୧୬ ମାର୍ଚ୍ଚ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ବାଲିଗୁଡା :- କନ୍ଧମାଳ ଜିଲା ରାଇକିଆ ବ୍ଲକର ମାଣିକେଶ୍ୱର ପଞ୍ଚାୟତର ଦୁର୍ଗମ ଜଙ୍ଗଲ ମଧ୍ୟରେ ଘାଟି ପାହାଡ଼ ଚଢି ଯିବାକୁ ପଡେ ଡାଙ୍ଗିସି ଗ୍ରାମକୁ। ଜଙ୍ଗଲ ଓ ପାହାଡ ଘେରା ମଧ୍ୟରେ ଥିବା କନ୍ଧମାଳ-ଗଞ୍ଜାମ ସୀମାନ୍ତର ଏହି ଗ୍ରାମରେ ସରକାରଙ୍କ ଯୋଜନା ସଠିକ ଭାବେ ପହଞ୍ଚି ପାରୁନାହିଁ । ଏଭଳି ଏକ ଦୁର୍ଗମ ଅପହଞ୍ଚ ଇଲାକାକୁ ଯାଇ ଲୋକଙ୍କୁ ଭେଟିଛନ୍ତି ରାଇକିଆ ବଡିଓ ସବ୍ୟସାଚୀ ସାହୁ । ରାସ୍ତା ଠାରୁ ଆରମ୍ଭ କରି ଶିକ୍ଷା, ସ୍ବାାସ୍ଥ୍ୟ ଭଳି ଜରୁରୀ ସେବାରୁ ବଞ୍ଚିତ ହେଉଛନ୍ତି ଏହି ଗ୍ରାମବାସୀ। ଗାଁରେ ପ୍ରାଥମିକ ବିଦ୍ୟାଳୟ ନାହିଁ କି ଅଙ୍ଗନଓ୍ବାଡି କେନ୍ଦ୍ର ନାହିଁ ।
ଗାଁ ରେ ଏକାଧିକ ପିଲା ବିଦ୍ୟାଳୟରେ ନାମ ଲେଖେଇ ନ ପାରି ଅଧାରୁ ପାଠ ଛାଡୁଛନ୍ତି । ସର୍ବନିମ୍ନ ସ୍ବାସ୍ଥ୍ୟ ସେବା ପାଇବାକୁ ହେଲେ ୨୫ କିମି ଦୂର ରାଇକିଆ ସହର ଉପରେ ସମସ୍ତେ ନିର୍ଭରଶୀଳ । ଏ ସବୁ ସମସ୍ୟା ଭିତରେ ସବୁଠାରୁ ବଡ ଚାଲେଞ୍ଜ ଭାବେ ଦେଖାଦେଇଛି। ରାସ୍ତାକାମ ଅଧାପନ୍ତରିଆ ରହି ଯାଇ ଥିବାରୁ ଗାଆଁକୁ ଦୁଇ ଚକିଆ ଯାନ ମଧ୍ୟ ଯାଇ ପାରୁନାହିଁ । ୧୪ ପରିବାର ବସବାସ କରୁଥିବା ଏହି ଗ୍ରାମରେ ସବୁ ଘର ମାଟି ଓ କଚା ଘର ।
