ବିଜେଡ଼ି ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ ଓ ପ୍ରତିବାଦ ସଭା

୯ ମାର୍ଚ୍ଚ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ହିଞ୍ଜିଳିକାଟୁ :-  ହିଞ୍ଜିଳି ବିଜେଡ଼ି ପକ୍ଷରୁ ଶନିବାର ଅନ୍ତର୍ଜାତୀୟ ମହିଳା ଦିବସ ପାଳନ କରିବା ସହ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଛି । ବିଜେଡ଼ି ନେତ୍ରୀ ରଶ୍ମିତା ବେହେରାଙ୍କ ନେତୃତ୍ବରେ ଏକ ବିଶାଳ ମହିଳା ସମାବେଶ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ଠାରେ ଆୟୋଜିତ ହୋଇଥିଲା। ବରିଷ୍ଠ ମହିଳା ନେତ୍ରୀଙ୍କ ସମେତ ଶହ ଶହ ମହିଳା କର୍ମୀ ଏକତ୍ରିତ ହୋଇ ଏକ ବିରାଟ ପଟୁଆରରେ ବାହାରି ସହର ପରିକ୍ରମା କରି ବିଜୁ ପଟ୍ଟନାୟକ ଛକ ସ୍ଥିତ ସ୍ବର୍ଗତ ବିଜୁ ବାବୁଙ୍କ ପ୍ରତିକୃତିରେ ପୁଷ୍ପମାଲ୍ୟ ଓ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ରାଜ୍ୟ ସରକାରଙ୍କ ଉପରେ ନାରାବାଜି ଓ ପ୍ରତିବାଦ ପ୍ରଦର୍ଶନ ସହ ବିଶୋଦଗାର କରିଥିଲେ।

ପରେ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ଠାରେ ଆୟୋଜିତ କାର୍ଯ୍ୟକ୍ରମକୁ ବିଜେଡ଼ି ଉପଦେଷ୍ଟା ସୁରେନ୍ଦ୍ର ନାଥ ପ୍ରଧାନ ଦ୍ଵୀପ ପ୍ରଜ୍ବଳନ କରି ଶୁଭ ଉଦଘାଟନ କରିଥିଲେ। ସ୍ବର୍ଗତ ବିଜୁ ବାବୁ ପ୍ରଥମ ବ୍ୟକ୍ରି ଭାବେ ନାରୀ ମାନଙ୍କୁ ରାଜନୈତିକ ଅଧିକାର, ସମାଜରେ ପ୍ରତିଷ୍ଠା ଓ ସମ୍ମାନ ଦେଇଥିଲେ। ପରବର୍ତ୍ତି ସମୟରେ ଏହାକୁ ସମସ୍ତ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ଗ୍ରହଣ କରିଥିଲେ। ପୁର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମିଶନ ଶକ୍ତି ଯୋଜନା ପ୍ରଣୟନ କରି ନାରୀ ସଶକ୍ତି କରଣ, ରୋଜଗାର ପନ୍ଥା ଓ ସେମାନଙ୍କୁ ସ୍ବାବଲମ୍ବୀ କରିବା ପାଇଁ ଉଦ୍ୟମ ଜାରୀ ରଖିଥିଲେ ।

କିନ୍ତୁ ରାଜ୍ୟ ମୁଖ୍ୟମନ୍ତ୍ରୀ ବିନା କ୍ୟାବିନେଟ୍ ଅନୁମୋଦନରେ ଗତ ୩୨ବର୍ଷ ଧରି ପାଳିତ ହେଉଥିବା ପଞ୍ଚାୟତରାଜ ଦିବସ ଓ ଛୁଟିକୁ ବାତିଲ କରିଛନ୍ତି। ରାଜ୍ୟ ସରକାର ଏହାର ପୁନଃବିଚାର ନ କରିବା ପର୍ଯ୍ୟନ୍ତ ପ୍ରତି ପଞ୍ଚାୟତ ଓ ୱାର୍ଡ ସ୍ତରରେ ସରକାରଙ୍କ ବିରୁଦ୍ଧରେ ବିରୋଧ ପ୍ରଦର୍ଶନ କରାଯିବ ବୋଲି ମହିଳା ନେତ୍ରୀ ମାନେ ଆହ୍ବାନ ଦେଇଥିଲେ। ସୁଭଦ୍ରା ଯୋଜନାରେ ମହିଳାଙ୍କୁ କିସ୍ତି ପ୍ରଦାନ କରି ନିତ୍ୟ ବ୍ୟବହାର୍ଯ୍ୟ ଜିନିଷର ମୂଲ୍ୟବୃଦ୍ଧି କରି ମା ମାନଙ୍କୁ ଲୁଟୁଥିବା ଅଭିଯୋଗ କରିଥିଲେ। ଏ ସରକାରରେ ନାରୀ ମାନେ ସୁରକ୍ଷିତ ନୁହଁନ୍ତି ଓ ଆଗାମୀ ଦିନରେ ମହିଳା ମାନେ ବିଜେପି ସରକାର ବିରୋଧରେ ଏକ ଲଢେଇ ଆରମ୍ଭ କରିବେ ବୋଲି ଘୋଷଣା କରିଥିଲେ।

କାର୍ଯ୍ୟକ୍ରମରେ ମନୋରମା ପୋଲେଇ, ବାଇ ଗୀତାଞ୍ଜଳି, ଉମାଦେବୀ ବେହେରା, ଶ୍ରୀମତୀ ପାଢ଼ୀ,ଏ ସୁଶୀଳା ପାତ୍ର, ବିଳାସିନୀ ପାଢ଼ୀ, ଶର୍ମିଳା ରାଉଳ, ପୌରାଧ୍ୟକ୍ଷା ସୁଚିତ୍ରା ପଣ୍ଡା ପ୍ରମୁଖ ମଞ୍ଚସିନ ଥିଲେ। ଡିଆରଡିଏ ପ୍ରତିନିଧି ଦେବାନନ୍ଦ ମହାପାତ୍ର, ନଗର ସଭାପତି ହୃଦୟାନନ୍ଦ ମହାପାତ୍ର, ପୌର ପ୍ରତିନିଧି ପ୍ୟାରୀ ମୋହନ ପାଢ଼ୀ, ବ୍ଲକ ସଭାପତି ଦୁର୍ଗା ମହାନ୍ତି, ବ୍ଲକ ପ୍ରତିନିଧି ଏ.ସୁଦର୍ଶନ, ଦିଗାମ୍ବର ନାହାକ, ପୌର ଅଧ୍ୟକ୍ଷ ସୁବାସ ଚନ୍ଦ୍ର ପୋଲେଇ, ଶେରଗଡ଼ ବ୍ଲକ ଅଧ୍ୟକ୍ଷ କୃଷ୍ଣ ଚନ୍ଦ୍ର ନାୟକ, ଚିତ୍ତ ରଞ୍ଜନ ପାଣିଗ୍ରାହୀ, ହୀନ ବେହେରା, ବରୁଣ ପୋଲେଇ ଓ ନୀଳମଣି ପଟ୍ଟନାୟକ ପ୍ରମୁଖ ସଂଯୋଜନା କରିଥିଲେ।

Exit mobile version