ରାସ୍ତା ପାର୍ଶ୍ୱକୁ ଓଲଟିଲା ବସ, ୨୦ରୁ ଉର୍ଦ୍ଧ ଯାତ୍ରୀ ଆହତ

ବାଲୁଗାଁ (ଓଡ଼ିଶା ତାଜା ନ୍ୟୁଜ୍) ବାଲୁଗାଁ :- ଶନିବାର ଅପରାହ୍ନରେ ୧୬ ନଂ ଜାତୀୟ ରାଜପଥର ବାଲୁଗାଁ ବାଇପାସ ରାସ୍ତା ବ୍ରାହ୍ମଣ କୁଶଡ଼ିହ ଛକ ଠାରେ ଏକ ଯାତ୍ରୀବାହୀ ବସ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ଵ ବିଲକୁ ଖସିପଡ଼ିଛି l ଫଳରେ ବସରେ ଥିବା ପ୍ରାୟ ୨୦ ରୁ ଉର୍ଦ୍ଧ ଯାତ୍ରୀ ଆହତ ହୋଇଛନ୍ତି l ଖବର ନେବାରେ ଜଣାଯାଇଛି, ଓଡି ୧୫ଇ ୬୪୫୬ ନମ୍ବର ସୀଲକ ସିଟି ନାମକ ବସ କଟକରୁ ଯାତ୍ରୀଙ୍କୁ ଧରି ବ୍ରହ୍ମପୁର ଅଭିମୁଖେ ଆସୁଥିଲା l

ଅପରାହ୍ନ ପ୍ରାୟ ୪ ଘଟିକା ସମୟରେ ବାଲୁଗାଁ ବାଇପାସ ରାସ୍ତାର ବ୍ରାହ୍ମଣ କୁଶଡ଼ିହ ଛକ ଠାରେ କୌଣସି କାରଣରୁ ବସଟି ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ଵ ବିଲ ମଧ୍ୟକୁ ଓଲଟି ପଡିଥିଲା l ଖବର ପାଇ ବାଲୁଗାଁ ଥାନାର କାର୍ଯ୍ୟରତ ହାଇୱେ ପାଟ୍ରୋଲିଂ ଗାଡି ଏବଂ ଦମକଳ ବାହିନୀ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ବସ ମଧ୍ୟରୁ ୨୦ରୁ ଉର୍ଦ୍ଧ ଯାତ୍ରୀଙ୍କୁ

ଆହତ ଅବସ୍ଥାରେ ଉଦ୍ଧାର କରି ଚିକିତ୍ସା ପାଇଁ ବାଲୁଗାଁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ l ଯାତ୍ରୀ ମାନେ ସାମାନ୍ୟ ଖଣ୍ଡିଆ ଖାବରା ହୋଇଥିବା ବେଳେ ପ୍ରାଥମିକ ଚିକିତ୍ସା ପରେ ଅନ୍ୟ ଏକ ବସ ଯୋଗେ ସମସ୍ତଙ୍କୁ ବ୍ରହ୍ମପୁର ପଠାଇଦିଆଯାଇଛି l ଉକ୍ତ ବସରେ ପ୍ରାୟ ୨୫ ଜଣ ଯାତ୍ରୀ ବସିଥିଲେ l ଦୁର୍ଘଟଣା ପରେ ବସ ଡ୍ରାଇଭର ଫେରାର ହୋଇଯାଇଥିବା ଜଣାଯାଇଛି l ପୋଲିସ ଉକ୍ତ ବସକୁ ଜବତ କରି ଘଟଣାର ତଦନ୍ତ ଚଳାଇଛି l

Exit mobile version