ବଡ଼ଗଡ଼ ହାଇସ୍କୁଲର ସମୀକ୍ଷା କଲେ ଭୁବନେଶ୍ବର ସାଂସଦ

୩ ମାସ ଭିତରେ ସରିବ ଶତାୟୁ ବିଦ୍ଯାଳୟର ଉନ୍ନତିକରଣ କାମ ଜୁନ ମାସ ସୁଦ୍ଧା ଉନ୍ନତିକରଣ କାମ ସାରିବାକୁ ଅଧିକାରୀଙ୍କୁ ସାଂସଦଙ୍କ ନିର୍ଦ୍ଦେଶ

ଭୁବନେଶ୍ବର (ଓଡ଼ିଶା ତାଜା ନ୍ୟୁଜ୍) :- ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ବଡ଼ଗଡ଼ସ୍ଥିତ ୱାର୍ଡ ନ ୪୪ରେ ଥିବା ହାଇସ୍କୁଲ ପରିଦର୍ଶନ କରିଛନ୍ତି । ସ୍ଥାନୀୟ ବୁଦ୍ଧିଜୀବିଙ୍କ ଅନୁରୋଧକ୍ରମେ ୧୦୬ ବର୍ଷର ଏହି ପୁରୁଣା ସ୍କୁଲକୁ ଯାଇ ଏହାର ସମସ୍ୟା ବୁଝିବା ସହ ଓ ଉନ୍ନତି ନେଇ ସମୀକ୍ଷା କରିଥିଲେ। ଅନେକ ଦିନ ଧରି ବଡ଼ଗଡ଼ ଗ୍ରାମବାସୀଙ୍କର ଏହି ବିଦ୍ଯାଳୟର ସମସ୍ୟା ସମାଧାନ ପାଇଁ ଦାବି ରହି ଆସିଥିଲା । ଏହାର ଉନ୍ନତିକରଣ ପାଇଁ ସ୍ଥାନୀୟ ଲୋକମାନେ ଭୁବନେଶ୍ବର ସାଂସଦଙ୍କୁ ଏକାଧିକ ଥର ନିବେଦନ କରିଥିଲେ । ଏହି ଅନୁରୋଧ ରକ୍ଷା କରି ଭୁବନେଶ୍ବର ସାଂସଦ ଏହି ପୁରାତନ ଶତାୟୁ ବିଦ୍ୟାଳୟକୁ ଗସ୍ତ କରିଥିଲେ । ଏହି ପୁରାତନ ସ୍କୁଲରେ ରହିଛି ଅନେକ ସମସ୍ୟା ।

ସ୍କୁଲ ପରିସରରେ ଛାତ୍ରଛାତ୍ରୀଙ୍କ ସାଇକେଲ ରଖିବାକୁ ଷ୍ଟାଣ୍ଡ ନାହିଁ । ଏଥିପାଇଁ ସେମାନେ ବହୁ ସମସ୍ୟା ଭୋଗୁଛନ୍ତି । ବହୁତ ଛାତ୍ରଛାତ୍ରୀ ଏଠାରେ ପାଠ ପଢୁଛନ୍ତି । ସେମାନଙ୍କ ଭିତରୁ ଅନେକ ଖେଳରେ ଆଗ୍ରହ ରଖୁଛନ୍ତି । ଟିମ କରି କ୍ରିକେଟ, ଫୁଟବଲ ଓ ଖୋ ଖୋ ଭଳି ଅନେକ ଖେଳ ଖେଳୁଛନ୍ତି । ଅନେକ ଛାତ୍ରଛାତ୍ରୀ ଖୋ ଖୋ ସମେତ ଅନ୍ୟ ଖେଳରେ ଜାତୀୟ ସ୍ତରରେ ପ୍ରତିନିଧିତ୍ବ କରିଛନ୍ତି । କିନ୍ତୁ ଖେଳ ପଡିଆ ନ ଥିବାରୁ ସେମାନେ ସୁବିଧାରେ ଖେଳି ପାରୁନାହାନ୍ତି । ଖେଳପଡ଼ିଆର ବିକାଶ ପାଇଁ ବିଡିଏ ପାଖରେ ପ୍ରସ୍ତାବ ଅଛି, କିନ୍ତୁ ଏହା ଆଗେଇ ପାରୁନି । ୨୦୨୧ରେ ବିଡିଏ ଏଥିପାଇଁ ପୁଲିସ ହାଉସିଂ ବୋର୍ଡ କର୍ପୋରେସନକୁ ୪କୋଟି ଟଙ୍କା ଦେଇଥିଲା l

ଏଥିରେ ବହୁମୁଖୀ ଖେଳପଡ଼ିଆ ସହ ସାଇକେଲ ଷ୍ଟାଣ୍ଡ ଓ ନୂଆ ଶ୍ରେଣୀଗୃହ ତିଆରି ପ୍ରସ୍ତାବ ଥିଲା । ବିଭିନ୍ନ କାରଣ ପାଇଁ ଏହା ହୋଇପାରୁନଥିଲା । ବଡ଼ଗଡ଼ ଗାଁ କମିଟି ସାଂସଦଙ୍କୁ ଭେଟି ଏଥିପାଇଁ ପଦକ୍ଷେପ ନେବାକୁ ଅନୁରୋଧ କରିଥିଲେ. ସାଂସଦ ତତ୍କାଳ ପୁଲିସ ହାଉସିଂ ବୋର୍ଡ ଅଧ୍ୟକ୍ଷ ଓ ଭୁବନେଶ୍ୱର ତହସିଲଦାରଙ୍କ ସହ ଏ ପ୍ରସଙ୍ଗରେ କଥା ହୋଇଥିଲେ । ଏପ୍ରିଲ ୨ ତାରିଖରୁ ପ୍ରସ୍ତାବରେ ଥିବା ଉନ୍ନତିକରଣ କାମ ଆରମ୍ଭ ହେବ ବୋଲି ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ ସ୍କୁଲ ପ୍ରଧାନ ଶିକ୍ଷୟତ୍ରୀ ଓ ବଡ଼ଗଡ଼ ଗାଁ କମିଟିର ସଦସ୍ୟଙ୍କୁ ପ୍ରତିଶ୍ରୁତି ଦେଇଥିଲେ ।

ସ୍କୁଲ ପାଇଁ ବହୁମୁଖୀ ଖେଳପଡ଼ିଆ ବିକାଶ କରାଯିବ. ତିନି ମାସ ଭିତରେ କାମ ସାରିବାକୁ ସମସ୍ତ ଅଧିକାରୀଙ୍କୁ ସେ ନିର୍ଦେଶ ଦେଇଛନ୍ତି । ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁବଶୀଘ୍ର ଏକ ସାଇକେଲ ଷ୍ଟାଣ୍ଡ ତିଆରି କରାଯିବ ବୋଲି ମଧ୍ୟ ସେ କହିଛନ୍ତି । ଏହି ପରିଦର୍ଶନ ସମୟରେ ସ୍ଥାନୀୟ କର୍ପୋରେଟର ଅଜିତ ବେହେରା, ସ୍କୁଲ ପ୍ରଧାନ ଶିକ୍ଷୟତ୍ରୀ ମନୋଜା ମଞ୍ଜରୀ ସାହୁ, ସ୍କୁଲ ପୁରାତନ ଛାତ୍ର ସଙ୍ଘର ସଭାପତି ମାନସ ମହାନ୍ତି ଓ ଗାଁ କମିଟିର ସଭାପତି, ସମ୍ପାଦକ ଓ ସଦସ୍ୟମାନେ ଉପସ୍ଥିତ ଥିଲେ ।

Exit mobile version