ମହାନଦୀ ପେଟରେ ପାଣି ବଦଳରେ ଜମି ରହିଛି ବାଲିକୁଦ

୦୭ ମାର୍ଚ୍ଚ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ବାଙ୍କୀ  :-  ମହାନଦୀ ହେଉଛି ଓଡ଼ିଶାର ବୃହତ୍ତମ ନଦୀ ଓ ଏହି ନଦୀ ଛତିଶଗଡ଼ର ଅମରକଣ୍ଟକରୁ ବାହାରି ସମ୍ବଲପୁର ଦେଇ ପାରାଦ୍ୱୀପ ଠାରେ ସମୁଦ୍ରରେ ମିଶିଛି । ମହାନଦୀ ଓଡ଼ିଶାର ୧୪ଗୋଟି ଜିଲ୍ଲା ଦେଇ ପ୍ରବାହିତ ଓ ଏହା ହେଉଛି ଜୀବନ ଜୀବୀକାର ଏକ ପ୍ରମୁଖ ନଦୀ । କିନ୍ତୁ ଛତିଶଗଡ଼ ମହାନଦୀ ଉପରେ ବଡ ବଡ ବ୍ୟାରେଜ୍ ଓ ବନ୍ଧ ନିର୍ମାଣ କରିବା ଫଳରେ ଜଳ ଯେଉଁ ପରିମାଣରେ ଆସିବା କଥା ତାହା ଆସୁ ନାହିଁ । ଦିନକୁ ଦିନ ମହାନଦୀରେ ଜଳସଂକଟ ଦେଖାଯାଉଛି । ଆଉ ମଧ୍ୟ ନଦୀ ଶଯ୍ୟା ପୋତି ହୋଇଯାଉଥିବାରୁ ମହାନଦୀ ଭିତରେ ବର୍ତ୍ତମାନ ବାଲିର ଶଯ୍ୟା ଦେଖିବାକୁ ମିଳୁଛି ।

ସେଥିପାଇଁ ମହାନଦୀ ତା’ର ସୌନ୍ଦର୍ଯ୍ୟ ହରାଇବା ସହିତ ଚିରସ୍ରୋତା ହେବାରୁ ବଞ୍ôଚତ ହେଉଛି । ସ୍ୱର୍ଗତ ଅଟଳବିହାରୀ ବାଜପେୟୀ ସରକାର ଥିଲା ବେଳେ ନଦୀ ସଂଯୋଗୀକରଣ ଉପରେ ଗୁରୁତ୍ୱ ଦେଉଥିଲେ । ସେହି ପରିପ୍ରେକ୍ଷୀରେ ମହାନଦୀକୁ ଅନ୍ୟ ନଦୀ ସହିତ ଯୋଡିବା ପାଇଁ ଯୋଜନା ପ୍ରସ୍ତୁତ ହୋଇଥିଲା । ସେ ଯୋଜନା ଏବେ ଅନ୍ଧାର ଭିତରକୁ ଟାଣି ନେଇଛି । ମହାନଦୀ ଚିରସ୍ରୋତା ହେଲେ କୃଷି, ଶୀଳ୍ପ, ପାନୀୟଜଳ ଓ ଜଳସେଚନ ଦ୍ୱାରା ଜନସାଧାରଣ ଉପକୃତ ହୋଇପାରିବେ । ବିଶେଷ କରି ଅନେକ ଜାଗାରେ ପାଣି ଶୁଖି ଯାଉଥିବାରୁ ନଦୀର ଧାର ସରୁ ହୋଇଯାଇଛି ତ କେଉଁଠି ମଝିରେ ମଝିରେ ବାଲି ପୋତି ହୋଇଯାଇ ଉଚ୍ଚାକୁଦ ଠିଆ ହେବାର ଦେଖାଯାଇଛି ।

ଏହି ପରପ୍ରେକ୍ଷୀରେ ମହାନଦୀର ଶଯ୍ୟା ଖନନ କରାଯିବା ସହିତ ମହାନଦୀ ମଧ୍ୟରେ ବ୍ୟାରେଜ ନିର୍ମାଣ କରାଗଲେ ଏହା ଚିରଶ୍ରୋତାରେ ପରିଣତ ହୋଇପାରିବ ବୋଲି ପରିବେଶବିତ୍ ତଥା ବାଙ୍କୀ ସ୍ୱୟଂଶାସିତ ମହାବିଦ୍ୟାଳୟର ପୂର୍ବତନ ପ୍ରାଣୀବିଜ୍ଞାନ ବିଭାଗ ବିଭାଗୀୟ ମୁଖ୍ୟ ପ୍ରାଧ୍ୟାପକ ମନୋଜ କୁମାର ମହାପାତ୍ର କହିଛନ୍ତି । ଆଉ ମଧ୍ୟ ମହାନଦୀର ସୁରକ୍ଷା ପାଇଁ ନଦୀ ବନ୍ଧକୁ ମଜବୁତ କରିବା , ବେଆଇନ୍ ବାଲିଘାଟ ବନ୍ଦ କରିବା, ପାଶ୍ୱର୍ରେ ବୃକ୍ଷ ନକାଟିବା ପାଇଁ ଜନସାଧାରଣ ଓ ସରକାର ଏଥିପ୍ରତି ଦୃଷ୍ଟି ଦେବାପାଇଁ ପରିବେଶବିତ୍ ପ୍ରାଧ୍ୟାପକ ମହାପାତ୍ର ପ୍ରକାଶ କରିଛନ୍ତି । ତେବେ ମହାନଦୀ ଶଯ୍ୟା ଖନନ କରାଯାଇ ନଦୀର ଧାରାକୁ ପରିବର୍ତ୍ତନ ଆଣିବା ସହିତ ଚିରସ୍ରୋତାରେ ପରିଣତ କରବା ଆଜିର ଦିନରେ ଏକ ପ୍ରମୁଖ ଆହ୍ୱାନ ବୋଲି ପ୍ରାଧ୍ୟାପକ ମହାପାତ୍ର ଉଲ୍ଲେଖ କରିଛନ୍ତି ।

Exit mobile version