ବିଭିନ୍ନ ଥାନା ଅଞ୍ଚଳରୁ ବିପୁଳ ପରିମାଣର ଗଞ୍ଜେଇ ଜବତ : ଗଞ୍ଜେଇ ଚାଷର ସଂପୂର୍ଣ୍ଣ ମୂଳୋତ୍ପାଟନ ପାଇଁ ନିର୍ଦେଶ

୧୧ ମାର୍ଚ୍ଚ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) କନ୍ଧମାଳ :- କନ୍ଧମାଳ ଜିଲ୍ଲା ପୋଲିସ ୪ ଟି ଥାନା ଅଞ୍ଚଳରେ ଚଢ଼ାଉ କରି ୮ହଜାର ୨୮୫ କେଜିରୁ ଉର୍ଦ୍ଧ୍ୱ ଗଞ୍ଜେଇ ଜବତ କରିବାରେ ପୋଲିସ ସକ୍ଷମ ହୋଇଛି। ଉଲ୍ଲେଖଯୋଗ୍ୟ ଯେ, ଗଞ୍ଜେଇ ଚୋରା ଚାଲାଣ ରୋକିବାକୁ ଡିଜିପି ଯୋଗେଶ ବାହାଦୁର ଖୁରାନିଆ ନିର୍ଦ୍ଦେଶ ଦେଇଥିବା ବେଳେ ସେହି ଅନୁଯାୟୀ, ରାଜ୍ୟର ବିଭିନ୍ନ ଜିଲ୍ଲାର ଏସପି ମାନେ ଏହାକୁ କାର୍ଯ୍ୟକାରୀ କରୁଛନ୍ତି। ଏହି କ୍ରମରେ କନ୍ଧମାଳ ଜିଲ୍ଲା ଏସପି ଏକ ସ୍ୱତନ୍ତ୍ର ଟିମ ଗଠନ କରି ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲେ। ଏହି ସମସ୍ତ ଘଟଣାରେ ପୋଲିସ ତଦନ୍ତ କରୁଥିବା ବେଳେ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି।

ସୂଚନା ଯୋଗ୍ୟ ଯେ, ନିଶା ବେପାରୀ ମାନେ ଜଙ୍ଗଲ ମଧ୍ୟରେ ଥିବା ବିଭିନ୍ନ ପରିତ୍ୟକ୍ତ ସ୍ଥାନରେ ଗାତ ଖୋଳି ଏହି ଗଞ୍ଜେଇ ରଖି ଚୋରା ଚାଲାଣ କରୁଛନ୍ତି। ଏ ସମ୍ପର୍କରେ ସୂଚନା ପାଇ ପୋଲିସ ଚଢ଼ାଉ କରିଥିଲା। କନ୍ଧମାଳ ଜିଲ୍ଲାର ଗୋଛାପଡା ଥାନା ପୋଲିସ କାଟ୍ରିଙ୍ଗିଆ ଗ୍ରାମପଞ୍ଚାୟତ ଅନ୍ତର୍ଗତ ବୁଡେଣିପଙ୍କ ଗ୍ରାମ ନିକଟସ୍ଥ ଜଙ୍ଗଲରେ ଚଢାଉ କରି ଘଟଣାସ୍ଥଳରୁ ୩୬୭୫ କେଜି,

ଫୁଲବାଣୀ ସଦର ଥାନା ଅନ୍ତର୍ଗତ ବିଲବାଡି ଗ୍ରାମ ପଞ୍ଚାୟତ ନିକିନିଣ୍ଡା ଗ୍ରାମ ଜଙ୍ଗଲରୁ ୧୪୪୦ କେଜି, ତୁମୁଡିବନ୍ଧ ଥାନା କୁର୍ଥାଗୁଡ଼ା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବାନିମିଲା ଜଙ୍ଗଲରୁ ୬୧୫ କେଜି, ବ୍ରାହ୍ମଣୀଗାଁ ଥାନା ପଡ଼ିକିଆ ନିକଟସ୍ଥ ରାଜନଗର ଜଙ୍ଗଲରୁ ୨୫୫୫ କେଜି ଗଞ୍ଜେଇ ଜବତ କରାଯାଇଛି । ଉଲ୍ଲେଖଯୋଗ୍ୟ ଯେ,ଗଞ୍ଜେଇ ଚାଷ ବିରୁଦ୍ଧରେ ରାଜ୍ୟ ପୋଲିସ ସ୍ୱତନ୍ତ୍ର ଅଭିଯାନ ଜାରି ରଖିଥିବା ବେଳେ

ଏହାକୁ ମୂଳପୋଛ କରିବାକୁ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ନିର୍ଦ୍ଦେଶ ଦେଇଛନ୍ତି। ଏହାକୁ ତୃଣମୂଳ ସ୍ତରରେ କାର୍ଯ୍ୟକାରୀ କରାଯାଉଛି। ଏହି ସ୍ଵତନ୍ତ୍ର ଅଭିଯାନ ଆସନ୍ତା ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ ଏବଂ ଏହି ସମୟ ସୀମା ମଧ୍ୟରେ ଗଞ୍ଜେଇ ଚାଷର ସଂପୂର୍ଣ୍ଣ ମୂଳୋତ୍ପାଟନ ନିମନ୍ତେ କାର୍ଯ୍ୟ କରିବାକୁ ଡିଜିପି ବରିଷ୍ଠ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି।

Exit mobile version