଜୟଦେବ ଭବନଠାରେ ଆୟୋଜିତ ରାଜ୍ୟସ୍ତରୀୟ ଓଡିଶା ଦିବସ ସମାରୋହକୁ ଉଦ୍ଘାଟନ କରି କହିଛନ୍ତି ।
ସୂଚନା ଓ ଲୋକସଂପର୍କ ବିଭାଗ ଓ ଓଡ଼ିଆ, ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମାନ୍ୟବର ବାଚସ୍ପତି କହିଲେ ଯେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଇତିହାସ ତ୍ୟାଗ, ବୀରତ୍ୱ ଏବଂ ଗୌରବୋଜ୍ଜ୍ୱଳ କାହାଣୀରେ ପରିପୂର୍ଣ୍ଣ । ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ସୁରକ୍ଷା ତଥା ଓଡ଼ିଆ ଜାତିର ସ୍ୱତନ୍ତ୍ର ପରିଚୟ ପାଇଁ ଉତ୍କଳ ସମ୍ମିଳନୀର ନିରବଚ୍ଛିନ୍ନ ସଂଗ୍ରାମ ଏବଂ ଉତ୍କଳ କୂଳ ଗୌରବ ମଧୁସୂଦନ ଦାସ, ଉତ୍କଳମଣି ଗୋପବନ୍ଧୁ, ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜ, ବ୍ୟାସକବି ଫକୀର ମୋହନ ସେନାପତି, ମହାରାଜା କୃଷ୍ଣଚନ୍ଦ୍ର ଗଜପତି,
ଗଙ୍ଗାଧର ମେହେର, ହରିହର ମର୍ଦ୍ଦରାଜ ଦେବ, ପଣ୍ଡିତ ନୀଳକଣ୍ଠ ଦାସ, କବିବର ରାଧାନାଥ, କର୍ମବୀର ଗୌରୀଶଙ୍କର, ମଧୁସୂଦନ ରାଓ, ନୀଳମଣି ବିଦ୍ୟାରନି, ବାଗ୍ମୀ ବିଶ୍ୱନାଥ କର, ଡ଼କଫର ହରେକୃଷ୍ଣ ମହତାବ ପ୍ରମୁଖ ବରପୁତ୍ରମାନଙ୍କର ତ୍ୟାଗ, ତପସ୍ୟା ଓ ସାଧନାର ଫଳ ସ୍ୱରୂପ ଆମେ ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ହାସଲ କରିପାରିଛୁ । ସେମାନଙ୍କର ନୀତି, ଆଦର୍ଶ ଓ ଜାତିଭକ୍ତି ଆମର ଅନୁକରଣୀୟ । ସେହି ଚିରନମସ୍ୟ କୃତି ସନ୍ତାନମାନଙ୍କ ପ୍ରତି ମୁଁ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି । ବାଚସ୍ପତି ଆହୁରି ମଧ୍ୟ କହିଲେ ଯେ ଭାଷାଭିତ୍ତିରେ ଗଠନ ହେବାରେ ଓଡ଼ିଶା ହେଉଛି ସମଗ୍ର ଦେଶରେ ପ୍ରଥମ ରାଜ୍ୟ ।
