ବରିଷ୍ଠ ମଞ୍ଚ କଳାକାର ଙ୍କ ବିୟୋଗ

୮ ମାର୍ଚ୍ଚ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ଚିଲିକା :- ବିଶିଷ୍ଟ ମଞ୍ଚ ଅଭିନେତା, ନିର୍ଦ୍ଦେଶକ, କଣ୍ଠଶିଳ୍ପୀ ତଥା ଯନ୍ତ୍ର ସଙ୍ଗୀତ ବାଦକ ପ୍ରକାଶ କୁମାର ଭଟ୍ଟ ଆଉ ନାହାନ୍ତି। ପୂର୍ବାହ୍ନରେ ହ୍ରୃଦ୍ ଘାତରେ ତାଙ୍କର ଆକସ୍ମିକ ପରଲୋକ ଘଟିଯାଇଛି। ସକାଳୁ ସେ ହଠାତ୍ ଅସୁସ୍ଥ ହୋଇ ପଡିବାରୁ ତାଙ୍କୁ ନିଜ ଗ୍ରାମ ଚିଲିକା ବ୍ଲକ ଅନ୍ତର୍ଗତ ଵଉଳାଵନ୍ଧ ରୁ ଟାଙ୍ଗୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରା ଯାଇଥିଲା।ଚିକିତ୍ସକ ତାଙ୍କୁ ମ୍ରୃତ ଘୋଷଣା କରିଥିଲେ। ଏହି ଖବର ପ୍ରଚାରିତ ହେବା ପରେ ଶ୍ରଦ୍ଧାଳୁ ଏବଂ କଳାକାର ମହଲରେ ଶୋକର ଛାୟା ଖେଳିଯାଇଛି। ଜଣେ ନମ୍ର , ବନ୍ଧୁ ଵତ୍ସଳ,ଅମାୟିକ କଳାକାର ଏବଂ ନିଷ୍ଠାପର ମନ୍ଦିର ପୂଜକ ଭାବେ ତାଙ୍କର ବେଶ୍ ପରିଚିତି ଥିଲା।

ସେ ବହୁଦିନ ଧରି ଅଞ୍ଚଳ ର ବିଭିନ୍ନ ଦଣ୍ଡ ଯାତ୍ରା ଓ ରାମ ନାଟକ ଦଳ ସହ ସମ୍ପୃକ୍ତ ଥିଲେ। ନାଚୁଣୀ ସ୍ଥିତ ନାଟ୍ୟ ଅନୁଷ୍ଠାନ ଭୂମିକା ର ସେ ଥିଲେ ଜଣେ ସକ୍ରିୟ ସଭ୍ୟ। ଏହି ଅନୁଷ୍ଠାନ ମାଧ୍ୟମ ରେ ସେ ରାଜ୍ୟ ସ୍ତରୀୟ ଓ ଜାତୀୟ ସ୍ତରୀୟ ବହୁ ନାଟ୍ୟ ପ୍ରତିଯୋଗିତା ରେ ଭାଗ ନେଇ କ୍ରୃତୀତ୍ଵ ହାସଲ କରି ପାରିଥିଲେ। ତାଙ୍କର ଆକସ୍ମିକ ବିୟୋଗରେ ଅଞ୍ଚଳ ର ସାମାଜିକ ଓ ସାଂସ୍କୃତିକ ସଙ୍ଗଠନ ଜାଗ୍ରୃତିକା ପକ୍ଷରୁ ସଭାପତି ପ୍ରଫେସର ଗଙ୍ଗାଧର ପ୍ରଧାନ, ସମ୍ପାଦକ ବିରଞ୍ଚିନାରାୟଣ ପ୍ରସାଦ ନାୟକ, ଭୂମିକା ର ସଭାପତି ସତ୍ୟନାରାୟଣ ସାମନ୍ତରାୟ, ସମ୍ପାଦକ ଭିକାରୀ ଚରଣ ପ୍ରଧାନ,ବିଶିଷ୍ଟ ପାଲା ଗାୟକ ଦକ୍ଷିଣ କେଶରୀ ରାମଚନ୍ଦ୍ର କର, ଓଡ଼ିଶୀ ସଙ୍ଗୀତଜ୍ଞ ଅଜିତ କୁମାର ମିଶ୍ର, ଚିଲିକା ସଙ୍ଗୀତ ନାଟକ ଏକାଡେମୀ ପ୍ରମୁଖ ଶୋକ ବ୍ୟକ୍ତ କରିଛନ୍ତି।

Exit mobile version