ଶୂନ୍ୟ କଟନି ଛଟନି ଉପରେ ମନ୍ତ୍ରୀଙ୍କ ଗୁରୁତ୍ଵାରୋପ
୨୦ ମାର୍ଚ୍ଚ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ମାଲକାନଗିରି :- ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଦିନିକିଆ ମାଲକାନଗିରି ଗସ୍ତରେ ଆସି ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଏକ ସମୀକ୍ଷା ବୈଠକ କରିଛନ୍ତି। ଏହି ସମୀକ୍ଷା ବୈଠକରେ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ ସମସ୍ତଙ୍କୁ ସ୍ୱାଗତ କରିବା ସହ ଖାଦ୍ୟ ଯୋଗାଣ, କୃଷି, ଉଦ୍ୟାନ କୃଷି, ସମବାୟ ସମିତି ଓ ମାପ ଓଜନ ବିଭାଗକୁ ସେମାନଙ୍କର କାର୍ଯ୍ୟ ବିଷୟରେ ମନ୍ତ୍ରୀଙ୍କୁ ଅବଗତ କରାଇବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ଅବସରରେ ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି ଯେ ଜିଲ୍ଲାରେ ଧାନ କ୍ରୟ ଭଲ ଭାବରେ ହୋଇଛି। ଶୂନ୍ୟ କଟନି ଛଟନି ଉପରେ ଧ୍ୟାନ ଦେବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। କମ୍ ମୂଲ୍ୟରେ ଧାନ କ୍ରୟ କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ଅନୁରୂପ ଭାବେ ଦୁର୍ନୀତି ଗ୍ରସ୍ତ ଅଧିକାରୀଙ୍କ ବିରୁଦ୍ଧରେ ମଧ୍ଯ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ ଦୃଢୋକ୍ତି ପ୍ରକାଶ କରିଛନ୍ତି। କୃଷକଙ୍କ ସହାୟତା ରାଶି ଯେପରି ଠିକ୍ ଭାବରେ ଚାଷୀଙ୍କ ନିକଟରେ ପହଞ୍ଚିବ ସେଥି ପ୍ରତି ଧ୍ୟାନ ଦେବାକୁ କୁହାଯାଇଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଚଳିତ ବର୍ଷ ରାସନ୍ କାର୍ଡ ନିମନ୍ତେ ୬ ଲକ୍ଷ ୮୦ ହଜାର ହିତାଧିକାରୀ ଦରଖାସ୍ତ ଆବେଦନ କରିଛନ୍ତି । ବ୍ଲକୱାରୀ ସର୍ଭେ କରି ଯୋଗ୍ୟ ହିତାଧିକାରୀଙ୍କୁ ରାସନ୍ କାର୍ଡ ବଣ୍ଟନ ପାଇଁ କୁହାଯାଇଛି। ସୂଚନା ଦିଆଯାଇଛି ଯେ ଆସନ୍ତା ଏପ୍ରିଲ ୧୪ ରେ ରାଜ୍ୟ ସ୍ତରୀୟ ରାସନ୍ କାର୍ଡ ବଣ୍ଟନ କାର୍ଯ୍ୟକ୍ରମ ଆୟୋଜନ ହେବ ।
