କରୋନା ଟୀକା ପ୍ରସ୍ତୁତିରେ ଭାରତ

ଓଡ଼ିଶା ତାଜା ନ୍ୟୁଜ୍ (୨୯ ଅଗଷ୍ଟ ଶନିବାର ) ଭୁବନେଶ୍ୱର :ମହାମାରୀ କରୋନା ଇତିମଧ୍ୟରେ ବିଶ୍ୱବାସୀଙ୍କ ନିଦ ହଜାଇ ଦେଇଛି । ପ୍ରତ୍ୟେକ ଦେଶ ଅତ୍ୟନ୍ତ ଜଟିଳ ପରିସ୍ଥିତି ଦେଇ ଗତି କରୁଛି । ଭାରତ ମଧ୍ୟ ଏହି ମାହାମାରୀର ଭୟାବହତାର ଶିକାର ହୋଇଛି । ଏହାରି ମଧ୍ୟରେ ଭାରତ ପାଇଁ ଏକ ଭଲ ଖବର ଆସିଛି । ଭାରତରେ ପ୍ରଥମ କରୋନା ଟୀକା କୋଭିଶିଲ୍ଡ ୭୩ ଦିନ ଭିତରେ ବଜାରରେ ଉପଲବ୍ଧ ହେବ । ପୁଣେସ୍ଥିତ ବାୟୋଟେକ୍ କମ୍ପାନି ସେରମ୍‌ ଇନଷ୍ଟିଚ୍ୟୁଟ୍ ଦ୍ୱାରା କୋଭିଶିଲ୍ଡକୁ ବିକଶିତ କରାଯାଇଛି । ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ଭାରତ ସରକାରଙ୍କ ପକ୍ଷରୁ ସେରମ୍ ଇନଷ୍ଟିଚ୍ୟୁଟ୍‌କୁ ଏକ ସ୍ୱତବ ନିର୍ମାଣ ପ୍ରାଥମିକତା ଲାଇସେନ୍ସ ପ୍ରଦାନ କରାଯାଇଛି । ଏହା ଆଧାରରେ ସେରମ୍ ଇନଷ୍ଟିଚ୍ୟୁଟ୍ ଟ୍ରାଏଲ୍ ପ୍ରୋଟୋକଲ୍ ପ୍ରକ୍ରିୟାକୁ ତ୍ୱାରାନ୍ୱିତ କରିଛି । ଫଳରେ ମାତ୍ର ୫୮ଦିନ ମଧ୍ୟରେ ପରୀକ୍ଷା ସମାପ୍ତ ହେବ । ତୃତୀୟ ପର୍ଯ୍ୟାୟ ପରୀକ୍ଷଣର ପ୍ରଥମ ଡୋଜ୍ ଗତ ଶନିବାରଠାରୁ ଆରମ୍ଭ ହୋଇଛି । ଦ୍ୱିତୀୟ ଡୋଜ୍ ଶନିବାରଠାରୁ ୨୯ଦିନ ପରେ ଦିଆଯିବ । ଦ୍ୱିତୀୟ ଡୋଜ୍ ଦିଆଯିବାର ୧୫ ଦିନ ପରେ ପରୀକ୍ଷଣର ଅନ୍ତିମ ତଥ୍ୟ ପ୍ରକାଶ ପାଇବ । ଏହାପରେ ବାଣିଜ୍ୟିକ ବ୍ୟବହାର ପାଇଁ କୋଭିଶିଲ୍ଡକୁ ବଜାରକୁ ଆଣିବା ଯୋଜନା ରହିଛି ବୋଲି ସେ କହିଛନ୍ତି ।

ଏହାପୂର୍ବରୁ ଏହି ଟୀକା ପରୀକ୍ଷା ଶେଷ କରିବାକୁ ୭ରୁ ୮ ମାସ ସମୟ ଲାଗିବ ବୋଲି କୁହାଯାଉଥିଲା । କିନ୍ତୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ସ୍ୱତବ ଲାଇସେନ୍ସ ମିଳିବା ପରେ ଏବେ ଏହି ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଛି । ଏଠାରେ ସୂଚନାଯୋଗ୍ୟ ଯେ, ଏହି ଭାଇରସ୍ କବଳରୁ ମୁକୁଳିବାପାଇଁ ୧୦୦ରୁ ଅଧିକ ରାଷ୍ଟ୍ର ଏହାର ଟୀକା ପ୍ରସ୍ତୁତ କରିବାରେ ଲାଗିଛନ୍ତି । କେତୋଟି ଦେଶରେ ଟୀକା ପରୀକ୍ଷଣ ମଧ୍ୟ ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟରେ ରହିଛି ।ଇତି ମଧ୍ୟରେ ଗତ ଅଗଷ୍ଟ ୧୧ତାରିଖ (ମଙ୍ଗଳବାର)ଦିନ ରୁଷିଆ ଆଣିଛି ବିଶ୍ୱର ପ୍ରଥମ କରୋନା ଟୀକା । ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ ଏହି କରୋନା ଟୀକା କଥା ଘୋଷଣା କରିଛନ୍ତି । ଏହି ଟୀକା ପୁଟିନଙ୍କ ଦୁଇ ଝିଅଙ୍କ ମଧ୍ୟରୁ ଜଣେ ଝିଅଙ୍କୁ ଦିଆଯାଇଛି । ଏବେ ଝିଅଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲଅଛି ବୋଲି ପୁଟିନ କହିଛନ୍ତି । ଏହି ଟୀକା ପ୍ରଥମେ ରୁଷ୍‌ର କୋଭିଡ ଯୋଦ୍ଧାଙ୍କୁ ଦିଆଯିବ, ତାପରେ ରୁଷ୍ ନାଗରିକଙ୍କୁ ଦିଆଯିବ ଓ ଏହାପରେ ଅନ୍ୟ ଦେଶକୁ ପଠାଯିବ । ଏହାର ନାମ କରଣ କରାଯାଇଛି ସ୍ଫୁଟନିକ୍‌-ଭି । ୧୯୫୭ ମସିହାରେ ବିଶ୍ୱର ପ୍ରଥମ ଦେଶ ଭାବେ ରୁଷିଆ ମହାକାଶକୁ ପ୍ରେରଣ କରିଥିବା କୃତ୍ରିମ ଉପଗ୍ରହ ସ୍ଫୁଟନିକ- ୧ର ନାମକରଣ ଅନୁସାରେ ଏଭଳି ନାମ କରଣ କରାଯାଇଛି । ବାଜି ମାରି ନେଇଛି ରୁଷ୍ ।

ଟୀକାକୁ ନେଇ ଆରମ୍ଭ ହୋଇଯାଇଛି ପ୍ରତିଯୋଗିତା । ରୁଷ୍ ତରବରିଆ ଭାବେ ଏହି ଟୀକା ପ୍ରସ୍ତୁତ କରିଛି ବୋଲି ଆମେରିକା ଓ ବ୍ରିଟେନ କହିଛନ୍ତି । ଅନ୍ୟପଟେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସୂଚନା ଅନୁଯାୟୀ ପ୍ରଥମେ ଭଲଭାବେ ଏହାର ନିରାପା ଓ ସୁରକ୍ଷା ନେଇ ବିଶ୍ଳେଷଣ କରାଯିବ ଏବଂ ପରେ ଏହି ଟୀକା ସଂପର୍କରେ ହୁ ପକ୍ଷରୁ ମତ ରଖାଯିବ । ସୂଚନାଅନୁଯାୟୀ, ଏବେ କେତେକ ଦେଶ ଟୀକା ପ୍ରସ୍ତୁତ କରିବାରେ ମଧ୍ୟ ଆଗରେ ଅଛନ୍ତି । ଜର୍ମାନୀର ବାୟୋନଟେକ ଏବଂ ୟୁଏସ ଫାର୍ମା ପିଫିଜର ତୃତୀୟ ପର୍ଯ୍ୟାୟ ପରୀକ୍ଷଣରେ ପହିଛନ୍ତି । ୩୦ହଜାର ଯୁବ ସ୍ୱେଚ୍ଛାସେବୀଙ୍କୁ ନେଇ ସେମାନେ ପରୀକ୍ଷା କରୁଛନ୍ତି । ସେହିଭଳି ଆମେରିକାର ଫାର୍ମ ମର୍ଡେନା ୩୦ହଜାର ଲୋକଙ୍କ ଠାରେ ପରୀକ୍ଷା ଚଲାଇଛି । ଚାଇନାରେ ସିନୋ ଫାର୍ମ ୟୁନାଇଟେଡ ଆରବରେ ୧୫ ହଜାର ଲୋକଙ୍କ ଠାରେ ପରୀକ୍ଷଣ ଆରମ୍ଭ କରିଛି । ପୁନଃ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ କୁହାଯାଇଛି ଯେ, କୋଭିଡ ଟୀକା ଯେଉଁମାନେ ପରୀକ୍ଷଣ କରୁଛନ୍ତି ସେମାନେ ଶେଷ ପର୍ଯ୍ୟନ୍ତ ଏହାର ଭଲଭାବେ ପରୀକ୍ଷଣ କରିବା ଦରକାର । କେହି ତରବରିଆ ହେବା ଠିକ୍ ନୁହେଁ ।ତେବେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ କୁହାଯାଇଛି ଯେ, ଯେ କୈାଣସି ଭାକ୍ସିନ୍‌କୁ କଡା ପରୀକ୍ଷା କରାଯିବ ଏବଂ ଏଥିରେ ସଫଳ ହେବା ପରେ ହିଁ ସେହି ଭାକ୍ସିନ୍‌କୁ ମଞ୍ଜୁରୀ ଦିଆଯିବ । ଜେନେଭାରେ ଏକ ସାମ୍ବାଦିକ ସ୧ିଳନୀରେ ଡବ୍ଲ୍ୟୁଏଚ୍‌ଓ ମୁଖପାତ୍ର ତାରିକ ଜାସାରେବିକ୍ କହିଛନ୍ତି ଯେ, ଡବ୍ଲ୍ୟୁଏଚ୍‌ଓ ଅଧିକାରୀମାନେ ରୁଷ୍‌ର ସ୍ୱାସ୍ଥ୍ୟ ବିଭାଗ ସହ ଯୋଗାଯୋଗ କରିଛନ୍ତି ଏବଂ ଭାକ୍ସିନ୍‌ର ପ୍ରି କ୍ୱାଲିଫିକେସନ୍ ଉପରେ ବିଚାରବିମର୍ଶ ଚାଲିଛି । ଭାକ୍ସିନ୍‌ର ବିଭିନ୍ନ ଦିଗ ଉପରେ ଯାକରାଯାଉଛି ବୋଲି ସେ କହିଛନ୍ତି ।

ଏଥିସହିତ ଏବେ ଚାରୋଟି ଟୀକା ଉପରେ ସାରା ବିଶ୍ୱର ନଜର ରହିଛି ବୋଲି ଜଣା ପଡିଛି । ସେହିପରି ଆମ ଦେଶରେ କୋଭିଡ-୧୯ ଜାତୀୟ ଟାସ୍କ ଫୋର୍ସ ମୁଖ୍ୟଙ୍କ ସୂଚନା ଅନୁଯାୟୀ ଏବେ ତିନୋଟି ଟୀକା ପ୍ରସ୍ତୁତ କରୁଛି ଭାରତ । ସେଥିମଧ୍ୟରୁ ରହିଛି ଭାରତ ବାୟୋଟେକ୍ ଦ୍ୱାରା ପ୍ରସ୍ତୁତ କୋଭ୍ୟାକସିନ୍ , ଅକ୍ସଫୋର୍ଡ ୟୁନିଭର୍ସିଟି ଦ୍ୱାରା ବିକଶିତ, ସେରମ ଇନଷ୍ଟିଚ୍ୟୁଟ୍ ଦ୍ୱାରା ପ୍ରସ୍ତୁତ ‘କୋଭିଶିଲ୍ଡ’ ଜାଇଡସ୍ କାଡିଲା ଦ୍ୱାରା ପ୍ରସ୍ତୁତ ‘ଜାଇକଭ୍‌-ଡି’ । ତନ୍ମଧ୍ୟରୁ ତୃତୀୟ ପର୍ଯ୍ୟାୟ ଟ୍ରାଏଲ ଅପେକ୍ଷାରେ ଭାରତର ଗୋଟିଏ ଟୀକା । ଅନ୍ୟ ଦୁଇ ଟୀକାର ଟ୍ରାଏଲ୍ ଷ୍ଟେଜ୍‌-୨ ଅଛି । ସେରମ୍ ଇନଷ୍ଟିଚ୍ୟୁଟ୍ କହିଛି ଯେ, ଏହା ଭାରତରେ ମାନବ ପରୀକ୍ଷା ଆରମ୍ଭ କରିଛି ।ବର୍ଷର ଶେଷ ସୁଦ୍ଧା ଆଷ୍ଟ୍ରାଜେନେକା ଟୀକା ଉପଲ୨ ହେବ ବୋଲି ଆଶା କରାଯାଉଛି । ହାଇଦ୍ରାବାଦ ସ୍ଥିତ ଭାରତ ବାୟୋଟେକ୍‌ର କୋଭାକ୍ସିନ ଟୀକା ପରୀକ୍ଷା ମଧ୍ୟ ଦୁଇ ସପ୍ତାହ ପୂର୍ବରୁ ଆରମ୍ଭ ହୋଇଛି । ଏହି ଟୀକା ମଧ୍ୟ ବର୍ଷ ଶେଷ ସୁଦ୍ଧା ପ୍ରସ୍ତୁତ ହୋଇପାରେ । ଜାଇଡସ୍‌ କାଡିଲା ଦ୍ୱାରା ପ୍ରସ୍ତୁତ ଜାଇକଭ୍‌-ଡି ମଧ୍ୟ ମାନବଙ୍କ ଉପରେ ଟୀକାକରଣର ଏକ କ୍ଲିନିକାଲ୍ ପରୀକ୍ଷା ଆରମ୍ଭ କରିଛନ୍ତି । ପରୀକ୍ଷା ଆସନ୍ତା କିଛି ମାସ ମଧ୍ୟରେ ଶେଷ ହୋଇପାରେ । ତେବେ ସେରମ୍ ଇନଷ୍ଟିଚ୍ୟୁଟ୍ ଦ୍ୱାରା ପ୍ରସ୍ତୁତ ଟୀକା ଶୀଘ୍ର ମିଳିବ ବୋଲି ଆଶା କରାଯାଉଛି । କେନ୍ଦ୍ର ସ୍ୱାସ୍ଥ୍ୟମବୀ ହର୍ଷବର୍ଦ୍ଧନଙ୍କ କହିବାନୁସାରେ, ଟୀକା ପାଇବା ପାଇଁ ମବଣାଳୟ ଯୋଜନା ପ୍ରସ୍ତୁତ କରୁଛି । ହର୍ଷବର୍ଦ୍ଧନ କହିଛନ୍ତି ଯେ, ଭାରତ ହେଉଛି ବିଶ୍ୱର ସର୍ବବୃହତ ଟୀକା ଉତ୍ପାଦନକାରୀ ଦେଶ ।ସେ ବିଶ୍ୱର ଦୁଇ ତୃତୀୟାଂଶ ଟୀକା ଉତ୍ପାଦନ କରି ରପ୍ତାନି କରିଥାଏ ।

ସେ କହିଛନ୍ତି ଯେ, ଆଇସିଏମଆର ଏବଂ ଭାରତ ବାୟୋଟେକ ଏକ ଏମଓୟୁ ସ୍ୱାକ୍ଷର କରିଛନ୍ତି ଯେ, ଯଦି ଟୀକା ସଫଳ ହୁଏ ତେବେ ଶସ୍ତା ମୁଲ୍ୟରେ ଟୀକା ଯୋଗାଇବାରେ ଭାରତ ସରକାରଙ୍କୁ ପ୍ରାଥମିକତା ଦିଆଯିବ । ସେରମ୍ ପ୍ରତିଷ୍ଠାନ ସହିତ ମଧ୍ୟ ଏହି ସମାନ ଚୁକ୍ତିନାମା ଚାଲିଛି । ଏଥିସହିତ ଭାରତୀୟ ମାନଙ୍କୁ କରୋନା ଟୀକା ମାଗଣାରେ ଦିଆଯିବ ବୋଲି ସ୍ୱାସ୍ଥ୍ୟମବୀ କହିଛନ୍ତି । ଏଣେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଜଣେ ବରିଷ୍ଠ ଅଧିକାରୀଙ୍କ ମତରେ ନିକଟରେ ଏହି ରୋଗରୁ ମୁକ୍ତି ପାଇବାର ସମ୍ଭାବନା ନାହିଁ । ଟୀକା ବାହାରିଲେବି କିଛି ବର୍ଷ ପର୍ଯ୍ୟନ୍ତ ଏହି ମହାମାରୀର ପ୍ରଭାବ ରହିବ । ତେଣୁ ଥଣ୍ଡା, କାଶ, ଛିଙ୍କ ଓ ଜ୍ୱର ସମୟରେ ଆମକୁ ସଚେତନ ଓ ସତର୍କ ରହିବାକୁ ପଡିବ । ଆମକୁ ମନେରଖିବାକୁ ହେବ ଯେ, ମହାମାରୀ କବଳରୁ ମାନବ ସମାଜକୁ ରକ୍ଷା କରିବା ପାଇଁ ବୈଜ୍ଞାନିକ ଓ ବିଶେଷଜ୍ଞମାନଙ୍କ ଉଦ୍ୟମକୁ ଯେତେ ପ୍ରଶଂସା କଲେ ବି ସେତେ କମ୍ ହେବ । ବିଗତ ଦିନରେ ଅନେକ ମହାମାରୀ ଆସିଛି ଓ ତାକୁ ମଧ୍ୟ ନିୟନ୍ତ୍ରଣ କରାଯାଇଛି । ତେଣୁ ମହାମାରୀ କରୋନାକୁ ନିୟବଣ କରିବାରେ ଆମ ବିଶେଷଜ୍ଞମାନେ ନିଶ୍ଚୟ ସଫଳ ହେବେ । ଏହି ବିଶ୍ୱାସ ଓ ଭରସ। । ସାରା ବଶ୍ୱବାସୀଙ୍କର ରହିଛି । ତେଣୁ କିଏ ଆଗ ଟୀକା ପ୍ରସ୍ତୁତ କଲା ବା ବାଜି ମାରିନେଲା ତାହା ବଡକଥା ନୁହେଁ । ବଡକଥା ହେଉଛି ମାନବ ସମାଜକୁ ମହାମାରୀ କରୋନା କବଳରୁ ରକ୍ଷା କରିବା ! (ରିପୋର୍ଟ ହିମାଂଶୁ ଶେଖର ଆଚାର୍ଯ୍ୟ )

Exit mobile version