୦୭ ମାର୍ଚ୍ଚ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ବାଙ୍କୀ :- ବାଙ୍କୀ ଉପଖଣ୍ଡ ପ୍ରଶାସନ ପକ୍ଷରୁ ଚଳିତ ଗ୍ରୀଷ୍ମକାଳୀନ ସମ୍ଭାବ୍ୟ ଅଂଶୁଘାତର ମୁକାବିଲା ପାଇଁ ଏକ ପ୍ରଶାସନିକ ପ୍ରସ୍ତୁତି ବୈଠକ ଆଜି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା । ଉପଜିଲ୍ଲାପାଳ ପ୍ରଣବ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା । ଆମାଗୀ ଗ୍ରୀଷ୍ମଋତୁକୁ ଦୃଷ୍ଟିରେ ରଖି ଉପଖଣ୍ଡର ସମସ୍ତ ବିଡିଓ ଏବଂ ପାନୀୟ ଜଳଯୋଗାଣ ବିଭାଗ ପାନୀୟ ଜଳ ସମସ୍ୟା ଦୂର ନିମନ୍ତେ ପଦକ୍ଷେପ ନେବାକୁ ଉପଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ ।
ଜଳାଭାବ ଅଞ୍ଚଳ ଗୁଡିକରେ ଟ୍ୟାଙ୍କର ଯୋଗେ ପାନୀୟ ଜଳ ଯୋଗାଇବା ସହ ଏନ୍.ଏ.ସି ମଧ୍ୟରେ ପାନୀୟ ଜଳ ପାଇପ୍ ଦ୍ୱାରା ଯୋଗାଇବା ଓ ଅଚଳ ନଳକୂପ ଗୁଡିକର ଦୁଦ୍ଧକାଳୀନ ଭିତ୍ତିରେ ମରାମତି ପାଇଁ ପଦକ୍ଷେପ ନେବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏନ୍.ଏ.ସି ଅଞ୍ଚଳ ରେ ବାଙ୍କୀ ସହର ଓ ଅନ୍ୟାନ୍ୟ ୱାର୍ଡ ଗୁଡିକରେ ଜଳଛତ୍ର ଖୋଲାଯିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଉପଖଣ୍ଡ ଚିକିତ୍ସାଳୟ ଓ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରମାନଙ୍କରେ ସ୍ୱତନ୍ତ୍ର ଶୀତତାପ ନିୟନ୍ତ୍ରିତ କକ୍ଷ ପ୍ରସ୍ତୁତ ରଖିବା, ଆବଶ୍ୟକ ପରିମାଣରେ ଓ.ଆର.ଏସ୍. ଓ ଔଷଧ ମହଜୁଦ୍ ରଖିବା ସହିତ ଅଂଶୁଘାତ କଣ୍ଟ୍ରୋଲ୍ ରୁମ୍ ଖୋଲିବାକୁ ଚିକିତ୍ସା ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି ।
