ନୂଆଦିଲ୍ଲୀ (ଓଡ଼ିଶା ତାଜା ନ୍ୟୁଜ୍) :- ୱାର୍ଲଡ ଓଡ଼ିଶା ସୋସାଇଟି ( ୱାଓସୋ) ପକ୍ଷରୁ ଏଠାରେ ହୃଷୀକେଶ କବିତା ସନ୍ଧ୍ୟା ମହା ସମାରୋହରେ ଆୟୋଜନ କରାଯାଇଛି। ପ୍ରଖ୍ୟାତ କବି ହୃଷୀକେଶ ମଲ୍ଲିକଙ୍କର ସାହିତ୍ୟ ସାଧନାକୁ ଶ୍ରଦ୍ଧା, ସ୍ୱୀକୃତି ଓ ସମ୍ମାନ ପ୍ରଦର୍ଶନ କରିବା ପାଇଁ ଉଦ୍ଦିଷ୍ଟ ଏହି ସାରସ୍ବତ ଆସର ବେଶ ରୋଚକ ଥିବା ଦେଖା ଯାଇଥିଲା। ଓଡ଼ିଆ ଭାଷାରେ ଚାଳିଶଟିରୁ ଉର୍ଦ୍ଧ୍ବ ପୁସ୍ତକର ମହାନ ରଚୟିତା ଶ୍ରୀ ମଲ୍ଲିକଙ୍କର ନିର୍ବାଚିତ କବିତା ଗୁଡିକୁ ଇଂରାଜୀ, ହିନ୍ଦୀ, ବଙ୍ଗଳା ଏବଂ କନ୍ନଡ଼ ଭାଷାରେ ଅନୁବାଦ କରାଯାଇଛି। ହାଇବ୍ରିଡ ଢଙ୍ଗରେ ଅନୁଷ୍ଠିତ ଏହି କବିତା ସନ୍ଧ୍ୟାରେ ବହୁ ବିଶିଷ୍ଟ ସାହିତ୍ୟିକ,ୱାଓସୋର କାର୍ଯ୍ୟକର୍ତ୍ତା ଓ ସଦସ୍ୟ ଗଣ ବିଭିନ୍ନ ରାଷ୍ଟ୍ରର ଓଡ଼ିଆ ସମାଜର କର୍ମକର୍ତ୍ତା ଏବଂ ତୁଙ୍ଗ ପ୍ରବାସୀ ଓଡ଼ିଆମାନେ ଯୋଗ ଦେଇଥିଲେ ।
ପ୍ରେସ କ୍ଲବ ଅଫ ଇଣ୍ଡିଆଠାରେ ଅନୁଷ୍ଠିତ ମୁଖ୍ୟ ଉତ୍ସବରେ ଆମନ୍ତ୍ରିତ ଅତିଥି ଓ ବକ୍ତାମାନେ ଯୋଗ ଦେଇଥିବା ବେଳେ ,ଡିଜିଟାଲ ନେଟୱାର୍କ ମାଧ୍ୟମରେ ଶତାଧିକ ବୈଶିକ ଓଡ଼ିଆ ଏହି ସମାରୋହରେ ସାମିଲ ହୋଇଥିବା ଜଣାଯାଇଥିଲା। ଉତ୍ସବର ଗାମ୍ଭୀର୍ଯ୍ୟକୁ ଲକ୍ଷ୍ୟ ରଖି ପ୍ରେସ କ୍ଲବର କନ୍ଫରେନ୍ସ ରୁମକୁ ଖୁବ ସୁନ୍ଦର ଭାବରେ ସଜାଯାଇଥିଲା। ସମଗ୍ର ପରିବେଶ ଉତ୍ସବ ମୁଖରିତ ହେବା ସାଙ୍ଗକୁ ଆନନ୍ଦ, ଉଲ୍ଲାସ, ଉତ୍ସାହ ଏବଂ ଉଦ୍ଦୀପନାରେ ଭରିଉଠିଥିଲା । ସଭାରେ ସ୍ଵାଗତ ଭାଷଣ ପ୍ରଦାନ କରି ୱାର୍ଲଡ ଓଡ଼ିଶା ସୋସାଇଟିର ଅଧ୍ୟକ୍ଷ କିଶୋର ଦ୍ଵିବେଦୀ ସାହିତ୍ୟ ଦୁନିଆରେ ୱାଓସୋର ଉପସ୍ଥିତିକୁ ସୁଦୃଢ ଓ ସୁବ୍ୟାପ୍ତ କରିବା ପାଇଁ ସମସ୍ତଙ୍କର ସଦିଚ୍ଛା ଓ ସହଯୋଗ କାମନା କରିଥିଲେ। ସମାବେଶକୁ ସମ୍ବୋଧନ କରି ମୁଖ୍ୟ ଅତିଥି ବିଖ୍ଯାତ କବି ଅଶୋକ ବାଜପେୟୀ, ହୃଷୀକେଶ ମଲ୍ଲିକ ଜଣେ ଦୂରଦୃଷ୍ଟି ସମ୍ପନ୍ନ, ବିସ୍ତୃତ ଦିଗନ୍ତର କବି, ଯାହାଙ୍କର ମନୋଯୋଗ କବିତାରେ ସଦା ଜାଗ୍ରତ ଥାଏ।

