କନ୍ଧମାଳ ଜାତୀୟ ସ୍ୱାସ୍ଥ୍ୟ ମିଶନ କର୍ମଚାରୀଙ୍କ ସମସ୍ୟା ସମାଧାନ ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ଧାରଣା

୧୪ ମାର୍ଚ୍ଚ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) କନ୍ଧମାଳ  :- ଓଡିଶା ସ୍ୱାସ୍ଥ୍ୟ ମିଶନ ପରିଚାଳନା କର୍ମଚାରୀ ସଂଘର ଡାକରା ଅନୁସାରେ ଦୁଇ ଦଫା ଦାବି ଯଥା ସ୍ୱାସ୍ଥ୍ୟ ମିଶନ ଅଧୀନରେ କାର୍ଯ୍ୟରତ ସମସ୍ତ ପରିଚାଳନା କର୍ମଚାରୀଙ୍କ ଚାକିରି ସ୍ଥାୟୀ କରିବା ଓ ଜନସ୍ୱାସ୍ଥ୍ୟ ପରିଚାଳନା ପଦବୀ ସୃଷ୍ଟି କରିବା ନେଇ ସମଗ୍ର ରାଜ୍ୟରେ ଗତ ମାର୍ଚ୍ଚ ୧୦ ତାରିଖରୁ ଜାତୀୟ ସ୍ବାସ୍ଥ୍ୟ ମିଶନର ସମସ୍ତ କର୍ମଚାରୀମାନେ ଧାରଣlରେ ବସିଛନ୍ତି। ଏହି ପରିପ୍ରେକ୍ଷୀରେ ଗତ ୨୦୦୫ ମସିହାରୁ ଜିଲ୍ଲା ତଥା ବ୍ଲକ୍ ସ୍ତରରେ କନ୍ଧମାଳ ଜିଲ୍ଲାରେ ବିଭିନ୍ନ ପଦ ପଦବୀରେ ସମୁଦାୟ ୧୨୬ ଜଣ ପରିଚାଳନା କର୍ମଚାରୀ କାର୍ଯ୍ୟ କରୁଛନ୍ତି ।

ଦୀର୍ଘ ୨୦ ବର୍ଷ ହେବ ଏହି ପରିଚାଳନା କର୍ମଚାରୀ କାର୍ଯ୍ୟ କରି ଆସୁଥିବା ବେଳେ ସରକାରଙ୍କୁ ବାରମ୍ବାର ଅବଗତ କରାଯାଇଥିଲେ ସୁଦ୍ଧା କୌଣସି ସୁଫଳ ମିଳିନାହିଁ । ଉଚ୍ଚ ଶିକ୍ଷିତ, କୁଶଳୀ, ଦକ୍ଷ ଏବଂ ପରିଶ୍ରମୀ ଏହି ପରିଚାଳନା କର୍ମଚାରୀ ମାନେ ସ୍ୱାସ୍ଥ୍ୟ ବିଭାଗ ପାଇଁ ନିଷ୍ଠାର ସହ କାର୍ଯ୍ୟ କରି ଆସୁଛନ୍ତି । ସମସ୍ତ କର୍ମଚାରୀଙ୍କ ବୟସ ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ୨୦ ବର୍ଷରୁ ଉର୍ଦ୍ଧ କାର୍ଯ୍ୟ କରିବା ପରେ ମଧ୍ୟ ଜଣଙ୍କର ମଧ୍ୟ ଚାକିରି ନିୟମିତ ହୋଇ ପାରିଲା ନାହିଁ ।

ଏଭଳି ପରିସ୍ଥିରେ ସ୍ୱଳ୍ପ ଦରମା ରେ ପରିବାର ପ୍ରତିପୋଷଣ କଷ୍ଟସାଧ୍ୟ ହୋଇ ପଡିଥିବା ଦର୍ଶାଇ, ଉଚିତ ଦାବି ପୂରଣ ଦିଗରେ ପଦକ୍ଷେପ ନେବାପାଇଁ ଏହି କାର୍ଯ୍ୟବନ୍ଦ ଡାକରା ପାଇଁ ସମଗ୍ର ଜିଲ୍ଲାରେ ଏହାର ପ୍ରଭାବ ଦେଖା ଦେଇଛି । ଏହା ଦ୍ବାରା ଗାଁ, ବ୍ଲକ୍ ଏବଂ ଜିଲ୍ଲାସ୍ତରରେ ସ୍ବାସ୍ଥ୍ୟ ସେବା ଓ ପରିଚାଳନା ଏକ ପ୍ରକାର ଠପ୍ ହୋଇଯାଇଛି । ସ୍ବାସ୍ଥ୍ୟ ସେବା ରେ ସୁଧାର ପାଇଁ ଯଥାଶୀଘ୍ର ସରକାର ଜାତୀୟ ସ୍ୱାସ୍ଥ୍ୟ ମିଶନ କର୍ମଚାରୀଙ୍କ ସମସ୍ୟା ସମାଧାନ ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ବୁଦ୍ଧିଜୀବୀ ମହଲରେ ପ୍ରକାଶ ପାଇଛି ।

Exit mobile version