ସ୍ବଚ୍ଛ ଭାରତ ଅଭିଯାନ ଶ୍ରମିକ ୟୁନିୟନର ବିକ୍ଷୋଭ

????????????????????????????????????

୧୮ ମାର୍ଚ୍ଚ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍)  ଭୁବନେଶ୍ୱର :- ସ୍ବଚ୍ଛ ଭାରତ ଯୋଜନାରେ କାମ କରୁଥିବା ହଜାର ହଜାର ମହିଳା ଶ୍ରମିକମାନେ ସେମାନଙ୍କୁ ସ୍ଥାୟୀ କାମରେ ସ୍ଥାୟୀ ନିଯୁକ୍ତ, ସ୍ବଚ୍ଛ ସାଥୀ ମାନଙ୍କୁ ମାସିକ ୨୬,୦୦୦ ଓ ସୁପରଭାଇଜର ମାନଙ୍କୁ ୩୦,୦୦୦ ଟଙ୍କା ବେତନ ପ୍ରଦାନ, ଗତ ମାର୍ଚ୍ଚ ମାସଠାରୁ ଘୋଷଣା କରାଯାଇଥିବା ବର୍ଦ୍ଧିତ ହାରରେ ଦରମା ପ୍ରଦାନ, ସମସ୍ତ ସରକାରୀ ଯୋଜନାରେ ସେମାନଙ୍କୁ ସଂପୃକ୍ତ କରିବା,ଏସ୍.ଓ.ପି ର ଅବାସ୍ତବ ନିୟମାବଳୀ ପ୍ରତ୍ୟାହାର, କର୍ପୋରେଟର/କାଉନସିଲର ମାନଙ୍କ ବଦଳରେ ଇ.ଓ.ଙ୍କ ଜରିଆରେ କାର୍ଯ୍ୟର ତଦାରଖ,ୟୁଜର୍ସ ଫିସ୍ ସହ ଦରମାକୁ ସଂପୃକ୍ତ ନକରିବା,

ସ୍ମାର୍ଟ ଫୋନ୍ ସହ ଦୁଇ ହଳ ପୋଷାକ, ଯୋତା, ଛତା ପ୍ରଦାନ ଇତ୍ୟାଦି ୧୨ ଦଫା ଦାବିରେ ଆଜି ବିଧାନସଭା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏହା ପୂର୍ବରୁ ମାଷ୍ଟକ୍ୟାଟିନ ଛକଠାରୁ ଏକ ସୁଶୋଭିତ ପଟୁଆର ବାହାରି ବିଧାନସଭା ସମ୍ମୁଖରେ ପହଞ୍ଚିଥିଲା । ଏଠାରେ ସିଆଇଟିୟୁ ନେତ୍ରୀ ପୁଷ୍ପା ଦାସଙ୍କ ସଭାପତିତ୍ଵରେ ଅନୁଷ୍ଠିତ ପ୍ରତିବାଦ ବିକ୍ଷୋଭରେ ସଂଗଠନର ସାଧାରଣ ସମ୍ପାଦୀକା ସବୀତା ପ୍ରଧାନଙ୍କ ସହ ମିନତୀ ପାଣିଗ୍ରାହୀ, କାଜଲ ମହାପାତ୍ର,ଶର୍ମିଷ୍ଠା ପଟ୍ଟନାୟକ, ସୁଚେତା ମହାନ୍ତି,

ଭାରତୀ ପରିତା ପ୍ରମୁଖ ବକ୍ତବ୍ୟ ପ୍ରଦାନ କରି କହିଥିଲେ ଯେ, ଗତ ବର୍ଷ ରାଜ୍ୟ ସରକାର ସ୍ବଚ୍ଛ ସାଥୀଙ୍କର ବେତନ ୪୦୦୦ ରୁ ୮୦୦୦ ଟଙ୍କାକୁ ଓ ସୁପରଭାଇଜରଙ୍କ ମାସିକ ବେତନ ୮୦୦୦ ରୁ ୧୨୦୦୦ ଟଙ୍କାକୁ ବୃଦ୍ଧି କରିବା ବିଜ୍ଞପ୍ତି ଜାରି କରିଥିଲେ । ମାତ୍ର ବର୍ତ୍ତମାନର ସରକାର ନୂଆଏସ୍.ଓ.ପି. ଲାଗୁ କରି ସେମାନଙ୍କ ଦରମା କମାଇବାରେ ଲାଗିଛନ୍ତି । ପରିବାରରେ ମୁଣ୍ଡପିଛା ଅଳିଆ ୧୩୫୦ ଗ୍ରାମ ସଂଗ୍ରହ ନକଲେ ଦରମା କାଟି ଦିଆଯାଉଛି । ଏପରିକି ୟୁଜର୍ସ ଫି ଅର୍ଥ କମ୍ ହେଲେ ଦରମା ବନ୍ଦ କରି ଦିଆଯାଉଛି । ଅନ୍ୟ ପକ୍ଷରେ ସୁଭଦ୍ରା ଭଳି ସରକାରୀ ଯୋଜନାରୁ ସେମାନଙ୍କୁ ବାଦ ଦିଆଯାଇଛି ।

ସେମାନଙ୍କୁ ସାପ୍ତାହୀକ ଛୁଟି କି ସରକାରୀ ଘୋଷିତ ଛୁଟି ପ୍ରଦାନ କରାଯାଉ ନାହିଁ କି ଛୁଟି ଦିନରେ କାମକଲେ ଦୁଇଗୁଣ ଅର୍ଥ ଦିଆଯାଉ ନାହିଁ । ଏପରିକି ଗର୍ଭାବସ୍ଥାରେ ମଧ୍ୟ ଛୁଟି ନଦେଇ କାର୍ଯ୍ୟରେ ନିଯୁକ୍ତ କରାଯାଉଛି। କଟକ ସମେତ ଅନ୍ୟାନ୍ୟ ସହର ମାନଙ୍କରେ ସ୍ବଚ୍ଛ ସୁପରଭାଇଜର ନିଯୁକ୍ତ ଏପର୍ଯ୍ୟନ୍ତ କରାଗଲା ନାହିଁ । ସମସ୍ତ ୟୁ.ଏଲ୍.ବି. ରେ ସମାନ ଆଇନ୍ କାର୍ଯ୍ୟକାରୀ କରାଯାଉ ନାହିଁ । ସେମାନଙ୍କୁ ସରକାରୀ କର୍ମଚାରୀର ମାନ୍ୟତା ଦେଇ ସାମାଜିକ ସୁରକ୍ଷା ଆଇନ ପରିସରଭୁକ୍ତ କରିବା, ଅଧିକ କାମ କଲେ ତାହାକୁ ରେକର୍ତଭୁକ୍ତ କରି ଅଧିକ ପାରିଶ୍ରମିକ ପ୍ରଦାନ କରିବାକୁ ସେମାନେ ଦାବି କରିଥିଲେ । ବଦ୍ରୀନାରାୟଣ ଦାଶଙ୍କ ନେତୃତ୍ବରେ ଏକ ୭ ଜଣିଆ ପ୍ରତିନିଧି ଦଳ ଗୃହ ଓ ନଗର ଉନ୍ନୟନ ବିଭାଗର ନିର୍ଦ୍ଦେଶକଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଥିଲେ.

Exit mobile version