୧୮ ମାର୍ଚ୍ଚ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ବାଙ୍କୀ :- ବାଙ୍କୀ କଲେଜ ରୋଡସ୍ଥିତ ଶିକ୍ଷାଭାରତୀ ଟ୍ରଷ୍ଟ ପରିଚାଳନାରେ କଟକ ଜିଲ୍ଲା ଶିଳ୍ପ କେନ୍ଦ୍ର ସହାୟତାରେ ୧୨ଦିନ ବ୍ୟାପି ଉଦ୍ୟୋଗୀ ବିକାଶ ପ୍ରଶିକ୍ଷଣ ଶିବିର ଉଦ୍ଘାଟିତ ହୋଇଯାଇଛି । ଏହି ଶିବିରକୁ ବାଙ୍କୀ, ଡମପଡ଼ା ଓ ଆଠଗଡ଼ ବ୍ଲକର ଶିଳ୍ପ ବିକାଶ ଅଧିକାରୀ ସତ୍ୟପ୍ରିୟ ସାହୁ ଉଦ୍ଘାଟନ କରି ପ୍ରଶିକ୍ଷଣ ସଂପର୍କରେ ଆଲୋକପାତ କରିଥିଲେ । ମୁଖ୍ୟଅତିଥି ଭାବେ ବାଙ୍କୀ ସ୍ୱୟଂଶାସିତ ମହାବିଦ୍ୟାଳୟର ପୂର୍ବତନ ଉପାଧ୍ୟକ୍ଷ ପ୍ରାଧ୍ୟାପକ ମନୋଜ କୁମାର ମହାପାତ୍ର ଯୋଗଦାନ କରି ଯୋଗଦେଇଥିବା ସମସ୍ତ ଯୁବଉଦ୍ୟୋଗୀ ମାନଙ୍କୁ ଅଭିନନ୍ଦନ ଜଣାଇବା ସହିତ ଏହି ପ୍ରଶିକ୍ଷଣ ଦ୍ୱାରା ସମସ୍ତେ ଜଣେ ଜଣେ ସଫଳ ଉଦ୍ୟୋଗୀ ଭାବେ ସୁନାମ ରଖିବା ପାଇଁ ପରାମର୍ଶ ଦେଇଥିଲେ ।
ବିଶେଷ କରି ଏହି ପ୍ରଶିକ୍ଷଣରେ ଉଦ୍ୟୋଗ ପରିଚାଳନା, ଆର୍ଥିକ ଦିଗ, ବଜାର ସୁବିଧା , ବ୍ୟାଙ୍କ ଋଣ ଏବଂ ସରକାରଙ୍କ ଦ୍ୱାରା ବିଭିନ୍ନ ଯୋଜନା ସଂପର୍କରେ ମୁଖ୍ୟଅତିଥି ପ୍ରାଧ୍ୟାପକ ମହାପାତ୍ର ଉଲ୍ଲେଖ କରିଥିଲେ । ଶିକ୍ଷା ଭାରତୀ ଟ୍ରଷ୍ଟର ଅଧ୍ୟକ୍ଷ ରମେଶ ଚନ୍ଦ୍ର ତ୍ରିପାଠୀ ସଭାପତିତ୍ୱ କରିବା ସହିତ ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ । ପ୍ରଶିକ୍ଷକ ଭାବେ ଆଇ.ଆଇ.ଟି.ଏମ୍ର ପୂର୍ବତନ ଅଧ୍ୟକ୍ଷ ଡକ୍ଟର ଶୟଦ୍ ଏ.ସୁଲତାନ ଯୋଗଦାନ କରି ଉଦ୍ୟୋଗ ବିକାଶ ଉପରେ ବହୁ ଉଦାହରଣ ମାଧ୍ୟମରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ ।ଏହି ପ୍ରଶିକ୍ଷଣ ଶିବିରରେ ବାଙ୍କୀ, ଡମପଡ଼ା ଓ ଆଠଗଡ ବ୍ଲକର ୪୦ଜଣ ଉଦ୍ୟୋଗୀ ପ୍ରଶିକ୍ଷଣ ନେଉଛନ୍ତି ଓ ଏହା ୧୨ଦିନ ପର୍ଯ୍ୟନ୍ତ ଚାଲୁ ରହିବ । ଶେଷରେ ଅନୁଷ୍ଠାନର ସଂଯୋଜିକା ରୋଜାଲିନ୍ ସେଠ ଧନ୍ୟବାଦ ଅର୍ପଣ କରିଥିଲେ ।
